
ନୂଆଦିଲ୍ଲୀ: ‘ଇଲେକ୍ଟ୍ରୋନ୍-ସେୟାରିଙ୍ଗ୍ ଆଲ୍କାଲି ମେଟାଲ୍’ (କୌଣସି ଧାତୁର ମୌଳିକ ଲବଣ) ଚାରିପଟେ ପାଣିର ପତଳା ଆସ୍ତରଣକୁ ଝଟକୁ ଥିବା ସୁବର୍ଣ୍ଣ ଧାତୁରେ ପରିଣତ କରିବାରେ ଚେକ୍ ଦେଶ ଅନ୍ତର୍ଗତ ପ୍ରାଗ୍ର ଗବେଷକମାନେ ସଫଳ ହୋଇଛନ୍ତି। ମାତ୍ର ଅଳ୍ପ କେତେ ସେକେଣ୍ଡ୍ ପାଇଁ ଏହା ସମ୍ଭବପର ହୋଇଥିଲେ ବି ସାଧାରଣତଃ ଏଥିପାଇଁ ଆବଶ୍ୟକ ହେଉଥିବା ଉଚ୍ଚମାତ୍ରାର ଚାପ ଓ ତାପ ଆବଶ୍ୟକ ହୋଇ ନ ଥିଲା।
ବିଦ୍ୟୁତ୍ କୁପରିବାହୀ ଆବରଣରେ ଆବୃତ କୌଣସି ଧାତବୀୟ ପଦାର୍ଥରେ ଚାପ ପ୍ରୟୋଗ କରି ସୁନା ଉତ୍ପତ୍ତି କରାଯାଇପାରେ। କିନ୍ତୁ, ଜଳର ଉପାଦାନକୁ ସୁନାରେ ପରିଣତ କରିବା ଲାଗି ୪୮ ମେଗାବାର୍ ଚାପ (ବାୟୁମଣ୍ଡଳର ଚାପ ଠାରୁ ୪,୭୩,୭୨,୩୧୬ ଅଧିକ) ଆବଶ୍ୟକ ହୋଇଥାଏ। ମାତ୍ର ଏତେ ପରିମାଣର ଚାପ ପ୍ରୟୋଗ କରିବା ସାମ୍ପ୍ରତିକ ପରୀକ୍ଷା ସାମର୍ଥ୍ୟ ବାହାରର କଥା।
ଏତେ ପରିମାଣର ଉଚ୍ଚ ଚାପ କେବଳ ପ୍ରକାଣ୍ଡ ଗ୍ରହ କିଂବା ନକ୍ଷତ୍ରର ଅଭ୍ୟନ୍ତରରେ ସମ୍ଭବପର। ତେଣୁ, ଉକ୍ତ ଗ୍ରହ ବା ନକ୍ଷତ୍ର ଅଭ୍ୟନ୍ତରରେ ଥିବା ମଲିକ୍ୟୁଲ୍ (କ୍ଷୁଦ୍ରାତିକ୍ଷୁଦ୍ର କଣିକା ସମୂହ) ଏତେ ଟାଣ ହୋଇ ଏକତ୍ର ହୋଇଯିବେ ଯେ, ସେମାନଙ୍କ ବାହ୍ୟାଂଶରେ ଥିବା ଇଲେକ୍ଟ୍ରୋନ୍ଗୁଡ଼ିକୁ ପରସ୍ପର ସହ ବାଣ୍ଟାକୁଣ୍ଟା କରିବେ। ଫଳରେ ତାହା ବିଦ୍ୟୁତ୍ରେ ପରିଣତ ହୋଇଯିବ। ନେପ୍ଚ୍ୟୁନ୍ ଏବଂ ୟୁରାନ୍ସ୍ରେ ଜଳ ଏହି ଅବସ୍ଥାରେ ଥିବା କଥା ପଦାର୍ଥ ବିଜ୍ଞାନୀମାନେ କହୁଛନ୍ତି।
