
ଲଣ୍ଡନ: ଅଫିସର ଜଣେ କର୍ମଚାରୀ ଗର୍ଭବତୀ ହେବା ପରେ ତାଙ୍କୁ ଦରମା ନ ଦେବାକୁ ନିଷ୍ପତ୍ତି ନେଲା କମ୍ପାନୀ | ଆଉ ଦରମା କଥା ଦୂରେ ଥାଉ ତାଙ୍କୁ ଚାକିରିରୁ ମଧ୍ୟ ଛଟେଇ କରାଗଲା | ଆଉ ଏହି ଭୁଲ ପାଇଁ ଏବେ କମ୍ପାନୀକୁ ୬୬ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ପଡିବ | ଛଟେଇର ଶିକାର ହୋଇଥିବା ମହିଳାଙ୍କୁ ଏହି କ୍ଷତିପୂରଣ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି | ଲଣ୍ଡନରେ ଏମିତି କିଛି ଘଟଣା ଘଟିଛି | ମିଳିଥିବା ସୂଚନା ମୁତାବକ ବ୍ରିଟେନର ମାୟା ଜିଓଗେଭ୍ ଜୁଲାଇ ୨୦୧୮ ରେ ମଞ୍ଚେଷ୍ଟରରେ ଥିବା ପର୍ସନାଲ ଇନ୍ସଲଭେନ୍ସି କମ୍ପାନୀରେ କାମ କରିବା ଆରମ୍ଭ କରିଥିଲେ। ସେହି ବର୍ଷ ଅଗଷ୍ଟ ୨୯ ରେ, ସେ ଜାଣିବାକୁ ପାଇଥିଲେ ଯେ ସେ ଗର୍ଭବତୀ ଅଛନ୍ତି।
ଏହା ପରେ ସେ ଅଫିସ ନ ଯାଇ ଘରୁ କାମ ଆରମ୍ଭ କଲେ। ପରେ ମହିଳା ଜଣକ ତାଙ୍କ ଅବସ୍ଥା ବିଷୟରେ ମାନବସମ୍ବଳ ମୁଖ୍ୟ ସୁଜାନେ ଗ୍ରୀଭସଙ୍କୁ କହିଥିଲେ। ତେବେ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଡାନିଏଲ ମୋରିସ ତାଙ୍କୁ ଅକ୍ଟୋବର ମାସରେ ଚାକିରିରୁ ବାହାର କରିଦେଇଥିଲେ | ପରିଚାଳନା ନିର୍ଦ୍ଦେଶକ, ମାୟାଙ୍କୁ କହିଥିଲେ ଯେ ସେ ଗର୍ଭବତୀ ଥିବାରୁ, ଅସୁସ୍ଥ କର୍ମଚାରୀଙ୍କୁ ଦରମା ଦେଇ ପାରିବେ ନାହିଁ | ଏହା ପରେ ମାୟା ଜିଓଗିଭ୍ କମ୍ପାନୀକୁ ଏକ ଚିଠି ଲେଖିଥିଲେ ଓ ଏପରି ନ କରିବାକୁ ଅନୁରୋଧ କରିଥିଲେ । ତେବେ କମ୍ପାନୀ ତାଙ୍କ ଆବେଦନ ଉପରେ କୌଣସି ଧ୍ୟାନ ଦେଇନଥିଲା। ଏହି କାରଣରୁ, ମାନସିକ ଚାପ ଯୋଗୁଁ ଡିସେମ୍ବର ୨୦୧୮ ରେ ତାଙ୍କର ଗର୍ଭପାତ ହୋଇଯାଇଥିଲା |
ଏହା ପରେ ମାୟା ତାଙ୍କ ବିରୋଧରେ କରାଯାଇଥିବା ଅନ୍ୟାୟ ବିରୋଧରେ ଲେବର ଟ୍ରିବ୍ୟୁନାଲରେ ଏକ ମାମଲା ଦାୟର କରିଥିଲେ। ଜଷ୍ଟିସ ହିଲାରୀ ସ୍ଲେଟରଙ୍କ ନେତୃତ୍ୱରେ ଗଠିତ ଟ୍ରିବ୍ୟୁନାଲ ଏହି ମାମଲାର ଶୁଣାଣି ପରେ କମ୍ପାନୀ ବିରୋଧରେ ନିର୍ଦ୍ଦେଶ ଜାରି କରିଛନ୍ତି। ଟ୍ରିବ୍ୟୁନାଲ କହିଛନ୍ତି ଯେ ଚାକିରି ଛଡ଼ାଇନେବା ଏବଂ ଭାବନାକୁ କ୍ଷତି ପହଞ୍ଚାଇଥିବା ପାଇଁ କମ୍ପାନୀକୁ ୬୫ ହଜାର ପାଉଣ୍ଡ ଅର୍ଥାତ୍ ୬୬ ଲକ୍ଷ ଟଙ୍କା କ୍ଷତିପୂରଣ ଭାବେ ମାୟାଙ୍କୁ ଦେବାକୁ ପଡିବ |
The post ଗର୍ଭବତୀଙ୍କୁ ଚାକିରିରୁ ଛଟେଇ କରିଥିବାରୁ ଏହି କମ୍ପାନୀ ଦେବାକୁ ପଡିବ ୬୬ ଲକ୍ଷ ଟଙ୍କାର ଅନୁକମ୍ପା ରାଶି first appeared on Sambad.from ବିଶେଷ | Sambad https://ift.tt/3eOZgeg
0 Comments