ଟିକା ଓ ପ୍ରତିରୋଧକ କୋଭିଡ୍-୧୯ରୁ ରକ୍ଷା ପାଇବାର ସର୍ବୋତ୍ତମ ଉପାୟ

ବହୁ ଦଶନ୍ଧି ପରେ ଆଧୁନିକ ଚିକିତ୍ସା ବିଜ୍ଞାନ କୋଭିଡ୍‌-୧୯ ପରି ଏକ ଭୟାନକ ମହାମାରୀର ସମ୍ମୁଖୀନ ହୋଇଛି। ଏହି ରୋଗ ନୂତନ ଓ ଅତ୍ୟନ୍ତ ମାରାତ୍ମକ। ସାରା ବିଶ୍ୱର ଚିକିତ୍ସକ ଓ ବୈଜ୍ଞାନିକମାନେ ଅନେକ ବିନିଦ୍ର ରଜନୀ ଅତିବାହିତ କରି ଏହି ରୋଗ ବିଷୟରେ ବୁଝିବାକୁ ଚେଷ୍ଟା କରୁଛନ୍ତି। ଏହି ରୋଗ କିପରି ବ୍ୟାପିଥାଏ ଏବଂ ଏହା ମାନବ ଶରୀର ଉପରେ କିପରି ଆକ୍ରମଣ କରେ, ସେ ବିଷୟରେ ଆମେ ବର୍ତ୍ତମାନ କିଛି ମାତ୍ରାରେ ଜାଣିଲୁଣି। ଏହି ରୋଗରୁ କିପରି ରକ୍ଷା ମିଳିବ ତା’ ଉପରେ ତଥାପି ଗବେଷଣା ଜାରି ରହିଛି।

ରୋଗର ଉପଶମ କରିବାକୁ ହେଲେ ତାକୁ ପ୍ରଥମେ ବୁଝିବାକୁ ପଡିବ। ଚରକ ତାଙ୍କ ଗ୍ରନ୍ଥରେ ଲେଖିଛନ୍ତି, ଏକ ରୋଗକୁ ଭଲ କରିବା ପାଇଁ କେବଳ ଲକ୍ଷଣ ନୁହେଁ ମୂଳ କାରଣର ଚିକିତ୍ସା କରିବା ଆବଶ୍ୟକ। ରୋଗର ମୂଳ କାରଣ ଓ ଲକ୍ଷଣ ଜାଣିଲା ପରେ ତାକୁ ଆଧାର କରି ଚିକିତ୍ସା ବିଜ୍ଞାନୀମାନେ ଔଷଧ ପ୍ରସ୍ତୁତ କରନ୍ତି। ସେହି ଔଷଧଗୁଡିକ ଠିକ୍ କାମ କରୁଛି କି ନାହିଁ ଓ ତା’ର କିଛି ପାର୍ଶ୍ବପ୍ରତିକ୍ରିୟା ଅଛି କି ନାହିଁ, ତାହା ପ୍ରଥମେ ପରୀକ୍ଷା କରାଯାଏ।

କୋଭିଡ୍-୧୯ ହେଉଛି ଏକ ନୂତନ ରୋଗ ଯାହାର କୌଣସି ଜଣାଶୁଣା ଉପଶମ ନାହିଁ। ଚିକିତ୍ସା ବିଶେଷଜ୍ଞମାନେ ଅନେକ ସମ୍ଭାବ୍ୟ ଔଷଧ ବିଷୟରେ ଚିନ୍ତା କରି ପରୀକ୍ଷା କରିଛନ୍ତି। ହାଇଡ୍ରୋକ୍ସିକ୍ଲୋରୋକ୍ବିନ୍ ଉପରେ ଯେଉଁ ପ୍ରାରମ୍ଭିକ ଆଶା ରହିଥିଲା ତାକୁ ପରିତ୍ୟାଗ କରିବାକୁ ପଡିଲା। କାରଣ ଆମେ ବର୍ତ୍ତମାନ ଜାଣିସାରିଲୁଣି ଯେ ହାଇଡ୍ରୋକ୍ସିକ୍ଲୋରୋକ୍ବିନ୍ କୋଭିଡ୍-୧୯ ଉପରେ ବହୁତ କମ୍ ପ୍ରଭାବ ପକାଇଥାଏ, ଯେତେବେଳେ କି ଏହାର ଗମ୍ଭୀର ପାର୍ଶ୍ୱପ୍ରତିକ୍ରିୟା ରହିଥାଏ।

