ରାୟଗଡ଼ା ତହସିଲରେ ବାଲି ଚାଲାଣରେ ଚଞ୍ଚକତା; କଳାହାଣ୍ଡି ୱାଇ ଫର୍ମରେ ଆନ୍ଧ୍ରକୁ ବାଲି ଚାଲାଣ 

ରାୟଗଡ଼ା: ନଦୀଶର୍ଯ୍ୟା ରାୟଗଡ଼ାର। ୱାଇ ଫର୍ମ ଆସୁଛି କଳାହାଣ୍ଡିରୁ। ବାଲି ଚାଲାଣ ହେଉଛି ଆନ୍ଧ୍ରକୁ। ଜେସିବି ଲଗାଇ ଲିଜଧାରୀ ନଦୀରୁ ବାଲି ଉଠାଉଥିବା ବେଳେ ସୀମାନ୍ତ ଫାଟକ ଦେଇ ଦୈନିକ ଆନ୍ଧ୍ରକୁ ଯାଉଛି ଶତାଧିକ ବାଲି ବୋଝେଇ ଟ୍ରକ୍ ଓ ଟିପର। ଯାହାର ସାମାନ୍ୟ ସୁରାକ୍ ପାଉନି ଜିଲ୍ଲା ପ୍ରଶାସନ। ଫ‌ଳରେ ସରକାର ମାସିକ ଲକ୍ଷାଧିକ ଟଙ୍କାର ରାଜସ୍ବ ସହ ଜିଏସଟି ହରାଉଛନ୍ତି।

ଲକଡାଉନ୍ ସତ୍ତ୍ବେ ରାୟଗଡ଼ା ଜିଲ୍ଲା ସଦର ମହକୁମା ଖିଲିମିସିଗୁଡା ବାଲିଘାଟରୁ ଆନ୍ଧ୍ରକୁ ବାଲି ଚୋରା ଚାଲାଣ ଜାରି ରହିଛି। ସ୍ଥାନୀୟ ଲୋକଙ୍କ ନାଁରେ ଲିଜ୍ ନେଇ ପରୋକ୍ଷ ଭାବେ ବାଲିଘାଟକୁ ଚଲାଉଛନ୍ତି ଆନ୍ଧ୍ର ମାଫିଆ। ନଦୀଘାଟରୁ ଜେସିବି ମେସିନ୍ ଲଗାଇ ବାଲି ଉଠାଇ ୧ କିମି ଦୂରରେ ଡମ୍ପିଂ କରି ଟ୍ରକ୍ ଟିପର ଯୋଗ‌େ ଚାଲାଣ କରୁଛନ୍ତି। ରାଜସ୍ବ ବିଭାଗ ଅସାଧୁ କର୍ମଚାରୀ ମାସିକ ଲକ୍ଷାଧିକ ଟଙ୍କାର ହାତଗୁଞ୍ଜା ନେଇ ଚୁପ୍ ବସିଥିବାରୁ ଚୋରା ଚାଲାଣ ରୋକିବାକୁ ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ ଥିବା ଅଧିକାରୀ ମାଲାମାଲ୍ ହେବାରେ ଲାଗିଛନ୍ତି। ଏପଟେ ତହସିଲ ଅଞ୍ଚଳରେ ଉନ୍ନୟନ କାର୍ଯ୍ୟ ଓ ଘର ନିର୍ମାଣ ପାଇଁ ଟ୍ରାକ୍ଟର ଯୋଗେ ବାଲି ଚାଲାଣ ସମୟରେ ଟ୍ରାକ୍ଟରକୁ ଧରି ୨୦ରୁ ୨୫ ହଜାର ଜରିମାନା ଆଦାୟ ଚାଲିଛି। ଜାଲ କାଗଜପତ୍ରରେ ୧୮ ସିଏମରୁ ଉର୍ଧ୍ବ ବାଲି ଟ୍ରକ୍ ଯୋଗେ ନିଆଯାଉଥିଲେ ମଧ୍ୟ ରାଜସ୍ବ ବିଭାଗ ଅଧିକାରୀ ଚୁପ୍ ରହିବାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଲିଜ୍ ମୁତାବକ ୱାଇ ଫର୍ମ ଶେଷ ହେବା ପରେ ଲିଜଧାରୀ ଚଞ୍ଚକତା କରି କଳାହାଣ୍ଡି ଜିଲ୍ଲା ଗୋଲମୁଣ୍ଡା ତହସିଲରୁ ୱାଇ ଫର୍ମ ଆଣି ଖିଲିମିସିଗୁଡା ଘାଟରୁ ବାଲି ଚାଲାଣ ଜାରି ରଖିଛନ୍ତି। ବେଆଇନ କାଗଜପତ୍ରରେ ୧୮ ସିଏମ୍ ବାଲି ଟିପର ଯୋଗେ ମେ ୧୪ ତାରିଖରେ ଆନ୍ଧ୍ରକୁ ଚାଲାଣ ହେଉଥିଲା। ରାତିରେ ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଫାଟକରେ ପରିବହନ ବିଭାଗର ଅଧିକାରୀ ମାଫିଆଙ୍କଠୁ ହାତଗୁଞ୍ଜା ନେଇ ଟିପରକୁ ଛାଡ଼ି ଦେଇଥିବା ନେଇ ଅଭିଯୋଗ ହୋଇଛି। ଖିଲିମିସିଗୁଡା ବାଲିଘାଟରୁ କେତେ ବାଲି ମାସିକ ଲିଜଧାରୀ ବାସ୍ତବରେ ଉଠାଉଛନ୍ତି ସେ ସଂପର୍କିତ ସୂଚନା ତହସିଲକୁ ଦେବା କଥା। କିନ୍ତୁ ଲିଜଧାରୀ ସେଭଳି କିଛି ତଥ୍ୟ ଦେଉନାହାନ୍ତି।

