
ରାୟଗଡ଼ା: ପୋଲ ନିର୍ମାଣକୁ ବିତିଲାଣି ୨୬ ବର୍ଷ। ଖର୍ଚ୍ଚଠୁ ଅଧିକ ଟୋଲ୍ ମଧ୍ୟ ଆଦାୟ ହେଲାଣି। ଅଥଚ ବାର୍ଷିକ ଟୋଲ୍ ଟେଣ୍ଡରକୁ ବନ୍ଦ କରୁନି ଓଡ଼ିଶା ସେତୁ ନିର୍ମାଣ ନିଗମ। ପଇସା ବଢ଼ା, ଗାଡ଼ି ଗଡା ନୀତିରେ ଫତୁଆ ଜାରି କରି ଆଦାୟ କରି ଚାଲିଛି ଟୋଲ୍। ସ୍ଥାନୀୟ ଲୋକଙ୍କୁ ବି ଯାତାୟାତରେ କୋହଳ କରାଯାଉନଥିବାରୁ ଟୋଲ୍ ଆଦାୟକୁ ନେଇ ଜନ ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି।
ଗୁଣପୁର ବଂଶଧାରା ନଦୀ ଉପରେ ପୋଲ ନିର୍ମାଣ ପାଇଁ ୧୯୮୬ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ୧୯୯୪ ମସିହାରେ ନିର୍ମାଣ ଶେଷ ହେବା ପରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ପୋଲର ଉଦଘାଟନ କରିଥିଲେ। ପୋଲ ନିର୍ମାଣରେ ସାଢ଼େ ୩ କୋଟି ଖର୍ଚ୍ଚ ହୋଇଥିବାରୁ ସେତୁ ନିଗମ ପୋଲ ଦେଇ ଯାତାୟାତ କରୁଥିବା ଯାନବାହନରୁ ଟୋଲ୍ ଆଦାୟ ପାଇଁ ଟେଣ୍ଡର ଡାକିଥିଲା। ୧୯୯୫ରେ ବାର୍ଷିକ ୧୦ ଲକ୍ଷ ଟଙ୍କା ଟେଣ୍ଡରରେ ଆରମ୍ଭ ହୋଇଥିଲା ଟୋଲ୍ ଆଦାୟ। ଯାହା ଆଜି ପର୍ଯ୍ୟନ୍ତ ଚାଲିଛି। ସେପଟେ ବାର୍ଷିକ ଟେଣ୍ଡର ୧୦ ଲକ୍ଷରୁ ଆରମ୍ଭ ହୋଇ ଏବେ ୪୭ ଲକ୍ଷରେ ପହଞ୍ଚିଲାଣି।
୨୦୨୦ରେ ବାର୍ଷିକ ଟେଣ୍ଡର ୩୬ ଲକ୍ଷ ଥିବା ବେଳେ ୨୦୧୯ ରେ ଥିଲା ୩୦ ଲକ୍ଷ। ଦୈନିକ ପୋଲ ଦେଇ ଯାତାୟାତ କରୁଥିବା ଅଟୋ ଗୁଡ଼ିକରୁ ୧୦ ଟଙ୍କା, କାର ବାବଦକୁ ୧୫ରୁ ୨୦ ଟଙ୍କା, ବସ୍ ଗୁଡ଼ିକରୁ ୩୦ ଟଙ୍କା, ୬ ଚକିଆ ଟ୍ରକରୁ ୩୦, ୧୦ ଚକିଆ ଟ୍ରକ୍, ଭାରିଯାନ, ଟ୍ରଲର ସହିତ ଅନ୍ୟ ମାଲବାହୀ ଗାଡ଼ିରୁ ୩୦୦ ଏବଂ ତଦୁର୍ଧ ଟଙ୍କାର ଟୋଲ୍ ଆଦାୟ ହେଉଛି। ପୋଲ ପାଇଁ ଖର୍ଚ୍ଚ ହୋଇଥିବା ଅର୍ଥଠାରୁ ଅଧିକ ଟଙ୍କା ଟୋଲ୍ ଆଦାୟ ହୋଇସାରିଥିବାରୁ ଟୋଲ୍ ଗେଟକୁ ଉଠାଇ ଦେବାକୁ ବିଭିନ୍ନ ମହଲରେ ଦାବି ହୋଇଛି।
