
କରୋନାକୁ ନେଇ ବୈଜ୍ଞାନିକମାନେ ଗବେଷଣା ଜାରି ରଖିଛନ୍ତି। କରୋନା ପଜିଟିଭ୍ ପରୀକ୍ଷା ପାଇଁ ବିଭିନ୍ନ ପ୍ରକାର ପଦ୍ଧତି ରହିଛି। ଏବେ ମନୁଷ୍ୟର ଧ୍ବନି ଓ ଲକ୍ଷଣ ଦ୍ବାରା କୋଭିଡ୍ ପରୀକ୍ଷା ହୋଇପାରିବ। ଏଭଳି ଯୁକ୍ତି ଉପସ୍ଥାପନ କରିଛି ବେଙ୍ଗାଲୁରୁର ଇଣ୍ଡିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ(ଆଇଆଇଏସ୍ସି)। ଯାହାକି ୯୩ପ୍ରତିଶତ ସଠିକ୍ ବୋଲି ବୈଜ୍ଞାନିକମାନେ କହିଛନ୍ତି। ଏହି ପରୀକ୍ଷା ପଦ୍ଧତିର ଚୂଡ଼ାନ୍ତ ଅନୁମୋଦନ ପାଇଁ ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ମେଡିକାଲ ରିସର୍ଚ(ଆଇସିଏମ୍ଆର୍) ନିକଟରେ ଗବେଷଣାର ରିପୋର୍ଟ ଦାଖଲ କରିବାକୁ ବୈଜ୍ଞାନିକମାନେ ପ୍ରକ୍ରିୟା ଆରମ୍ଭ କରିଛନ୍ତି।
ଏହି ଗବେଷଣା ଗତବର୍ଷ ଆରମ୍ଭ କରାଯାଇଥିଲା। ଶ୍ବାସକ୍ରିୟା, କାଶ ଏବଂ କଥା କହିବାର ଶବ୍ଦକୁ ଆଧାର କରି କୋଭିଡ୍ ଚିହ୍ନଟ ପାଇଁ ପ୍ରୟାସ ଆରମ୍ଭ ହୋଇଥିଲା। ବୈଜ୍ଞାନିକମାନେ ସୁସ୍ଥ ବ୍ୟକ୍ତିଙ୍କ ଶ୍ବାସକ୍ରିୟାର ଶବ୍ଦ କୋଭିଡ୍ ରୋଗୀଙ୍କ ଠାରୁ କିପରି ଭିନ୍ନ ତାହା ପରୀକ୍ଷା କରିଥିଲେ। ଏଣୁ ୧୫ରୁ ୮୦ବର୍ଷ ବୟସ୍କ ୧ହଜାର ୬୯୯ଜଣ ବ୍ୟକ୍ତିଙ୍କ ଶବ୍ଦର ଧ୍ବନୀ ଏବଂ ଲକ୍ଷଣ ନମୁନା ସଂଗ୍ରହ କରାଯାଇଥିଲା। ତନ୍ମଧ୍ୟରେ ୧୫୭ଜଣ କୋଭିଡ୍ ପଜିଟିଭ୍ ରୋଗୀ ରହିଥିଲେ। ଏହି ସମସ୍ତ ନମୁନାକୁ ସଂଗ୍ରହ କରି ଏକ ଡାଟା ବେସ୍ ତିଆରି କରାଯାଇଥିଲା। କାଶ, ଶ୍ବାସକ୍ରିୟା ଏବଂ କଥା କହିବାର ଶବ୍ଦର ଧ୍ବନିକୁ ନେଇ ଡାଟା ପ୍ରସ୍ତୁତ ହୋଇଥିଲା। ପ୍ରାୟ ୧୦ମାସ ମଧ୍ୟରେ ଏକ ୱେବ୍ ଆପ୍ଲିକେସନ୍ ଜରିଆରେ ଏହାକୁ ରେକର୍ଡ କରାଯାଇଥିଲା ବୋଲି ଗବେଷକମାନେ ଉଲ୍ଲେଖ କରିଛନ୍ତି।