ଫାଭିପିରାଭିର ଏବଂ ରେମଡେସିଭିର ପରି ଆଣ୍ଟିଭାଇରାଲ୍ ଅନ୍ୟ ଭୂତାଣୁ ବିରୁଦ୍ଧରେ କାମ କରିବା ପାଇଁ ଉଦ୍ଭାବନ କରାଯାଇଥିଲା। ବିଶେଷଜ୍ଞମାନେ ପ୍ରଥମେ ଭାବିଥିଲେ ଯେ ଏହା କୋଭିଡ୍-୧୯ ପାଇଁ ବି କାମ କରିପାରେ। କିନ୍ତୁ ଆମକୁ ଯଥେଷ୍ଟ ପ୍ରମାଣ ମିଳିଲାଣି ଯେ ଏହା ସେପରି କାମ କରୁନାହିଁ। ତେଣୁ ବର୍ତ୍ତମାନ ଆଉ କେହି କୋଭିଡ୍-୧୯ ପାଇଁ ଆଣ୍ଟିଭାଇରାଲ୍ ସୁପାରିସ କରୁନାହାନ୍ତି। ଆଜିଥ୍ରୋମାଇସିନ୍ ଏବଂ ଡକ୍ସିସାଇକ୍ଲିନ୍ ପରି ଆଣ୍ଟିବାୟୋଟିକ୍ ଜୀବାଣୁ ବିରୁଦ୍ଧରେ ପ୍ରଭାବଶାଳୀ, କିନ୍ତୁ କୋଭିଡ୍-୧୯ ଭୂତାଣୁ ବିରୁଦ୍ଧରେ ନୁହେଁ। କୋଭିଡ୍-୧୯ ସଂକ୍ରମଣକୁ ଜଟିଳ କରୁଥିବା ଅନ୍ୟ ଜୀବାଣୁ ସଂକ୍ରମଣ ହେଲେ ଆଣ୍ଟିବାୟୋଟିକ୍ ବ୍ୟବହାର କରାଯିବା ଉଚିତ। ଆଣ୍ଟିବାୟୋଟିକ୍ ପ୍ରତିରୋଧୀ ସୁପର୍‌ ବଗ୍ ଜନ୍ମ କରିବାର ବିପଦ ତଥା ସମ୍ଭାବ୍ୟ ପାର୍ଶ୍ୱପ୍ରତିକ୍ରିୟା ବିଷୟରେ ଜାଣି, ସମ୍ପ୍ରତି ଭାରତୀୟ ପ୍ରଣାଳୀଗୁଡିକ ସ୍ବଳ୍ପ ଲକ୍ଷଣଯୁକ୍ତ କୋଭିଡ୍-୧୯ ପାଇଁ ଆଣ୍ଟିବାୟୋଟିକ୍ ବ୍ୟବହାର କରିବାକୁ ପରାମର୍ଶ ଦେଉନାହାନ୍ତି।