ୱାଇ ଫର୍ମ ଦ୍ବାରା କେଉଁ ଅଞ୍ଚଳକୁ କେତେ ବାଲି ଗଲା, ବାହାର ରାଜ୍ୟକୁ କେତେ ଗଲା, ସରକାରୀ କାର୍ଯ୍ୟ ଓ ଗୃହ ନିର୍ମାଣରେ କେତେ ବ୍ୟବହାର ହେଲା ତାହାର ହିସାବ ମଧ୍ୟ ତହସିଲରେ ମିଳୁନି। ଲିଜଧାରୀ ଚଞ୍ଚକତାର ସହ ବାର୍ଷିକ ଧାର୍ଯ୍ୟ ଲକ୍ଷ୍ୟଠୁ ୪ ଗୁଣା ଅଧିକ ବାଲି ଉଠାଉଥିଲେ ମଧ୍ୟ ତାହାର ଆକଳନ କରାଯାଉନି।  ଗତ ଏପ୍ରିଲ୍ ମାସରେ ଓଏମସିସି ରୁଲ ୨୦୧୬କୁ ଉଲ୍ଲଂଘନ କରି ଖିଲିମିସିଗୁଡା ଲିଜଧାରୀ ଜେସିବିରେ ବାଲି ଉଠାଇ ୧ କିମି ଦୂରରେ ଡମ୍ପିଂ କରିଥିଲେ।

ଅଭିଯୋଗ ପରେ ରାୟଗଡ଼ା ତହସିଲ କର୍ତ୍ତୃପକ୍ଷ ଘଟଣାସ୍ଥଳକୁ ଯାଇ ଲିଜଧାରୀଙ୍କୁ ୧ ଲକ୍ଷ ଫାଇନ ପକାଇବା ସହ ଭବିଷ୍ୟତରେ ଏପରି ନ କରିବାକୁ ତାଗିଦ୍ କରିଥିଲେ। ମେ ୨୮ ତାରିଖରେ ପୁଣି ଲିଜଧାରୀ ଜେସିବି ମେସିନରେ ବାଲି ଉଠାଇ ୧ କିମି ଦୂରରେ ଡମ୍ପିଂ କରିଥିଲେ। ଖବର ପାଇ ତହସିଲଦାର ଡମ୍ପିଂୟାର୍ଡରେ ପହଞ୍ଚି ଫାଇନ ପରିର୍ବତ୍ତେ ଲିଜଧାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ। ବହୁ ଚାପ ଓ ପ୍ରଶାସନିକ ତାଗିଦ୍ ପରେ ଆଜି ତହସିଲଦାର ଉମାଶଙ୍କର ବେହେରା ଚଢ଼ାଉ କରି ବେଆଇନ ଭାବେ ବାଲି ବୋଝେଇ କରିଥିବା ୨ ଆନ୍ଧ୍ର ଟ୍ରକକୁ ଜବତ କରିବା ସହ ୨ ଲକ୍ଷ ଜରିମାନା ଆଦାୟ ପାଇଁ ନ‌ୋଟିସ୍ ଜାରି କରିଛନ୍ତି।

The post ରାୟଗଡ଼ା ତହସିଲରେ ବାଲି ଚାଲାଣରେ ଚଞ୍ଚକତା; କଳାହାଣ୍ଡି ୱାଇ ଫର୍ମରେ ଆନ୍ଧ୍ରକୁ ବାଲି ଚାଲାଣ  first appeared on Sambad.

from ବିଶେଷ | Sambad https://ift.tt/2TH1YuB

Post a Comment

0 Comments