କରୋନା ସଂକ୍ରମିତଙ୍କ ଶବସଂସ୍କାର କରୁଥିବାରୁ ପୁଲିସ ବାବୁ ନିଜ ଝିଅ ବାହାଘରକୁ ସ୍ଥଗିତ ରଖି କହିଲେ ଏଭଳି କଥା…

ନୂଆଦିଲ୍ଲୀ: ଦିଲ୍ଲୀର ହଜରତ ନିଜାମୁଦ୍ଦିନ ପୁଲିସ ଷ୍ଟେସନରେ ନିୟୋଜିତ ଥିବା ୫୬ବର୍ଷୀୟ ସହକାରୀ ସବ୍-ଇନ୍ସପେକ୍ଟର ରାକେଶ କୁମାର କରୋନା ମହାମାରୀ ସମୟରେ କରୋନା ସଂକ୍ରମିତଙ୍କ ମୃତଦେହକୁ ସଂସ୍କାର କରୁଛନ୍ତି।

ଗତ ୩୬ ବର୍ଷ ଧରି ଦିଲ୍ଲୀ ପୁଲିସରେ କାମ କରୁଥିବା ରାକେଶ କୁମାରଙ୍କୁ ଏପ୍ରିଲ ୧୩ ତାରିଖରୁ ଲୋଧି କଲୋନୀ ଶ୍ମଶାନ ଘାଟରେ ଡ୍ୟୁଟିରେ ରଖାଯାଇଛି।

ରାକେଶ କୁମାରଙ୍କ କହିବାନୁସାରେ, ଏପ୍ରିଲ ୧୩ ରୁ ଏଯାବତ ସେ ୫୦ରୁ ଅଧିକ କରୋନା ସଂକ୍ରମିତଙ୍କ ମୃତଦେହକୁ ସଂସ୍କାର କରି ସାରିଲେଣି। କାରଣ ଦୁର୍ଭାଗ୍ୟବଶତଃ ଏହି ମୃତଦେହଗୁଡ଼ିକର ଅନ୍ତିମ ସଂସ୍କାର କରିବା ପାଇଁ କେହି ନଥିଲେ। ଏଥିସହିତ ସେ ଅତି କମରେ ୧୧୦୦ ମୃତଦେହକୁ ଶବଦାହ କରିବାରେ ସାହାଯ୍ୟ କରିଛନ୍ତି।

କେବଳ ଏତିକି ନୁହେଁ ରାକେଶ କୁମାର ନିଜର ଡିୟୁଟିକୁ ଆଗେ ଦେଖି ସ୍ଥିର ହୋଇଥିବା ଝିଅ ବାହାଘରକୁ ଘୁଞ୍ଚାଇ ଦେଇଛନ୍ତି। ତାଙ୍କର କର୍ତ୍ତବ୍ୟ ଭାବରେ ସେ ପ୍ରତିଦିନ ସକାଳ ୭ ଟାରେ ଶବଦାହ ସ୍ଥାନକୁ ଆସନ୍ତି ଏବଂ ସେଠାରେ ରାତି ପର୍ଯ୍ୟନ୍ତ ରହିଥାନ୍ତି । ଦିନସାରା ସେ ପୁରୋହିତ ଏବଂ ଶବଦାହ କର୍ମଚାରୀଙ୍କୁ ଶବଦାହରେ ସାହାଯ୍ୟ କରନ୍ତି । ଗୋଟିଏ ଦିନରେ ଲୋଧି କଲୋନୀ ଶ୍ମଶାନକୁ ପ୍ରାୟ ୬୦ ଟି ଶବ ଆସୁଛି। ମହାମାରୀ ପୂର୍ବରୁ ଏଠାକୁ ୧୦ରୁ କମ୍ ମୃତଦେହ ଆସୁଥିଲା।

ରାକେଶ କୁମାର ମୂଳତଃ ଉତ୍ତରପ୍ରଦେଶର ବାଗପାତ ଜିଲ୍ଲାରେ ବସବାସ କରନ୍ତି। ସେଠାରେ ତାଙ୍କ ପତ୍ନୀ ଏବଂ ତିନି ପିଲା ରୁହନ୍ତି। ତାଙ୍କ ଝିଅର ମଇ ୭ ତାରିଖରେ ବିବାହ ସ୍ଥିର ହୋଇଥିଲା। ଏଭଳି ପରିସ୍ଥିତିରେ ସେ ତାଙ୍କ ଡିୟୁଟି ଛାଡ଼ି ପାରିବେ ନାହିଁ। ତେଣୁ ସେ ଝିଅ ବିବାହକୁ ସ୍ଥଗିତ ରଖି ଦେଇଛନ୍ତି।

ରାକେଶ କୁମାର କହିଛନ୍ତି,ଯେ ଯଦିଓ ମୁଁ ପ୍ରତ୍ୟେକ ଦିନ ପିପିଇ କିଟ୍ ଏବଂ ଡବଲ୍ ମାସ୍କ ପିନ୍ଧିଥାଏ, ତଥାପି ମୁଁ ମୋର ପରିବାର ସଦସ୍ୟଙ୍କୁ ବିପଦରେ ପକାଇବାକୁ ଚାହେଁ ନାହିଁ । ଏଥିସହିତ ଏଠାରେ ଅନେକ ପରିବାର ଅଛନ୍ତି ଯେଉଁମାନଙ୍କୁ ଆମର ସାହାଯ୍ୟ ଆବଶ୍ୟକ ରହିଛି। ଏହା ବର୍ତ୍ତମାନ ମୋର କର୍ତ୍ତବ୍ୟ । ମୁଁ ଏହାକୁ କିପରି ଛାଡି ମୋ ଝିଅ ବିବାହ ଉତ୍ସବ ପାଳନ କରିପାରିବି?

The post କରୋନା ସଂକ୍ରମିତଙ୍କ ଶବସଂସ୍କାର କରୁଥିବାରୁ ପୁଲିସ ବାବୁ ନିଜ ଝିଅ ବାହାଘରକୁ ସ୍ଥଗିତ ରଖି କହିଲେ ଏଭଳି କଥା… first appeared on Sambad.

from ବିଶେଷ | Sambad https://ift.tt/2QRN2Jm

Post a Comment

0 Comments