ସେ ଯାହା ହେଉନା କାହିଁକି, ପ୍ରାଗ୍ସ୍ଥିତ ‘ଚେକ୍ ଏକାଡେମି ଅଫ୍ ସାଇନ୍ସେସ୍’ର ଗବେଷକମାନେ ବିନା ଉଚ୍ଚ ଚାପରେ ଅଳ୍ପ କେତେ ମୁହୂର୍ତ୍ତ ପାଇଁ ପାଣିକୁ ଧାତବୀୟ ଅବସ୍ଥାରେ ରଖିବାରେ ସମର୍ଥ ହୋଇଥିଲେ।
‘ନେଚର୍’ ପତ୍ରିକାରେ ପ୍ରକାଶିତ ଏହି ଗବେଷଣା ଆଲେଖ୍ୟରେ ଉଲ୍ଲେଖ ଅଛି ଯେ, ପରୀକ୍ଷାଗାରରେ ଚାପ ଗ୍ରହଣ କରିପାରୁଥିବା ଜଳ ‘ସୁପର୍ସୋନିକ୍’ ହେବାରେ ସର୍ବତ୍ତୋମ। ଅତ୍ୟଧିକ ଉଚ୍ଚ ତାପମାତ୍ରା ଏବଂ ଚାପରେ ରହି ଜଳର ମଲିକ୍ୟୁଲ୍ ସବୁ ଭାଙ୍ଗି ପୃଥକ୍ ହେବା ସହ ଉଚ୍ଚ ପ୍ରୋଟନ୍ କଣ୍ଡକ୍ଟିଭିଟି ହୋଇ ମଧ୍ୟ ଅଣଧାତବୀୟ ଅବସ୍ଥାରେ ରହିବାକୁ ‘ସୁପର୍ସୋନିକ୍’ କୁହାଯାଏ। ଏହାଦ୍ବାରା ବଗେଷକମାନେ ଦର୍ଶାଇ ପାରିଛନ୍ତି ଯେ, ବ୍ୟାପକ ଇଲେକ୍ଟ୍ରୋନିକ୍ ଆସ୍ତରଣ ଦେଇ ଧାତବୀୟ ଜଳ ଦ୍ରବଣ ପ୍ରସ୍ତୁତି କରିହେବ।
ଏଥିପାଇଁ ସେମାନେ ଗୋଟିଏ ବାୟୁଶୂନ୍ୟ ପାତ୍ରରେ ସୋଡିୟମ୍ ଓ ପଟାସିୟମ୍ର ତରଳ ମିଶ୍ରଣକୁ ରଖିଲେ। ପରେ ଗୋଟିଏ ସିରିଞ୍ଜ୍ ଯୋଗେ ଏହି ମିଶ୍ରଣର କଣିକା ପ୍ରସ୍ତୁତ କଲେ। ତା’ପରେ ପ୍ରତି କଣିକାକୁ ସେମାନେ ଅଳ୍ପ ପରିମାଣର ଘନୀଭୂତ ଜଳୀୟବାଷ୍ପ ସଂସ୍ପର୍ଶରେ ଆଣିବାରୁ ସେଗୁଡ଼ିକରେ ଗୋଟିଏ ମାଇକ୍ରୋମିଟର୍ର ୧୦ ଭାଗରୁ ଭାଗେ ବହଳର ଆସ୍ତରଣ ପଡ଼ିଲା।
ଫଳତଃ, ସୋଡିୟମ୍ ଓ ପଟାସିୟମ୍ କଣିକାରେ ଥିବା ଇଲେକ୍ଟ୍ରୋନ୍ ତୁରନ୍ତ ପାଣିରେ ମିଶିଗଲା ଏବଂ ଅଳ୍ପ କେତେ ସେକେଣ୍ଡ୍ ମଧ୍ୟରେ ପାଣି ସୁନା ପାଲଟି ଗଲା।
The post ପାଣିକୁ ସୁନାରେ ପରିଣତ କଲେ ଗବେଷକ first appeared on Sambad.from ବିଶେଷ | Sambad https://ift.tt/3if9hUp
0 Comments