ଦୁଇ ଦଶନ୍ଧୀର ପରମ୍ପରା: ଶ୍ରୀଜିଉଙ୍କ ତିନିରଥ ପାଇଁ ଖୋର୍ଦ୍ଧାରୁ ଯିବ ସୋଲଫୁଲ

ଖୋର୍ଦ୍ଧା: ଖୋର୍ଦ୍ଧା ସହ ପୁରୀ ଶ୍ରୀମନ୍ଦିରର ସମ୍ପର୍କ ଯେପରି ପୌରାଣିକ ସେପରି ଐତିହାସିକ । ଶ୍ରୀମନ୍ଦିରର ସୁରକ୍ଷା ପାଇଁ ପାଇକଙ୍କ ସଂଗ୍ରାମ ଓ ରାଜପରିବାରର ଶ୍ରୀମନ୍ଦିର ସେବାର ଉତ୍ତରାଧିକାର ପାଇଁ ବ୍ରିଟିଶଙ୍କ ବିରୋଧରେ କୋର୍ଟରେ ବିଜୟ ଠାରୁ ଆରମ୍ଭ କରି ବର୍ତମାନ ଖୋର୍ଦ୍ଧା ସହରରୁ କାର୍ତିକ ମାସରେ ଫୁଲ, ଖୋର୍ଦ୍ଧାର ବୋଲଗଡ଼ରୁ ଚତୁର୍ଦ୍ଧାମୂର୍ତିଙ୍କ ପାଇଁ ବସ୍ତ୍ର, ଗୁରୁଜଙ୍ଗରୁ ରଥ ପାଇଁ ସୋଲଫୁଲ ପଠାଇବାର ପରମ୍ପରା ଅତି ପରିଚିତ । ଗତ ଦୁଇ ଦଶନ୍ଧୀ ଧରି ରଥଯାତ୍ରାରେ ରଥ ସଜାଇବା ପାଇଁ ସୋଲଫୁଲ ପ୍ରସ୍ତୁତ କରୁଥିବା ଗୁରୁଜଙ୍ଗର ରାଜକିଶୋରଙ୍କ ପରିବାରରେ ଏବେ ଉତ୍ସବର ପରିବେଶ ।

ଗୁରୁଜଙ୍ଗ ଭୋଇ ସାହିର ସୁଦର୍ଶନ ନାୟକଙ୍କ ୫ ଭାଇ ବୀରକିଶୋର, ଧନେଶ୍ୱର, ଗଣେଶ ଓ ରାଜକିଶୋର ଏବଂ ତାଙ୍କ ପରିବାର ଗତ ୨୦ ବର୍ଷ ଧରି ରଥ ଯାତ୍ରା ସମୟରେ ତିନିରଥ ସଜାଇବା ପାଇଁ ସୋଲଫୁଲ ପ୍ରସ୍ତୁତ କରି ଦେଇଥାନ୍ତି । ଏହି ପ୍ରସ୍ତୁତ କରିବା ସଂପୂର୍ଣ୍ଣ ଭାବେ ଭକ୍ତିମୂଳକ । ଏଥିପାଇଁ କୌଣସି ପ୍ରାଶାସନିକ ପ୍ରୋତ୍ସାହନ ନାହିଁ । କୌଣସି କୌଣସି ସମୟରେ ଭକ୍ତଙ୍କ କିଛି କିଛି ସହାୟତା ମିଳିଯାଏ, କିନ୍ତୁ ପ୍ରଭୁଜଗନ୍ନାଥଙ୍କ ପ୍ରେମରେ ହିଁ ସେ ନିଜ ଖର୍ଚ୍ଚରେ ଏହି କାର୍ଯ୍ୟ କରିଆସୁଛନ୍ତି ।