ସ୍ଥାନୀୟ ଲୋକେ ଏ ନେଇ ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ହେଲେ କିଛି ସୁଫଳ ମିଳୁନଥିବାରୁ ଟୋଲ୍ ଆଦାୟକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି। ବଂଶଧାରା ଭଳି ରାଜ୍ୟର ଅନ୍ୟ ପ୍ରମୁଖ ନଦୀ ଋଷିକୂଲ୍ୟା, ବୈତରଣୀ, ମହାନଦୀ, ବ୍ରାହ୍ମଣୀ ଉପରେ ସେତୁ ନିଗମ ପୋଲ ନିର୍ମାଣ କରିଛି। କିନ୍ତୁ ସଂପୃକ୍ତ ଅଞ୍ଚଳର ଜନପ୍ରତିନିଧିଙ୍କ ବିରୋଧ ଯୋଗୁ ସେତୁ ନିଗମ ଟୋଲ୍ ଆଦାୟକୁ ବନ୍ଦ ରଖିଛି। ଅଥଚ ଗୁଣପୁରରେ ଟୋଲ୍ ଆଦାୟ ଜାରି ରହିଛି। ଜିଲ୍ଲାର ପ୍ରଶାସନିକ ଅଧିକାରୀ, ନେତା, ମନ୍ତ୍ରୀ, ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ଟୋଲ୍ ଦେବାକୁ ପଡୁନଥିବାରୁ ଲୋକଙ୍କ ସମସ୍ୟାକୁ ସଭିଁଏ ଅଣଦେଖା କରି ଚାଲିଛନ୍ତି।
ସୂଚନାଯୋଗ୍ୟ, ଦୈନିକ ଗୁଣପୁର ଉପଖଣ୍ଡ ସଦର ମହକୁମା ସମେତ ଗଞ୍ଜାମ, ଗଜପତି, ବିଶାଖାପାଟଣାକୁ ଯାତାୟାତ ପାଇଁ ଶହ ଶହ ଯାନବାହନ ଏହି ପୋଲ ଉପରେ ନିର୍ଭର କରନ୍ତି। ସରକାରୀ, ବେସରକାରୀ କାର୍ଯ୍ୟ ସହିତ ମେଡ଼ିକାଲ୍ କାମରେ ଲୋକମାନେ ଯାଉଥିବା ବେଳେ ଗାଡ଼ି ପୋଲ ଅତିକ୍ରମ କରିବାକୁ ଆଦାୟ କରାଯାଉଛି ଟୋଲ୍। ବିକାଶ ପାଇଁ ଟଙ୍କାର ଅଭାବ ନଥିବା କଥା ରାଜ୍ୟ ସରକାର କହୁଥିବା ବେଳେ ଗୁଣପୁର ଉପଖଣ୍ଡ ସଦର ମହକୁମା ବଂଶଧାରା ପୋଲରେ ଯାତାୟାତ ପାଇଁ ଟୋଲ୍ ଆଦାୟ ଲାଗି ଅନୁମତି ଦେବାକୁ ନେଇ ଉଠିଛି ପ୍ରଶ୍ନ।
The post ୨୬ ବର୍ଷ ହେଲା ବଂଶଧାରା ପୋଲରେ ଚାଲିଛି ଟୋଲ୍ ଆଦାୟ, ବଢ଼ୁଛି ଜନ ଅସନ୍ତୋଷ first appeared on Sambad.from ବିଶେଷ | Sambad https://ift.tt/3rFcG1Q
0 Comments