
ପରମପାବନ ଶ୍ରୀପୁରୁଷୋତ୍ତମ ଧାମରେ ବିରାଜିତ ଦାରୁବ୍ରହ୍ମ ଶ୍ରୀଜଗନ୍ନାଥ ମହାପ୍ରଭୁ ବର୍ଷକୁ ଦୁଇଥର ରତ୍ନବେଦି ଛାଡ଼ି ପତିତଜନଙ୍କୁ ଉଦ୍ଧାର କରିବାପାଇଁ ଶ୍ରୀମନ୍ଦିର ବାହାରକୁ ଆସିଥାନ୍ତି। ଏଥିରୁ ଗୋଟିଏ ହେଉଛି ଜ୍ୟେଷ୍ଠ ପୂର୍ଣ୍ଣମୀର ସ୍ନାନଯାତ୍ରା ଏବଂ ଅନ୍ୟଟି ହେଉଛି ଆଷାଢ଼ ଶୁକ୍ଳ ଦ୍ୱିତୀୟାର ଶ୍ରୀଗୁଣ୍ଡିଚାଯାତ୍ରା। ବର୍ଷର ଅନ୍ୟାନ୍ୟ ଯାତ୍ରା, ଉପଯାତ୍ରା ଓ ଉତ୍ସବଗୁଡ଼ିକ, ସେହି ଦାରୁବ୍ରହ୍ମଙ୍କ ଆଜ୍ଞାରେ, ଅନ୍ୟ ଉତ୍ସବ-ପ୍ରତିମାମାନେ ସଂପନ୍ନ କରନ୍ତି। କିନ୍ତୁ ଏହି ଦୁଇ ଯାତ୍ରାରେ ସେ ନିଜେ ରତ୍ନସିଂହାସନରୁ ଅବତରଣ କରି ଆସି ତାହାର ନୀତି ସଂପାଦନ କରିଥାଆନ୍ତି। ସେଥିପାଇଁ ଏହା ତାଙ୍କର ‘ସ୍ୱୟଂଲୀଳା’। ଏହାକୁ ଲକ୍ଷ୍ୟ କରି କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ‘କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ’ କାବ୍ୟରେ କହିଛନ୍ତି-
ସ୍ନାନ ଗୁଣ୍ଡିଚା ଏ ବେନି ସ୍ୱୟଂ ଲୀଳା ଯା’ର
ପତିତପାବନ ଅର୍ଥେ ପ୍ରାସାଦୁଁ ବାହାର।
ଚତୁର୍ଦ୍ଧାବିଗ୍ରହ ଶ୍ରୀମନ୍ଦିରର ରତ୍ନସିଂହାସନରୁ ସାତ ପାହାଚଦେଇ ପାଟ ଅଗଣାକୁ ଆସିଥାନ୍ତି ଏବଂ ଆନନ୍ଦବଜାର ବାଟ ଦେଇ ସ୍ନାନପୂର୍ଣ୍ଣିମାଦିନ ସ୍ନାନବେଦୀକୁ ଯାଇଥାନ୍ତି। ସେହିପରି ଶ୍ରୀଗୁଣ୍ଡିଚା ଯାତ୍ରାଦିନ ଅଣସର ପିଣ୍ଡିରୁ ସେହି ସାତପାହାଚ ଦେଇ, ବାଇଶିପାହାଚ ଅତିକ୍ରମ କରି ବଡ଼ଦାଣ୍ଡର ରଥକୁ ଯାଇଥାନ୍ତି।
ଶ୍ରୀମନ୍ଦିରର ନାଟମଣ୍ଡପର ଉତ୍ତରପଟ ପ୍ରବେଶ ପଥରେ ଯେଉଁ ସାତଗୋଟି ପଥର ପାହାଚ ରହିଛି, ତାହା ‘ସାତପାହାଚ’ ନାମରେ ଖ୍ୟାତ। ସ୍ନାନପୂର୍ଣ୍ଣିମା ଦିନ ଓ ରଥଯାତ୍ରା ଦିନ, ଶ୍ରୀସୁଦର୍ଶନ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀଜଗନ୍ନାଥ ଯଥାକ୍ରମେ ପହଣ୍ଡି ହୋଇ ଏହି ପଥ ଦେଇ ବିଜେ କରିଥାନ୍ତି। ସ୍ନାନପୂର୍ଣ୍ଣିମା ଦିନ ଧାଡ଼ିପହଣ୍ଡିରେ ବିଜେ ଯାତ୍ରାକାଳରେ, ନାଟମଣ୍ଡପର ସାତପାହାଚକୁ ଓହ୍ଲାଇବା ବେଳେ, ସେଠାରେ ଦେବ ବିଗ୍ରହମାନଙ୍କର ମସ୍ତକରେ ରାଘବଦାସ ମଠ ପ୍ରଦତ୍ତ ଟାହିଆ ଓ ଚୂଳ ଲାଗି ହୋଇଥାଏ। ସେହିପରି ଶ୍ରୀଗୁଣ୍ଡିଚା ଯାତ୍ରାଦିନ ପ୍ରଥମେ ଶ୍ରୀସୁଦର୍ଶନ ବିଜେ ହୁଅନ୍ତି ଏବଂ ସେ ସାତପାହାଚ ପାଖରେ ପହଞ୍ଚିଲେ ବଡ଼ଠାକୁରଙ୍କର ରୁନ୍ଧା ଫିଟେ। ସେହିପରି, ଶ୍ରୀବଳଭଦ୍ର ସାତପାହାଚ ଦ୍ୱାର ଡେଇଁଲେ ଦେବୀ ସୁଭଦ୍ରାଙ୍କର ଏବଂ ଦେବୀ ସୁଭଦ୍ରା ସାତପାହାଚ ଡେଇଁବା ଉତ୍ତାରେ ଶ୍ରୀଜଗନ୍ନାଥଙ୍କର ରୁନ୍ଧା ଫିଟି ପହଣ୍ଡି ହୋଇଥାଏ। ଏହି ଦୃଷ୍ଟିରୁ ଶ୍ରୀମନ୍ଦିରର ଏହି ସାତପାହାଚ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ସାତପାହାଚଠାରେ ହିଁ ଠାକୁରମାନେ ରାଘବ ଦାସ ମଠ ପକ୍ଷରୁ ପ୍ରଦତ୍ତ ଟାହିଆ ଓ ଚୂଳ ପରିଧାନ କରିଥାନ୍ତି।