ରାଜକିଶୋରଙ୍କ କହିବା କଥା ହେଲା, ୨୦୦୦ ମସିହାରେ ପ୍ରଥମେ ସେ ରଥରେ ସୋଲଫୁଲ ସଜାଇବା ପାଇଁ ପ୍ରଶାସନର ଅନୁମତି ଲୋଡ଼ିଥିଲେ । ଶ୍ରୀମନ୍ଦିର ପ୍ରଶାସନର ଅନୁମତି ମିଳିବା ପରଠାରୁ ପ୍ରତିବର୍ଷ ସେ ଓ ତାଙ୍କ ପରିବାର ନିରବଚ୍ଛିନ୍ନ ଭାବେ ଏହି କାମ କରିଆସୁଛନ୍ତି । ତେବେ କରୋନା ମହାମାରୀ କଟକଣା ଆଦିରେ ସୋଲଫୁଲ ସମୟାନୁସାରେ ସଂଗ୍ରହ କରିବାରେ କିଛି ସମସ୍ୟା ସୃଷ୍ଟି ହୋଇଥିଲା । ଗତବର୍ଷ ରଥଯାତ୍ରା ବନ୍ଦ ହେବ ବୋଲି ଶୁଣି ସେ ଓ ତାଙ୍କ ପରିବାରଙ୍କୁ ଅନେକ କଷ୍ଟ ଦେଇଥିଲା । ତଥାପି ରଥଯାତ୍ରା ହେବବୋଲି ଭରସାରେ ସୋଲଫୁଲ ପ୍ରସ୍ତୁତ କରିରଖିଥିଲେ । ଶେଷରେ ପ୍ରଭୁଙ୍କ କୃପାରୁ ରଥଯାତ୍ରାକୁ ସୁପ୍ରିମକୋର୍ଟଙ୍କ ଠାରୁ ଅନୁମତି ମିଳିଥିଲା ।

ସୁଦର୍ଶନ ନାୟକ କହିଛନ୍ତି, ସାଧାରଣତଃ ଭାବେ ସୋଲ ପାଇଁ ବାଙ୍କି, କୋଣାର୍କ, ନିମାପଡ଼ା, କାକଟପୁର, ଗୋପ, କଣାସ ଆଦି ଆଦ୍ରଭୂମୀରେ ବଢ଼ୁଥିବା ଏକ ନିର୍ଦ୍ଦିଷ୍ଟ ପ୍ରଜାତିର ଗଛର କାଠକୁ ସଂଗ୍ରହ କରିବାକୁ ପଡ଼ିଥାଏ । କାର୍ତିକ ମାସରୁ ଏହାର ସଂଗ୍ରହ କାର୍ଯ୍ୟରେ ଲାଗିଥାନ୍ତି । ସେଗୁଡ଼ିକୁ ଶୁଖାଇ ସେଥିରୁ କଦମ୍ବ, ସେବତୀ ଭଳି କୃତ୍ରିମ ଫୁଲ ପ୍ରସ୍ତୁତ କରିଥାନ୍ତି । ଅକ୍ଷୟତୃତୀୟା ଠାରୁ ପରିବାରର ସଦସ୍ୟମାନେ ନିଜ ଦୈନନ୍ଦିନ ଜୀବିକା ସହ ସୋଲଫୁଲ ପ୍ରସ୍ତୁତ କାମରେ ଲାଗିଥାନ୍ତି । ପରିବାରର ସଦସ୍ୟମାନେ ନୂଆ ଲୁଗା ପିନ୍ଧି ପୂଜାର୍ଚ୍ଚନା କରିବା ପରେ ଏହି ଫୁଲ ପ୍ରସ୍ତୁତ କରିଥାନ୍ତି । ଏଥିରେ କୌଣସି ରାସାୟନିକ ରଙ୍ଗ ଦିଆଯାଏ ନାହିଁ ।

ଏହି କାର୍ଯ୍ୟ ପାଇଁ ସେମାନଙ୍କୁ କୌଣସି ଆର୍ଥିକ ଲାଭ ମିଳୁନାହିଁ, କିନ୍ତୁ ଜଗତରନାଥ ଜଗନ୍ନାଥଙ୍କ ପାଇଁ ଗୁଣ୍ଡୁଚି ଭଳି ଏହି ସେବାକାର୍ଯ୍ୟ କରୁଥିବାରୁ ସେମାନେ ନିଜକୁ ଧନ୍ୟମନେ କରନ୍ତି ଓ ଏହି କାର୍ଯ୍ୟହିଁ ସେମାନଙ୍କ ପାଇଁ ସବୁଠାରୁ ଅମୂଲ୍ୟ ଧନ ବୋଲି ମନେକରନ୍ତି ବୋଲି ବୀରକିଶୋର କହନ୍ତି ।

The post ଦୁଇ ଦଶନ୍ଧୀର ପରମ୍ପରା: ଶ୍ରୀଜିଉଙ୍କ ତିନିରଥ ପାଇଁ ଖୋର୍ଦ୍ଧାରୁ ଯିବ ସୋଲଫୁଲ first appeared on Sambad.

from ବିଶେଷ | Sambad https://ift.tt/3yLKAEv

Post a Comment

0 Comments