
ଭଞ୍ଜନଗର: ଦୁନିଆକୁ ଭଲ ଭାବେ ଦେଖି ଚିହ୍ନି ନଥିବା ବୟସରେ ପ୍ରତିଦିନ ଜୀବନ ସହ କରିବାକୁ ପଡୁଛି ସଂର୍ଘଷ। ସାଙ୍ଗସାଥୀ ମେଳରେ ଖେଳିବା ବୁଲିବା ବୟସରେ ମାଆ କାନ୍ଧରୁ ଓହ୍ଲାଉନି। ବୟସ ମାତ୍ର ୨ ବର୍ଷ ହୋଇଥିବା ବେଳେ ଆଖି ଅସ୍ବାଭାବିକ ଭାବେ ବଢି ଆଉ କିଛି ଦେଖା ଯାଉନାହିଁ। ମୁହଁ ବିକୃତ ହୋଇ ଯାଇଥିବା ବେଳେ ଚିକିତ୍ସା ପାଇଁ ଦିନ ରାତି ଏକ କରି ଦେଇଛନ୍ତି ବାପା ମାଁ। ପୁଅର ଉତ୍ତମ ଚିକିତ୍ସା ପାଇଁ ବାପା ରାଜ୍ୟ ବାହାରକୁ ଦାଦନ ପଳାଇଥିବା ବେଳେ ନିଜ ଘରକୁ ବନ୍ଧା ପକାଇ ଦେଇଛି ମାଁ। ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଭଞ୍ଜନଗର ବ୍ଳକ ବାରୁଡ଼ା ଗ୍ରାମରେ। ଗ୍ରାମର ଜୟରାମ ନାୟକଙ୍କ ୨ ବର୍ଷର ପୁଅ ବିକାଶ ଆଖି ଯନ୍ତ୍ରଣାରେ ପ୍ରତିଦିନ ଛଟପଟ ହେଉଥିବା ବେଳେ ଜୟରାମ ତାମିଲନାଡୁ ପଳାଇଛନ୍ତି।
ପୁଅର ଚିକିତ୍ସା ପାଇଁ ଆଜି ପର୍ଯ୍ୟନ୍ତ ଦେଢଲକ୍ଷ ଟଙ୍କା ଖର୍ଚ୍ଚ ହୋଇସାରିଥିବା ବେଳେ ମାଁ ରଞ୍ଜିତା ଗାଁର ଘରକୁ ବନ୍ଧା ପକାଇ ଏବେ ନିଜ ଭାଇ ଭାଉଜ ପାଖରେ ଆଶ୍ରୟ ନେଇଛନ୍ତି। ଏଭଳି ପରିସ୍ଥିତିରେ ବିକାଶ ଚିକିତ୍ସା ନିମନ୍ତେ ସରକାରୀ ସହାୟତା ପାଇଁ ନିବେଦନ କରିଛନ୍ତି ରଞ୍ଜିତା। ରଞ୍ଜିତାର ୨ ପୁଅ ଏବଂ ଗୋଟିଏ ଝିଅ ସାନ ପୁଅ ବିକାଶ ଜନ୍ମ ହେବା ପରେ ସଂପୂର୍ଣ୍ଣ ସୁସ୍ଥ ରହିଥିଲା ହଠାତ୍ ତାକୁ ଏକବର୍ଷ ବୟସରେ ଜ୍ବର ହୋଇଥିଲା। ଆଖିରେ ସଂକ୍ରମଣ ହେବା ସହ ଆଖି ଲାଲ୍ ପଡି ବାମ ଡୋଳା ବାହାରକୁ ବାହାରିବା ଆରମ୍ଭ ହୋଇଥିଲା। ସେଠାରୁ ଶଙ୍କର ନେତ୍ରାଳୟକୁ ନେଇଥିଲେ।
ଅର୍ଥାଭାବରୁ ସ୍ବାମୀ ଦାଦନ ଖଟିବାକୁ ତାମିଲନାଡ଼ୁ ପଳାଇଥିବା ବେଳେ ନିଜ ଭାଉଜଙ୍କୁ ସାଙ୍ଗରେ ନେଇ ରଞ୍ଜିତା ବିଭିନ୍ନ ମେଡିକାଲକୁ ଘୁରି ବୁଲିଥିଲେ। ଭଞ୍ଜନଗର ଠାରୁ ଆରମ୍ଭ କରି ଜଗନ୍ନାଥପ୍ରସାଦ, ବ୍ରହ୍ମପୁର ବିଭିନ୍ନ ଡାକ୍ତରଖାନାରେ ତାର ଚିକିତ୍ସା କରାଇଥିଲେ। ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେବା ପରେ ବାଧ୍ୟ ହୋଇ ବାରୁଡ଼ା ଗ୍ରାମର ଘରକୁ ୨୦ ହଜାର ଟଙ୍କାରେ ବନ୍ଧା ପକାଇଛନ୍ତି। ଘର ବନ୍ଧା ପକାଇବା ପରେ ତିନି ସନ୍ତାନକୁ ସାଙ୍ଗରେ ନେଇ ବେଲଗୁଣ୍ଠା ବ୍ଳକ୍ ମଙ୍ଗଳପୁର ପଞ୍ଚାୟତର ଗୋଠଳି ଗ୍ରାମରେ ରହୁଥିବା ନିଜ ଭାଇ କବିରାଜ ନାୟକଙ୍କ ନିକଟରେ ଆଶ୍ରୟ ନେଇଛନ୍ତି।
ବ୍ରହ୍ମପୁର ମେଡିକାଲ୍ ପକ୍ଷରୁ ଉତ୍ତମ ଚକିତ୍ସା ନିମନ୍ତେ ଏମ୍ସ ନେବା ପାଇଁ ରେଫର କରାଯାଇଥିବା ବେଳେ ଭୂବନେଶ୍ବର ନେଇ ପୁଅର ଚିକିତ୍ସା କରିବା ନିମନ୍ତେ ପାଖରେ ଆଉ ସମ୍ବଳ ନଥିବା ବେଳେ ଏକାକୀ ରଞ୍ଜିତା ପକ୍ଷେ ଏହା ସମ୍ଭବ ନଥିବାରୁ ଭାଗ୍ୟକୁ ଆଦରି ପୁଣି ଗ୍ରାମକୁ ଫେରିଛନ୍ତି। କୋମଳ ମତି ପୁଅ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ କୌଣସି ବଦାନ୍ୟ ବ୍ୟକ୍ତି କିମ୍ବା ସରକାରୀ ସହାୟତାରେ ବିକାଶ ଚିକିତ୍ସା କରିବା ନିମନ୍ତେ ରଞ୍ଜିତା କୋହଭରା କଣ୍ଠରେ ନିବେଦନ କରିଛନ୍ତି।
The post ଖେଳିବା ବୁଲିବା ବୟସରେ ଜୀବନ ସହ ସଂଗ୍ରାମ, ଅସ୍ବାଭାବିକ ଭାବେ ବଢୁଛି ଆଖି first appeared on Sambad.from ବିଶେଷ | Sambad https://ift.tt/3zuo3Ng
0 Comments