ଆଇଆଇଏସ୍ସିର ସହକାରୀ ପ୍ରଫେସର ଶ୍ରୀରାମ ଗଣପତି କହନ୍ତି, କୋଭିଡ୍ ପାଇଁ ଧ୍ବନି ଆଧାରିତ ପରୀକ୍ଷା ୯୩ପ୍ରତିଶତ ସଠିକ୍ ରହୁଥିବା ଦେଖାଯାଇଛି ଏବଂ ଏହାର ବ୍ୟାବସାୟିକ ବ୍ୟବହାର ପାଇଁ ଆଇସିଏମ୍ଆର୍ ନିକଟରେ ଆବେଦନ କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି। ଏହି ପରୀକ୍ଷଣର ଅଧିକାଂଶ ଡାଟା ହସ୍ପିଟାଲ୍ରୁ କିଛିଦିନ ମଧ୍ୟରେ ଡିସ୍ଚାର୍ଜ ହୋଇଥିବା ଲୋକଙ୍କ ଠାରୁ ସଂଗ୍ରହ କରାଯାଇଥିଲା। ଏହି ପରୀକ୍ଷା ପଦ୍ଧତି କମ୍ ଖର୍ଚ୍ଚରେ ଶୀଘ୍ର ସମ୍ଭବ ହୋଇପାରିବ। ଏହି ଗବେଷଣାର ତଥ୍ୟ ଏକ ୱେବ୍ ଆପ୍ଲିକେସନ୍ରୁ ଆସିଥାଏ। ପ୍ରତ୍ୟେକ ଅଂଶଗ୍ରହଣକାରୀ ୯ଟି ଅଡିଓ ରେକର୍ଡିଂ କରିଥାନ୍ତି। ତନ୍ମଧ୍ୟରେ ଛୋଟ ଗଭୀର ନିଶ୍ବାସ, କମ୍ ତଥା ଭାରୀ କାଶ, ୩ଟି ସ୍ବରବର୍ଣ୍ଣକୁ ନେଇ ଶବ୍ଦ ଉଚ୍ଚାରଣ ଓ ସାଧାରଣ ଏବଂ ଦ୍ରୁତଗତିରେ ୧ରୁ ୨୦ ପର୍ଯ୍ୟନ୍ତ ଗଣନା କରିବାକୁ ପଡ଼ିଥାଏ। ଏହା ସହିତ ଅଂଶଗ୍ରହଣକାରୀଙ୍କ ଲିଙ୍ଗ, ବୟସ ଏବଂ ଭୌଗଳିକ ଅବସ୍ଥାନ ଅନୁସାରେ ସ୍ବାସ୍ଥ୍ୟ ସମସ୍ୟା(କୋଭିଡ୍ ସଂକ୍ରମଣ, ଲକ୍ଷଣ ଏବଂ ଅନ୍ୟ ରୋଗ) ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଇଥାଏ। ପରୀକ୍ଷଣରେ ମିଳିଥିବା ରିପୋର୍ଟ ଆଇସିଏମ୍ଆର୍ ଦ୍ବାରା ଧାର୍ଯ୍ୟ କରାଯାଇଥିବା ମାନଦଣ୍ଡକୁ ଅତିକ୍ରମ କରୁଛି। ଏଣୁ ଏହି ପରୀକ୍ଷଣ ପଦ୍ଧତିର ଅନୁମୋଦନ ପାଇଁ ଗବେଷକମାନେ ଉଦ୍ୟମ ଆରମ୍ଭ କରିଛନ୍ତି।
The post ଧ୍ବନି ଆଧାରିତ କୋଭିଡ୍ ପରୀକ୍ଷା ସମ୍ଭବ, ୯୩% ସଠିକ୍ କହିଲେ ଆଇଆଇଏସ୍ସିର ବୈଜ୍ଞାନିକ first appeared on Sambad.from ବିଶେଷ | Sambad https://ift.tt/2RmOC5Y
0 Comments