
ଅନୁଗୁଳ : ସକାଳୁ ଅନୁଗୁଳରୁ ଭୁବନେଶ୍ବର ଯାଉଥିବା ଲୋକଙ୍କ ପାଇଁ ଅନୁଗୁଳ-ପୁରୀ ମେମୁ ଥିଲା ଜୀବନରେଖା। ଅଳ୍ପ ଖର୍ଚ୍ଚରେ ସୁବିଧାରେ ଲୋକେ କଟକ, ଭୁବନେଶ୍ବର, ପୁରୀ ଯାଇ କାମ କରି ସନ୍ଧ୍ୟାରେ ଫେରୁଥିଲେ। ସେଥିପାଇଁ ସବୁବେଳେ ଏହି ଟ୍ରେନରେ ଖଚାଖଚ ଭିଡ଼। କିନ୍ତୁ କରୋନାକୁ ଆଳ କରି ରେଳବାଇ କର୍ତ୍ତୃପକ୍ଷ ଏହି ଟ୍ରେନକୁ ବନ୍ଦ କରିଦେଇଛନ୍ତି। ଅନୁଗୁଳ ବଦଳରେ ତାଳଚେରରୁ ଯିବା ଆସିବା କରୁଛି ଏହି ଟ୍ରେନ। ସତେ ଯେମିତି ଅନୁଗୁଳରେ ଖାଲି କରୋନା ଅଛି, ତାଳଚେରରେ ନାହିଁ। ଆଉ ଅନୁଗୁଳରୁ ଟ୍ରେନ ଛାଡ଼ିଲେ କରୋନା ମାଡ଼ି ଆସିବ।
ରେଳବାଇ ଅନୁଗୁଳ ଜିଲ୍ଲାରୁ ପ୍ରଚୁର ରାଜସ୍ବ ପାଉଥିଲେ ମଧ୍ୟ ଏହି ଅଞ୍ଚଳକୁ ବାରମ୍ବାର ଅବହେଳା କରି ଆସିଛି। ଏଥିନେଇ ପ୍ରତିବାଦର ସ୍ବର ନରମ ଥିବାରୁ ରେଳବାଇକୁ ଏହା ବି ସୁହାଉଛି। ଏଇ ଯେମିତି ଅନୁଗୁଳରୁ ଚାଲୁଥିବା ଅନୁଗୁଳ-ପୁରୀ ମେମୁକୁ ବିନା କାରଣରେ ବନ୍ଦ କରାଯାଇଛି। ଏହି ଟ୍ରେନ୍ ଅନୁଗୁଳରୁ ସକାଳ ୫ଟା ୩୦ରେ ବାହାରି ପୁରୀରେ ୧୦ଟା ୫୫ରେ ପହଞ୍ଚୁଥିଲା। ଏହା ଢେଙ୍କାନାଳରେ ୭ଟା ୨୫ ଓ ଭୁବନେଶ୍ବରରେ ସକାଳ ୯ଟାରେ ପହଞ୍ଚେ। ଫଳରେ ଅନୁଗୁଳର ଲୋକଙ୍କୁ ବେଶ୍ ସୁବିଧା ହେଉଥିଲା। ଢେଙ୍କାନାଳ, କଟକ ଓ ଭୁବନେଶ୍ବରରେ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ କାମ ଥିବା ଲୋକେ ସକାଳୁ ଏଠାରୁ ବାହାରି କାମ ସାରି ସନ୍ଧ୍ୟାରେ ଫେରି ପାରୁଥିଲେ। ସେହିପରି ପୁରୀ ଯାଇ ମଧ୍ୟ ମହାପ୍ରଭୂଙ୍କ ଦର୍ଶନ ସାରି ଦିନକରେ ଫେରି ଆସୁଥିଲେ। ନିୟମିତ ଭାବେ ଏହି ଟ୍ରେନ୍ ଚାଲୁଥିବାରୁ ଏବଂ ଯାତ୍ରା ଆରାମଦାୟକ ଥିବାରୁ ଏହି ଟ୍ରେନ୍ ଅନୁଗୁଳ ଲୋକଙ୍କ ଜୀବନ ସହ ଯୋଡ଼ି ହୋଇ ଯାଇଥିଲା। ଏହି ଟ୍ରେନରେ ଦୈନିକ ୩ଶହରୁ ୪ ଶହ ଲୋକ ଯାଉଥିଲେ। ଶୀତ ଦିନେ ଯାତ୍ରୀ ସଂଖ୍ୟା ଅଧିକ ରହୁଥିଲା।
ମାତ୍ର କରୋନା କାରଣରୁ ଗତ ମାର୍ଚ୍ଚରୁ ଏହାକୁ ବନ୍ଦ କରି ଦିଆଯାଇଛି। ପରେ ଏହାକୁ ଚଳାଇବାକୁ ନିଷ୍ପତ୍ତି ହୋଇଥିଲେ ମଧ୍ୟ ମାତ୍ର କେଇଦିନ ପରେ ପୁଣିଥରେ ବନ୍ଦ କରାଯାଇ ଅନୁଗୁଳ ବଦଳରେ ତାଳଚେରରୁ ଚଳାଇବାକୁ ନିଷ୍ପତ୍ତି ହୋଇଛି। ଫଳରେ ଅନୁଗୁଳବାସୀ ରେଳସେବାରୁ ବଞ୍ଚିତ ହେଉଛନ୍ତି। ଏହାକୁ ନେଇ ଯାତ୍ରୀଙ୍କ ଭିତରେ ଅସନ୍ତୋଷ ବଢିଲାଣି। ରେଳ ବିଭାଗର ଏଭଳି ବିଚିତ୍ର ନିୟମକୁ ଲୋକେ ଆଉ ବରଦାସ୍ତ କରିବା ଅବସ୍ଥାରେ ନାହାନ୍ତି। ସମ୍ବଲପୁର-ପୁରୀ ଇଣ୍ଟରସିଟି ଟ୍ରେନକୁ ମଧ୍ୟ ବନ୍ଦ କରି ରଖାଯାଇଥିବାରୁ ଏହା ଉପରେ ବହୁ ଯାତ୍ରୀ ଏବେ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି।
The post ଅନୁଗୁଳରୁ ରେଳ ଛାଡ଼ିଲେ କରୋନା ମାଡ଼ିବସୁଛି! first appeared on Sambad.from ବିଶେଷ | Sambad https://ift.tt/3kGkn5W
0 Comments