ଚାକିରିରୁ ଅବସର ପରେ ଛତୁ ଚାଷ କରୁଛନ୍ତି ଶଙ୍କର୍ଷଣ, ବାର୍ଷିକ ରୋଜଗାର ୩ ଲକ୍ଷ ଟଙ୍କା

ତେଲକୋଇ: ଆଜିକାଲି ପାଠପଢି ଅନେକ ଯୁବକଯୁବତୀ ଚାକିରି ନ ପାଇ ବେକାର ହୋଇ ବୁଲୁଥିବା ବେଳେ ଜଣେ ଚାକିରିଆ ଅବସର ପରେ ନିଜସ୍ଵ ଉଦ୍ୟମରେ ଛତୁ ଚାଷ କରି ବାର୍ଷିକ ହାରାହାରି ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିପାରୁଛନ୍ତି। ସେ ହେଉଛନ୍ତି କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ଶିବନାରାୟଣପୁରଗୋଡା ଗ୍ରାମର ୬୪ ବର୍ଷୀୟ ଶଙ୍କର୍ଷଣ ମହାନ୍ତ।

ଶିବନାରାୟଣପୁରଗୋଡାସ୍ଥିତ ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟରେ ଶଙ୍କର୍ଷଣ କିରାଣି ଥିଲେ। ୨୦୧୭ ମସିହା ଜୁନ ମାସରେ କିରାଣି ଚାକିରିରୁ ଅବସର ନେଇଛନ୍ତି। ଅବସର ପରେ ଘରେ ବସିବା ତାଙ୍କ ପକ୍ଷେ ସମ୍ଭବ ହୋଇପାରି ନାହିଁ। ସେ ବାକି ସମୟକୁ ସୁବିନିଯୋଗ କରିଛନ୍ତି। ୩ ବର୍ଷ ହେଲାଣି ସେ ନିଜସ୍ଵ ଉଦ୍ୟମରେ ଛତୁ ଚାଷ ଆରମ୍ଭ କରି ବେଶ ଦି’ ପଇସା ରୋଜଗାର କରିପାରୁଛନ୍ତି। ନିଜ ଘର ପାଖ ବାଡ଼ିରେ ଛତୁ ଚାଷ କରି ମାସିକ ପ୍ରାୟ ୨୫ ହଜାର ଟଙ୍କା ରୋଜଗାର କରୁଛନ୍ତି। ପାଳଛତୁ, ଧିଙ୍ଗିରି ଛତୁ ଚାଷ କରି ବାର୍ଷିକ ୩ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି।

୨୦୧୭ ମସିହା ଅକ୍ଟୋବର ମାସରେ ଛତୁ ବିହନ ମଞ୍ଜି ପାଇଁ ଭୁବନେଶ୍ବର ଯାଇଥିଲେ। ସୌଭାଗ୍ୟକୁ ଓଡ଼ିଶା କୃଷି ବିଶ୍ଵବିଦ୍ୟାଳୟରେ ସେ ଛତୁ ଚାଷ ସମ୍ପର୍କରେ ୫ ଦିନିଆ ପ୍ରଶିକ୍ଷଣ ନେଇଥିଲେ। ତା”ପରେ ସେ ପଛକୁ ଆଉ ଫେରି ନାହାଁନ୍ତି। ପ୍ରଥମେ ପ୍ରଥମେ ତାଙ୍କୁ କିଛି କ୍ଷତି ସହିବାକୁ ପଡ଼ିଥିଲା। ଏବେ କିନ୍ତୁ ସେ ଛତୁ ଚାଷରେ ପାରଙ୍ଗମ। ବର୍ଷ ତମାମ ଛତୁ ଚାଷ କରି ତେଲକୋଇ, ପାଲଲହଡା ଓ ଶୁଆକାଟି ପ୍ରଭୃତି ଅଞ୍ଚଳକୁ ବିଭିନ୍ନ ପ୍ରକାରର ଛତୁ ଯୋଗାଇ ଆସୁଛନ୍ତି। ଅବସର ପରେ ଘରେ ବେକାର ହୋଇ ସମୟ କାଟିବା ତାଙ୍କ ପକ୍ଷେ ସମ୍ଭବ ହେଲା ନାହିଁ। କିଛି କରିବାକୁ ମନ ସବୁବେଳେ ଆନ୍ଦୋଳିତ କଲା। ପାରିପାର୍ଶ୍ବିକ ଅବସ୍ଥିତିକୁ ଅନୁଧ୍ୟାନ କରି ସେ ଛତୁ ଚାଷ କରିବାକୁ ମନ ବଳାଇଥିଲେ। ଯାହା ତାଙ୍କୁ ଆଜି ରୋଜଗାର ଦେବା ସହିତ ଆନନ୍ଦ ଦେଇଥିବା ସେ ପ୍ରକାଶ କରିଛନ୍ତି। ଆଜିକାଲି ଯୁବକ ଯୁବତୀ ପାଠ ପଢି ଚାକିରି ପଛରେ ନ ଗୋଡ଼ାଇ ନିଜସ୍ଵ ଉଦ୍ୟମରେ ଭିନ୍ନ କିଛି କରି ନିଜେ ରୋଜଗାରକ୍ଷମ ହେବା ସହିତ ଅନ୍ୟକୁ ରୋଜଗାରର ବାଟ ଦେଖାଇବାକୁ ସେ ପରାମର୍ଶ ଦେଇଛନ୍ତି।

The post ଚାକିରିରୁ ଅବସର ପରେ ଛତୁ ଚାଷ କରୁଛନ୍ତି ଶଙ୍କର୍ଷଣ, ବାର୍ଷିକ ରୋଜଗାର ୩ ଲକ୍ଷ ଟଙ୍କା first appeared on Sambad.

from ବିଶେଷ | Sambad https://ift.tt/3ymjWl0

Post a Comment

0 Comments