ପ୍ଲାଜ୍ମା ଏବଂ ଟୋକଲିଜୁମାବ୍ ମଧ୍ୟ କୋଭିଡ୍-୧୯ ବିରୁଦ୍ଧରେ ପ୍ରଭାବଶାଳୀ ହୋଇପାରି ନାହିଁ। ଅତ୍ୟାଧୁନିକ ଚିକିତ୍ସା ପ୍ରଣାଳୀରେ ସେଗୁଡିକ ଆଉ ସୁପାରିସ କରାଯାଉ ନାହିଁ। ଅଧିକ ମାତ୍ରାରେ ଷ୍ଟେରଏଡ୍‌ର ଅନାବଶ୍ୟକ ବ୍ୟବହାର ରୋଗପ୍ରତିରୋଧକ ଶକ୍ତି ହ୍ରାସ କରିପାରେ, ରୋଗୀର ମଧୁମେହ ସ୍ଥିତିକୁ ଖରାପ କରିପାରେ ଏବଂ କଳା ଫଙ୍ଗସ୍ ପରି ସଂକ୍ରମଣ ହୋଇପାରେ। ଷ୍ଟେରଏଡ୍‌ ବ୍ୟବହାର କରିବା ସମୟରେ ଯଥେଷ୍ଟ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଥାଏ। ସିଟି ସ୍କାନ୍ ହେଉଛି ଏକ ମହଙ୍ଗା ପଦ୍ଧତି, ଯାହା ଶରୀରକୁ ବିକିରଣ ଦ୍ବାରା କ୍ଷତି ପହଞ୍ଚାଇଥାଏ। ସାମାନ୍ୟ ରୋଗରେ ଏହା ଅନାବଶ୍ୟକ। ଏହା କେବଳ ଗୁରୁତର ରୋଗୀମାନଙ୍କଠାରେ ବ୍ୟବହାର କରାଯାଏ।

ମନେରଖନ୍ତୁ, ନିଜେ ନିଜେ ଚିକିତ୍ସା କରିବା ସବୁଠାରୁ ବିପଜ୍ଜନକ। ଗଣମାଧ୍ୟମରୁ ଆପଣ ପାଉଥିବା ସୂଚନା ଡାକ୍ତରୀ ପରାମର୍ଶର ବିକଳ୍ପ ନୁହେଁ। ଆପଣଙ୍କ ପଡ଼ୋଶୀମାନଙ୍କ ଉପରେ କାମ କରୁଥିବା ଔଷଧ ସବୁବେଳେ ଆପଣଙ୍କ ଉପରେ କାମ କରିବ ନାହିଁ। ଦୟାକରି ଡାକ୍ତରଙ୍କ ପରାମର୍ଶ ବିନା କୌଣସି ଔଷଧ ସେବନ କରନ୍ତୁ ନାହିଁ। ମନେରଖନ୍ତୁ ଯେ ଆପଣଙ୍କ ଇଚ୍ଛା ଅନୁଯାୟୀ ଔଷଧ ଲେଖିବା ପାଇଁ ଡାକ୍ତରଙ୍କ ଉପରେ ଚାପ ପକାଇବା ମଧ୍ୟ ଉଚିତ ନୁହେଁ, ଏହା ଆପଣଙ୍କୁ କ୍ଷତି ପହଞ୍ଚାଇପାରେ। ଟିକା ଏବଂ ପ୍ରତିରୋଧ-ମୂଳକ ବ୍ୟବସ୍ଥା ବର୍ତ୍ତମାନ ପର୍ଯ୍ୟନ୍ତ କୋଭିଡ୍-୧୯ରୁ ରକ୍ଷା ପାଇବାର ସର୍ବୋତ୍ତମ ଉପାୟ।

ଅସ୍ଥିଶଲ୍ୟ ବିଶେଷଜ୍ଞ,
ମୋ- ୯୯୩୮୭୪୭୭୭୦, sidusahu@gmail.com

The post ଟିକା ଓ ପ୍ରତିରୋଧକ କୋଭିଡ୍-୧୯ରୁ ରକ୍ଷା ପାଇବାର ସର୍ବୋତ୍ତମ ଉପାୟ first appeared on Sambad.

from ବିଶେଷ | Sambad https://ift.tt/2TTRI2q

Post a Comment

0 Comments