
ନୂଆଦିଲ୍ଲୀ : କୋଭିଡ୍-୧୯କୁ ସମ୍ପୂର୍ଣ୍ଣ ମୁକାବିଲା କରିବା ପାଇଁ ଟିକାକରଣ ଏକ ନିଶ୍ଚିତ ଉପାୟ ନୁହେଁ। ତେବେ ଟିକାକରଣ ଦ୍ବାରା ସଂକ୍ରମଣ ସେତେ ଅତିଶୟ ହେବନାହିଁ ବୋଲି ତାହା ନିଶ୍ଚିତ କରାଇବ। ଏଇ କଥା ବହୁ ଆଗରୁ ବିଶେଷଜ୍ଞମାନେ ଦୋହରାଇ ଆସିଛନ୍ତି। ନିକଟରେ ଦିଲ୍ଲୀ ଏମ୍ସର ଅନୁଧ୍ୟାନକାରୀ ଦଳ ମଧ୍ୟ ଅନୁରୂପ ନିର୍ଯାସ ଆଣିଛନ୍ତି। ମାତ୍ର ୬୩ ଜଣ ପୀଡ଼ିତଙ୍କ ଉପରେ ସେମାନେ ଚଳାଇଥିବା ଏକ ଛୋଟ ଧରଣର ଅନୁଧ୍ୟାନରୁ ସେମାନେ କୋଭିଡ୍ ମୁକାବିଲା ପାଇଁ ଟିକା ଯଥେଷ୍ଟ ନୁହେଁ ଏବଂ ଦେଶରେ କୋଭିଡ୍-୧୯ ଦ୍ବିତୀୟ ଲହରରେ ହଇଚଇ କରିଥିବା ଡେଲ୍ଟା ପ୍ରଜାତିର ଭୂତାଣୁ ଟିକା ନେଇଥିବା ଲୋକଙ୍କୁ ବି ସଂକ୍ରମଣ କରିପାରିବ ବୋଲି ସେମାନେ ଦାବି କରିଛନ୍ତି।
ସୂଚନାନୁଯାୟୀ, ସେମାନଙ୍କ ସର୍ବେକ୍ଷଣରେ ସାମିଲ ହୋଇଥିବା ୨୧ରୁ ୯୨ ବର୍ଷ ବୟସର ୬୩ ଜଣ ପୀଡ଼ିତଙ୍କ ଭିତରୁ ୩୫ ଜଣ କୋଭିଡ୍ ଟିକାର ଉଭୟ ମାତ୍ରା ନେଇଥିବା ବେଳେ ୨୮ ଜଣ କେବଳ ପ୍ରଥମ ମାତ୍ରା ନେଇଥିଲେ। ବିଶେଷ କରି ଟିକା ନେବା ପରେ ହିଁ ସମସ୍ତେ ସଂକ୍ରମିତ ହୋଇଥିଲେ। ତେବେ ସେମାନଙ୍କ ନମୁନାରୁ ମିଳିଥିବା କରୋନାଭୂତାଣୁର ଜୈବିକ ଅନୁକ୍ରମରୁ ଭାରତରେ ପ୍ରଥମେ ଦେଖାଦେଇଥିବା ଡେଲ୍ଟା ପ୍ରଜାତିର ରୂପାନ୍ତରିତ କରୋନାଭୂତାଣୁ(ବି.୧.୬୭୧.୨) ସବୁଠୁ ଅଧିକ ପ୍ରଭାବୀ ଥିବା ଜଣାପଡ଼ିଛି। ମୋଟ ୬୩ଟି ନମୁନାରୁ ୩୬ଟି ନମୁନାର ଅନୁକ୍ରମ ବାହାର କରାଯାଇଥିବା ବେଳେ ସେଥିରେ ୧୯ ଜଣ ଟିକାର ଉଭୟ ମାତ୍ରା ଓ ୧୭ ଟିକାର ପ୍ରଥମ ମାତ୍ରା ନେଇଥିଲେ। ସେହିପରି ଏହି ୩୬ ନମୁନା ଭିତରୁ ୨୩ଟିରେ ଡେଲ୍ଟା ପ୍ରଜାତି ଥିବା ସ୍ପଷ୍ଟ ହୋଇଛି। ଅପରପକ୍ଷେ, ଏହି ପୀଡ଼ିତମାନଙ୍କ ମଧ୍ୟରୁ କାହାର ମୃତ୍ୟୁ ଘଟିନାହିଁ ବୋଲି ପୂର୍ବରୁ ଏମ୍ସ ପକ୍ଷରୁ କୁହାଯାଇଥିଲା। ସୁତରାଂ ଟିକାକରଣ ମୃତ୍ୟୁହାର କମାଉଥିବା ସ୍ପଷ୍ଟ ହୋଇଛି।
The post ଟିକା ନେଇଥିବା ଲୋକଙ୍କୁ ବି ଡେଲ୍ଟା ପ୍ରଜାତି ସଂକ୍ରମଣ କରିପାରିବ: ଏମ୍ସ first appeared on Sambad.from ବିଶେଷ | Sambad https://ift.tt/3ziUtKY
0 Comments