୫ ବର୍ଷ ବୟସରେ ପୋଲିଓ ହେବା ପରେ ଓଡ଼ିଶା ଚାଲିଆସିଥିଲେ ପ୍ରମୋଦ, ଆଉ ତା ପରେ….

ଭୁବନେଶ୍ୱର: ବିହାରରେ ଜନ୍ମ କିନ୍ତୁ ଓଡ଼ିଶାରେ କର୍ମ | ବିହାରରେ ଶୈଶବ କଟିଛି, ହେଲେ ଓଡ଼ିଶା ଦେଇଛି ନୂଆ ପରିଚୟ | ଆଜି ଆମେ ଆପଣଙ୍କୁ ଟୋକିଓ ପାରାଲିମ୍ପିକ୍ସର ବ୍ୟାଡମିଣ୍ଟନରେ ସ୍ଵର୍ଣ୍ଣ ପଦକ ଜିତିଥିବା ପ୍ରମୋଦ ଭଗତଙ୍କ କାହାଣୀ କହିବୁ | ବିହାରର ହାଜିପୁରରେ ଜନ୍ମ ହୋଇଥିଲେ ପ୍ରମୋଦ | ତେବେ ଜନ୍ମ ହେବାର କିଛି ବର୍ଷ ପରେ ପୋଲିଓରେ ସେ ଆକ୍ରାନ୍ତ ହୋଇଥିଲେ | ଆଉ ମାତ୍ର ୫ ବର୍ଷ ବୟସରେ ତାଙ୍କ ଭଉଣୀ ଉନ୍ନତ ଚିକିତ୍ସା ପାଇଁ ପ୍ରମୋଦଙ୍କୁ ଓଡ଼ିଶା ଆଣିଥିଲେ | ଆଉ ଓଡ଼ିଶାରେ ହିଁ ସେ ନିଜର ଦୁର୍ବଳତାକୁ ଏକ ଶକ୍ତି କରି ବ୍ୟାଡମିଣ୍ଟନ ଖେଳିବା ଆରମ୍ଭ କଲେ |

ପ୍ରମୋଦଙ୍କ ବାପା-ମା’ ଗାଁରେ ରହନ୍ତି ଏବଂ ଚାଷ କରନ୍ତି। ତାଙ୍କ ବାପା ରାମ ଭଗତ କହନ୍ତି ଯେ “ସେ(ପ୍ରମୋଦ) ପିଲାଦିନରୁ କ୍ରୀଡା ପ୍ରତି ଆଗ୍ରହୀ ଥିଲେ। ସେ ଖେଳରେ ସମସ୍ତଙ୍କୁ ହରାଇ ଦେଉଥିଲେ । ତା’ପରେ ସେ ପୋଲିଓ ରୋଗରେ ଆକ୍ରାନ୍ତ ହୋଇଥିଲା। ଫଳରେ ସମସ୍ତେ ଏଥିରେ ନିରାଶ ହୋଇ ପଡ଼ିଥିଲେ’। ତାଙ୍କ ଭଉଣୀ କିଶୁନି ଦେବୀ ଏବଂ ଭିଣୋଇ କୈଳାସ ଭଗତଙ୍କର କୌଣସି ସନ୍ତାନ ନଥିବାରୁ ସେମାନେ ପ୍ରମୋଦଙ୍କୁ କୋଳେଇ ନେଇଥିଲେ | ଆଉ ଭଉଣୀ ପ୍ରମୋଦଙ୍କୁ ଭୁବନେଶ୍ୱର ନେଇଆସିଥିଲେ |

ଭୁବନେଶ୍ୱରରେ ସେ ପାଠ ପଢ଼ିଥିଲେ ଓ ଯୁକ୍ତ ଦୁଇ ପରେ ଆଇଟିଆଇ କରିଥିଲେ। ବର୍ତ୍ତମାନ ୨୮ ବର୍ଷୀୟ ପ୍ରମୋଦ ସ୍ୱାସ୍ଥ୍ୟ ବିଭାଗରେ କାର୍ଯ୍ୟ କରୁଛନ୍ତି। ପ୍ରମୋଦଙ୍କ ବଡ ଭାଇ ଗାଁରେ ଇଲେକ୍ଟ୍ରି ମିସ୍ତ୍ରୀ ଭାବରେ କାମ କରୁଥିବାବେଳେ ସାନଭାଇ ଶେଖର ଭୁବନେଶ୍ୱରରେ ଏକ ଇଲେକ୍ଟ୍ରିକାଲ ଦୋକାନ କରିଛନ୍ତି | ପ୍ରମୋଦଙ୍କର ଖେଳ ପ୍ରତି ଥିବା ନିଷ୍ଠା ଓ ଆଗ୍ରହ ତାଙ୍କୁ ଏହି ସଫଳତା ଦେଇଛି | ସେ ୨୦୧୯ରେ ଜାତୀୟ ଦଳରେ ମନୋନୀତ ହୋଇଥିଲେ। ପ୍ରମୋଦ ୨୦୧୯ ରେ ଅର୍ଜୁନ ପୁରସ୍କାର ଏବଂ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପାଇଥିଲେ।

ସୂଚନା ଥାଉ କି ପ୍ରମୋଦ ମୋଟ ୪୫ଟି ଅନ୍ତର୍ଜାତୀୟ ମେଡାଲ ଜିଣିଛନ୍ତି । ସେ ମୋଟ ୪ଟି ବିଶ୍ବ ଚାମ୍ପିଅନସିପ ଓ ୨୦୧୮ ଏସୀୟ ପାରା ଗେମ୍ସରେ ସ୍ବର୍ଣ୍ଣ ଓ ବ୍ରୋଞ୍ଜ ଜିତିଥିଲେ ।

The post ୫ ବର୍ଷ ବୟସରେ ପୋଲିଓ ହେବା ପରେ ଓଡ଼ିଶା ଚାଲିଆସିଥିଲେ ପ୍ରମୋଦ, ଆଉ ତା ପରେ…. first appeared on Sambad.

from ବିଶେଷ | Sambad https://ift.tt/2WOLeDl

Post a Comment

0 Comments