ଏଚ୍‌ଆଇଭିରେ ଶିଶୁମାନେ କିପରି ଆକ୍ରାନ୍ତ ହୁଅନ୍ତି?

ଏଚ୍‌ଆଇଭି ସଂକ୍ରମଣ ଯେ, ‌କେବଳ ଯୁବବର୍ଗ ବା ‌ଯୌନ ସଂପର୍କ ଦ୍ବାରା ହୋଇଥାଏ ତା ଭାବିବା ଭୁଲ। ଶିଶୁମାନଙ୍କଠାରେ  ମଧ୍ୟ ଏଚ୍‌ଆଇଭି ସଂକ୍ରମଣ ଦେଖିବାକୁ ମିଳେ। ପ୍ରଥମ ହେଲା, ମାଠାରୁ ବା ଯାହାକୁ ଆମେ ‘ପ୍ୟାରେଣ୍ଟ୍‌ ଟୁ ଚାଇଲ୍‌ଡ ଟ୍ରାନ୍ସମିସନ୍‌’ କହିଥାଉ। ମା ଯଦି ପଜିଟିଭ୍‌ ଅଛି ତାହେଲେ ଶିଶୁ ମଧ୍ୟ ପଜିଟିଭ୍‌ ହେବାର ସମ୍ଭାବନା ଅନେକ କ୍ଷେତ୍ରରେ ରହିଥାଏ। ମାଠାରୁ ଛୁଆକୁ ଆସେନି। ପ୍ରସବ ସମୟରେ ହିଁ ପଜିଟିଭ୍‌ ମାମାନଙ୍କୁ ଏଆର୍‌ଟି ଚିକିତ୍ସା ଦିଆଯାଏ। ସେହି ଚିକିତ୍ସା ଦିଆଯାଇ ସଂକ୍ରମଣକୁ  ନିୟନ୍ତ୍ରଣରେ ରଖାଯାଏ। ମାର ଯେପରି ଭାଇରାଲ ଲୋଡ୍‌ କମ୍‌ ରହିବ ତାରି ଉପରେ ଅଧିକ ଗୁରୁତ୍ବ ଦିଆଯାଏ।

ମା’ର ନର୍ମାଲ ଡେଲିଭରି ବା ସାଧାରଣ ଭାବେ ସନ୍ତାନ ପ୍ରସବ ଅପେକ୍ଷା ସିଜରିଆନ ଡେଲିଭରି ଶିଶୁ ପାଇଁ ଅଧିକ ସୁରକ୍ଷିତ। କାରଣ ସିଜରିଆନ୍‌ କଲେ ମା’ର ରକ୍ତ ସହିତ ଶିଶୁର କୌଣସି କଣ୍ଟାକ୍ଟ ଆସିନଥାଏ। ସାଧାରଣ ପ୍ରସବ ସମୟରେ ଶିଶୁର ଯଦି କିଛି ବି କ୍ଷତ ହେଲା, କୌଣସି ସ୍ଥାନରେ ଦାଗ ଆସିଲା, ତା’ହେଲେ ଶିଶୁ ସଂକ୍ରମିତ ହେବାର ଆଶଙ୍କା ଅଧିକ ରହିଥାଏ। ମା’ଠୁ ଜନ୍ମହେବା ସମୟରେ ଶିଶୁ ଅଧିକ ସଂକ୍ରମିତ ହୋଇଥାନ୍ତି। ଯେହେତୁ ମାର ରକ୍ତ ଶିଶୁ ଦେହରେ ପ୍ରବାହିତ ହେଉଥାଏ, ତେଣୁ ଜନ୍ମର ପ୍ରଥମ ୬ସପ୍ତାହରୁ ୧୨ ସପ୍ତାହ ଭିତରେ ଜଣାପଡେନି ଯେ ଶିଶୁ ଏଚ୍‌ଆଇଭି ସଂକ୍ରମିତ ନା ନୁହେଁ।  କିନ୍ତୁ ପରୀକ୍ଷା କରିବା ପରେ ପଜିଟିଭ୍‌ ହିଁ ଆସିଥାଏ। ଜନ୍ମ ହେବା ପରେ ଗୋଟିଏ ପରୀକ୍ଷା କରାଯାଏ, ତା ପରେ ଜନ୍ମର ୧୨ସପ୍ତାହ ପରେ ପୁଣି ଆଉ ଗୋଟିଏ ପରୀକ୍ଷା କରାଯାଇଥାଏ। ସେତେବେଳେ ଦେଖାଯାଏ ଯେ, ଶିଶୁର କଣ ସ୍ଥିତି ରହିଛି। ତାପରେ ପୁଣି ବର୍ଷେ ପରେ ପୁନର୍ବାର ପରୀକ୍ଷା କରାଯାଏ। ଯଦି ଦୁର୍ଭାଗ୍ୟବଶତଃ ଶିଶୁ ସଂକ୍ରମିତ ବୋଲି ଜଣାପଡିଲା ତାହେଲେ ତାର ମଧ୍ୟ ଚିକିତ୍ସା ଆରମ୍ଭ କରାଯାଏ।

