ମୂଷା ବହଳେ ସୃଷ୍ଟିନାଶ; ମୂଷା ମାରିବା ପାଇଁ ଭାରତରୁ ନିଷିଦ୍ଧ ବିଷ ମଗାଇଲା ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ: ମୂଷାଙ୍କ ଦାଉରୁ ତ୍ରାହି ପାଇବା ନିମନ୍ତେ ଅଷ୍ଟ୍ରେଲିଆ ଏକ ଜାତୀୟ ନିଷିଦ୍ଧ ବିଷ ପାଇଁ ଭାରତକୁ ବରାଦ ଦେଇଛି। ସମ୍ପ୍ରତି ଅଷ୍ଟ୍ରେଲିଆର ପୂର୍ବାଞ୍ଚଳ ପ୍ରଦେଶମାନଙ୍କରେ ଅଭୂତପୂର୍ବ ଭାବେ ମୂଷାଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇଥିବା କଥା ସେଠାକାର ସରକାରୀ ଅଧିକାରୀମ‌ାନେ କହିଛନ୍ତି।

ଅଗତ୍ୟା ଭାରତରୁ ୫,୦୦୦ ଲିଟର୍‌ ‘ବ୍ରୋମାଡାଓଲୋନ୍‌’ ଆମଦାନି କରିବା ଲାଗି ଅଷ୍ଟ୍ରେଲିଆର ସବୁଠୁ ଜନାକୀର୍ଣ୍ଣ ପ୍ରଦେଶ ନିଉ ସାଉଥ୍ ୱେଲ୍‌ସ୍‌ (ଏନ୍‌ଏସ୍‌ଡବ୍ଲୁ) ସରକାର ନିଷ୍ପତ୍ତି ନେଇଛନ୍ତି। ଶକ୍ତିଶାଳୀ ‘କୃଦନ୍ତବିନାଶୀ’ (ମୂଷା, ଠେକୁଆ ଓ ସେହି ଜାତୀୟ ଅନ୍ୟାନ୍ୟ ଜୀବଙ୍କୁ କୃଦନ୍ତ କୁହାଯାଏ।) ‘ବ୍ରୋମାଡାଓଲୋନ୍‌’ ଅଷ୍ଟ୍ରେଲିଆରେ ନିଷିଦ୍ଧ କରାଯାଇଥିବା ହେତୁ ‘ଏନ୍‌ଏସ୍‌ଡବ୍ଲୁ’ ସରକାର ଭାରତକୁ ବରାଦ ଦେଇଛନ୍ତି। ମୂଷାଙ୍କୁ ଦମନ କରିବା ପାଇଁ ଅଷ୍ଟ୍ରେଲିଆର ସଂଘୀୟ ସରକାର ଏବେ ମଧ୍ୟ ଜରୁରୀ କ୍ଷେତ୍ରରେ ବ୍ୟବହାର ନିମିତ୍ତ ‘ବ୍ରୋମାଡାଓଲୋନ୍‌’କୁ ଅନୁମୋଦନ କରି ନାହାନ୍ତି।

‘ଏନ୍‌ଏସ୍‌ଡବ୍ଲୁ’ କୃଷିମନ୍ତ୍ରୀ ଆଦାମ ମାର୍ସାଲ୍‌ କହିଛନ୍ତି, ବସନ୍ତକାଳ ସୁଦ୍ଧା ମୂଷିକବଂଶ ହ୍ରାସ ନ ପାଇଲେ ରାଜ୍ୟର ଚାଷଜମି ସବୁ ଆର୍ଥିକ ଏବଂ ସାମାଜିକ ସଙ୍କଟର କାରଣ ପାଲଟିଯିବ।

Image Courtesy of The Bloom Talks

ସେଠାକାର କୃଷକମାନେ କହୁଛନ୍ତି ଯେ, ମୂଷାପଲ ଖାଲି ସେମାନଙ୍କ ଫଲସ ଉଜାଡୁ ନାହାନ୍ତି, ସେମାନଙ୍କ ଘରଦ୍ବାର ଉଜାଡ଼ି ପକାଇଲେଣି। ସବୁଦିନ ରାତିରେ ସେମାନଙ୍କ ଘର ଚଟାଣ, ଛାତ ଓ ବାହାରିଆ ଘରଗୁଡ଼ିକରେ ମୂଷାପଲ ହଳ ହଳ ହୋଇ ବୁଲୁଛନ୍ତି। କେତେକ କୃଷକ ମୂଷାମାନଙ୍କୁ ବିଷ ଦେଉଛନ୍ତି। ଅନ୍ୟ କେତେକ ସେମାନଙ୍କୁ ପାଣି ବାଲ୍‌ତିରେ ଡୁବାଇ ମାରୁଛନ୍ତି।

ମୂଷାଙ୍କୁ ପ୍ରଲୋଭନ ଦେଖାଇ ମାରିବା ପାଇଁ ପ୍ରୟୋଗ ହେଉଥିବା ଖାଦ୍ୟରୂପକ ‘ଥୋପ’ରେ ‘ଜିଙ୍କ୍‌ ଫସ୍‌ଫାଇଡ୍‌’ର ମାତ୍ରା ଦ୍ବିଗୁଣ କରିବା ଲାଗି ମଧ୍ୟ ସରକାର କମ୍ପାନିମାନଙ୍କୁ ଅନୁମତି ଦେଇ ସାରିଛନ୍ତି।

The post ମୂଷା ବହଳେ ସୃଷ୍ଟିନାଶ; ମୂଷା ମାରିବା ପାଇଁ ଭାରତରୁ ନିଷିଦ୍ଧ ବିଷ ମଗାଇଲା ଅଷ୍ଟ୍ରେଲିଆ first appeared on Sambad.

from ବିଶେଷ | Sambad https://ift.tt/34y5LwI

Post a Comment

0 Comments