କୌଳିକ ବୃତ୍ତିକୁ କରୋନା ଛାଟ; ବୁଲୁନି କୁମ୍ଭାରର ଚକ, ଶୁଭୁନି କମାରର ହାତୁଡ଼ି ଶବ୍ଦ

ବୁଗୁଡ଼ା: କରୋନା ମହାମାରୀର ପ୍ରାଦୁର୍ଭାବ କୌଳିକ ବୃତ୍ତିକୁ ବିଶେଷ ଭା‌ବେ ପ୍ରଭାବିତ କରିଛି। ବିଭିନ୍ନ ସମୟରେ କଟକଣା ଯୋଗୁଁ କୌଳିକ ବୃତ୍ତିକୁ ଆପଣାଇ ଜୀବନଜୀବିକା ନିର୍ବାହ କରୁଥିବା ବୁଗୁଡ଼ା ଅଞ୍ଚଳର ଶତାଧିକ କମାର ଓ କୁମ୍ଭକାରଙ୍କ ଆର୍ଥିକ ସ୍ଥିତି ଦୋହଲିଯାଇଛି। କୁମ୍ଭାରର ଚକ ଆଉ ବୁଲୁ ନଥିବା ବେଳେ କମାରର ହାତୁଡ଼ି ନିରବି ଯାଇଛି। କାମଧନ୍ଦା ହରାଇ ସେମାନେ ଦୁର୍ବିଷହ ଜୀବନ କାଟୁଛନ୍ତି।

ବୁଗୁଡ଼ା ବ୍ଲକ୍ ଅଧୀନ ବିଭିନ୍ନ ଗ୍ରାମା‌ଞ୍ଚଳରେ ଥିବା ଶତାଧିକ କୁମ୍ଭାର ପୂଜାପାର୍ବଣ, ବିବାହବ୍ରତ ସମେତ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ପାଇଁ କଳସ ଓ ସରାଠୁ ଆରମ୍ଭ କରି ବିଭିନ୍ନ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ପ୍ରସ୍ତୁତ କରିଥିଲେ। କିନ୍ତୁ ବର୍ତ୍ତମାନ ସମସ୍ତ ମାଙ୍ଗଳିକ କାର୍ଯ୍ୟକ୍ରମ ଉପରେ ସରକାର କଟକଣା ଜାରି ରଖିଥିବାରୁ ଏହା ତା’ର ବୃତ୍ତିକୁ ପ୍ରଭାବିତ କରିଛି। କିଛି କୁମ୍ଭାର ଅନ୍ୟ ବିକଳ୍ପ ବ୍ୟବସ୍ଥା ଖୋଜିବାକୁ ଆରମ୍ଭ କରି ବି ବିଫଳ ହୋଇଛନ୍ତି। ଦ୍ବିତୀୟ ଲହର୍ ଆରମ୍ଭ ପୂର୍ବରୁ କିଛି କଟକଣା କୋହଳ ହୋଇଥିବାରୁ ଚଳିତବର୍ଷ ଭଲ ବେପାର ଆଶାରେ କୁମ୍ଭାର ରହିଥିଲେ। ବିଭିନ୍ନ କିସମର ମାଟିର ସାମଗ୍ରୀ ବି ପ୍ରସ୍ତୁତ କରିଥିଲେ। କିନ୍ତୁ, ଦ୍ବିତୀୟ ଲହର୍ ଭୟାବହ ରୂପ ଧାରଣ କରିବା ପରେ ସରକାର ବିଭିନ୍ନ କ୍ଷେତ୍ର‌ରେ ଅଙ୍କୁଶ ଜାରି କରିଛନ୍ତି। ଫଳରେ କୁମ୍ଭାରଙ୍କ ପକ୍ଷେ ପରିବାର ପ୍ରତିପୋଷଣ ବର୍ତ୍ତମାନ କଷ୍ଟସାଧ୍ୟ ପାଲଟିଛି। ଏଭଳି ପରିସ୍ଥିତି‌ରେ ସେମାନଙ୍କ ପାଇଁ ସରକାରୀ ସହାୟତାର ବି ସୁବିଧା ନାହିଁ। ବର୍ତ୍ତମାନ ସମସ୍ତ ସାମଗ୍ରୀ ସେମିତି ଘରେ ପଡ଼ି ରହିଥିବା ବେଳେ ଏହାକୁ କିଏ କିଣିବ, ଏଥିପାଇଁ କୁମ୍ଭାର ପରିବାର ଚିନ୍ତାରେ ରହିଛନ୍ତି।

କମାର ପରିବାରଙ୍କ ଅବସ୍ଥା ବି ଠିକ୍ ସମାନ। ବର୍ଷକୁ ବାରମାସ କମାରଶାଳ ଚଳଚଞ୍ଚଳ ରହୁଥିବା ବେଳେ ଦାଆ, କୁରାଢ଼ି, କଟୁରୀ ଓ କୋଡ଼ି ଆଦି ପ୍ରସ୍ତୁତ ହେଉଥିଲା। ଏହାକୁ ବଜାର‌ରେ ବିକି କମାର ଦିପଇସା ‌ରୋଜଗାର କରୁଥିଲେ। କିନ୍ତୁ ବର୍ତ୍ତମାନ ହାଟ ସମେତ କିଛି ବଜାର ଖୋଲିବା ଉପରେ ଏଯାବତ୍ କଟକଣା ଜାରି ରହିଥିବାରୁ କମାର ହାତ ବାନ୍ଧି ବସିଛି। ସରକାରୀ ସହାୟତା ପ୍ରଦାନ ଦିଗରେ ପଦକ୍ଷେପ ନେବାକୁ କମାର ମାନେ ନିବେଦନ କରିଛନ୍ତି।

The post କୌଳିକ ବୃତ୍ତିକୁ କରୋନା ଛାଟ; ବୁଲୁନି କୁମ୍ଭାରର ଚକ, ଶୁଭୁନି କମାରର ହାତୁଡ଼ି ଶବ୍ଦ first appeared on Sambad.

from ବିଶେଷ | Sambad https://ift.tt/3zEnBLK

Post a Comment

0 Comments