ଜନ୍ମ ହେବାପରେ ମା’ର ତ ଏଆର୍‌ଟି ଚିକିତ୍ସା କରାଯାଏ କିନ୍ତୁ ଶିଶୁ ମଧ୍ୟ ଜନ୍ମ ହେବା ପରେ ନେବିରାପିନ୍‌ ନାମକ ଏକ ଔଷଧ ଦିଆଯାଏ। ଯଦି ଶିଶୁ ଦେହରେ କିଛି ରକ୍ତ ଆସିଯାଇଥାଏ, ତା’ହେଲେ ସେହି ସମୟରେ ଶିଶୁକୁ ଆଣ୍ଟି ଏଚ୍‌ଆଇଭି ଔଷଧ ଦିଆଯାଇଥାଏ। ଯାହାକି ଏହି ରୋଗକୁ ପ୍ରତିହତ କରିବାର କ୍ଷମତା ରଖିଥାଏ। ଯାହା ପୋଷ୍ଟ୍‌ ଏକ୍ସପୋଜର୍‌ ପ୍ରୋଫାଇଲଲାକ୍ସିସ୍‌ ବା (ପିଇପି) ଭଳି କାମ କରିଥାଏ। ଯେପରି ଯୁବବର୍ଗଙ୍କଠାରେ ‌‌ଯୌନ ସଂପର୍କ ଦ୍ବାରା ଏଚ୍‌ଆଇଭି ସଂକ୍ରମିତ ହୋଇଥାଏ, କିନ୍ତୁ ଶିଶୁଙ୍କଠାରେ ଏହାର କାରଣ ଭିନ୍ନ। ମାଠାରୁ ଆସିବା, ବ୍ଲଡ୍‌ ଟ୍ରାନ୍ସଫ୍ୟୁଜନ୍‌, ଛୁଞ୍ଜି ଫୋଡ଼ାଯିବା, ଅସ୍ତ୍ରୋପଚାର ଆଦି କାରଣରୁ ସେମାନଙ୍କଠାରେ ଏଚ୍‌ଆଇଭି ହେବାର ସମ୍ଭାବନା ଅଧିକ ରହିଥାଏ। ଯଦି କେହି ଏଚ୍‌ଆଇସି ସଂକ୍ରମିତ ଶିଶୁ ଚିହ୍ନଟ ହୁଅନ୍ତି ତାହେଲେ ଯୁବବର୍ଗଙ୍କ ଅପେକ୍ଷା ସେମାନଙ୍କ ସିଡି-୪ ଅଧିକ ବା ଅଧିକ ମାତ୍ରାରେ  ଭାଇରାଲ ଲୋଡ ରହିଥାଏ। ତେବେ ସେମାନଙ୍କ ଭାଇରାଲ ଲୋଡ୍‌ ପରୀକ୍ଷା କରି ବୟସ ଓ ଶରୀରର ଓଜନ ଦେଖି ସେମାନଙ୍କୁ ଔଷଧ ଦିଆଯାଇଥାଏ। ଅନେକ ଶିଶୁ  ମଧ୍ୟ ଏଭଳି ଚିକିତ୍ସାରେ ରହିଛନ୍ତି। ଯେହେତୁ ଏହା ଏକ ଦୀର୍ଘସ୍ଥାୟୀ ଚିକିତ୍ସା, ତେଣୁ କିଛିଦିନ ପରେ ସେମାନଙ୍କଠାରେ ଔଷଧର ପାର୍ଶ୍ବ ପ୍ରତିକ୍ରିୟା‌ ମଧ୍ୟ ଦେଖାଯାଇଥାଏ।

ମେଡିସିନ୍‌ ବିଭାଗ ମୁଖ୍ୟ,
ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ, କଟକ

The post ଏଚ୍‌ଆଇଭିରେ ଶିଶୁମାନେ କିପରି ଆକ୍ରାନ୍ତ ହୁଅନ୍ତି? first appeared on Sambad.

from ବିଶେଷ | Sambad https://ift.tt/3vuWDnH

Post a Comment

0 Comments