ଟାହିଆ ହେଉଛି ଠାକୁରମାନଙ୍କର ମସ୍ତକାଭରଣ। ମୁଖ୍ୟତଃ ଏହା ବାଉଁଶ ପାତିଆ, ସୋଲ ଓ ଜରିରେ ତିଆରି। ତା’ ଭିତରେ ଅମୃତଭଣ୍ଡୀମାନ ଦିଆଯାଇଥାଏ। ସୋଲରେ ମାଧବୀପତ୍ର ଗୋଲ ଭାବରେ କଟାଯାଇ ସେହି ଅମୃତଭଣ୍ଡୀ ଉପରେ ବସାଯାଏ। ଟାହିଆର ଶୀର୍ଷ ଦେଶରେ ଦୂବ ଓ ପୁଷ୍ପଗୁଚ୍ଛ ସଂଲଗ୍ନ କରାଯାଇଥାଏ। ବିଭିନ୍ନ ଫୁଲରେ ସୁସଜ୍ଜିତ ଟାହିଆ ଅତ୍ୟନ୍ତ ଆକର୍ଷଣୀୟ ହୋଇଥାଏ। ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନଙ୍କର ଟାହିଆର ଆକାର ହୋଇଥାଏ ଟୋପର ପରି।
ଟାହିଆ ସେବାଟି ରାଘବଦାସ ମଠର। ଚତୁର୍ଦ୍ଧାମୂର୍ତ୍ତିଙ୍କ ନିମନ୍ତେ ସମଗ୍ର ଯାତ୍ରାରେ ଉକ୍ତ ମଠ ସମୁଦାୟ ୨୪ ଗୋଟି ଟାହିଆ ପ୍ରଦାନ କରିଥାନ୍ତି। ଦୁଇଯାତ୍ରାରେ ସର୍ବମୋଟ ଛଅଥର ପହଣ୍ଡି ହୋଇଥାଏ। ସ୍ନାନପୂର୍ଣ୍ଣିମା ଦିନ ଠାକୁରମାନେ ସାତ ପାହାଚ ଦେଇ ସ୍ନାନ ମଣ୍ଡପକୁ ବିଜେ କରିବା ସମୟରେ, ସେମାନଙ୍କର ମସ୍ତକରେ ଟାହିଆ ଲାଗି ହୋଇଥାଏ। ସ୍ନାନବେଦିରୁ ଫେରି ଠାକୁରମାନେ ଏହି ପାହାଚ ଦେଇ ବଡ଼ଦେଉଳକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି। ସେହିପରି ଶ୍ରୀଗୁଣ୍ଡିଚା ଦିନ ଚତୁର୍ଦ୍ଧା ବିଗ୍ରହ ଏହି ସାତପାହାଚ ଦେଇ ରଥକୁ ବିଜେ କରିଥାନ୍ତି ଓ ବିଜେକାଳରେ ଏହିଠାରେ ହିଁ ଟାହିଆ ଲାଗି ହୋଇଥାଏ। ସେହିପରି ରଥରୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଏବଂ ଶ୍ରୀଗୁଣ୍ଡିଚା ମନ୍ଦିରରୁ ରଥକୁ ଆଉ ଦୁଇଥର ପହଣ୍ଡି ହୋଇଥାଏ। ନୀଳାଦ୍ରିବିଜେ ଦିନ ଏହି ପାହାଚ ଦେଇ ଠାକୁରମାନେ ପୁନଶ୍ଚ ବଡ଼ଦେଉଳକୁ ପ୍ରବେଶ କରିଥାନ୍ତି। ଏହି ଛଅ ଥରର ପହଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପାଇଁ ୪ଟି କରି ମୋଟ ୨୪ଟି ଟାହିଆ ଲାଗି ହୋଇଥାଏ।
କଥିତ ଅଛି, ପୁରାଣବିଦିତ ସପ୍ତଋଷି ଏହି ସାତପାହାଚଠାରେ ଦାରୁରୂପୀ ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ କରିଥାନ୍ତି। ସେଥିପାଇଁ ଏହି ପାହାଚଶ୍ରେଣୀକୁ ସାତପାହାଚ କୁହାଯାଏ।
ଏହି ସାତପାହାଚ ନିକଟରେ ଏକ ପନ୍ତିଘର ରହିଛି। ଠାକୁରମାନେ ପହଣ୍ଡି ହୋଇ ସାତପାହାଚକୁ ଆସିଲେ ସେଠାରେ ପନ୍ତିଭୋଗ କରାଯାଇଥାଏ।
ଏହିପରି ଭାବରେ, ଶ୍ରୀମନ୍ଦିର ଭିତରବେଢ଼ାରେ ଥିବା ସାତପାହାଚର ଅନେକ ବିଶେଷତ୍ୱ ରହିଛି।
ମୋ: ୭୯୭୮୯୬୨୧୧୯
The post ସାତପାହାଚ first appeared on Sambad.from ବିଶେଷ | Sambad https://ift.tt/3r1lKOf
0 Comments