
ସହର ପାଇଁ ଶ୍ରମିକ ନା ଶ୍ରମିକ ପାଇଁ ସହର ? ଶ୍ରମିକ ନଥିଲେ ହୁଏତ ଗଢା ହୋଇନଥାନ୍ତା ସହର, ଆଉ ବିନା ସହରରେ ବଞ୍ଚିବା ଶ୍ରମିକ ପାଇଁ ମୁସକିଲ ହୋଇପଡିଥାନ୍ତା । କାମଧନ୍ଦା ମିଳିନଥାନ୍ତା, ପେଟ ପୋଷି ହୋଇନଥାନ୍ତା… ସେଇଥି ପାଇଁ ତ ସହର ଓ ଶ୍ରମିକ ଉଭୟ ପରିପୂରକ । ଶ୍ରମିକ ସହର ସଜାଏ, ସହରକୁ ଗଢେ, ନିଜ ରକ୍ତକୁ ଝାଳ ପରି ନିଗାଡି ଦେଇ ସହରର କାନ୍ଥବାଡକୁ ସୁନ୍ଦର କରୁଥାଏ… ସହରର ରାସ୍ତାଘାଟ, ଗଳିକନ୍ଦି, ଛକବଜାର, ଝୁପୁଡିଠୁ କୋଠା ସବୁଠି ଥାଏ ଶ୍ରମିକର ସ୍ୱାକ୍ଷର… ଶ୍ରମିକର ଶ୍ରମ, ଶ୍ରମିକର ଅତୁଳନୀୟ ତ୍ୟାଗ…
ହେଲେ ଥରେ ଭାବିଲେ, ସହର ଯେବେ ପର କରିଦିଏ… ସେବେ ଅଲୋଡା ହୁଏ ଶ୍ରମିକ । ସ୍ୱାର୍ଥ ସରିଗଲେ ତ ସହର ତୁଟାଇ ଦିଏ ଶ୍ରମିକଠୁ ସମ୍ପର୍କ । ହଁ ଶ୍ରମିକ ସ୍ୱାର୍ଥର ସହରେ ଜଳୁଥିବା ଗୋଟେ ଷ୍ଟ୍ରିଟ୍ ଲାଇଟ୍ । ଖରା, ବର୍ଷା, ଶୀତରେ ପର ପାଇଁ ଝାଳ ବୁହାଉଥିବା ଗୋଟେ ରକ୍ତମାଂସର ମେସିନ । ଶ୍ରମିକ ଆମ ସ୍ୱପ୍ନ ସଜାଡେ, ଆମ ଆଶାରେ ରଙ୍ଗ ବୋଳେ । ପରର ସ୍ୱପ୍ନ ଗଢୁ ଗଢୁ ସେ ଦେଖେ ନିଜ ପାଇଁ ସ୍ୱପ୍ନ । ମନେମନେ ଆଙ୍କେ ରଙ୍ଗୀନ ଚିତ୍ର । ସେ ବି ଦିନେ ବଡଲୋକ ହେବ, ସେ ବି ଦିନେ ଘର କରିବ… ଆଉ ତା ସାମ୍ରାଜ୍ୟରେ ସେ ହେବ ଅଘୋଷିତ ରାଜା । ଓଜନିଆ ବସ୍ତା ଉଠାଇଲା ବେଳେ ମୁଣ୍ଡରୁ ନିଗିଡି ପଡୁଥିବା ଲୁଣିଆ ଝାଳକୁ ଆଖିଠୁ ଦୂରେଇ ସେ ଦେଖୁଥାଏ ଏମିତି ସ୍ୱପ୍ନ… ସେଇଥିପାଇଁ ତ ତା ଶ୍ରମରେ ନଥାଏ ଭେଜାଲପଣ, କାମରେ ନଥାଏ କୌଣସି ଛଳନା । ଶ୍ରମିକ ଗୋଟେ ବିଶ୍ୱାସର ଡାକ । କିନ୍ତୁ ଏଇ ସହର ସ୍ୱାର୍ଥ ସରିଗଲେ କି ବିପଦ ଆସିଲେ ଶ୍ରମିକକୁ ଆଡ ଆଖିରେ ଅନାଏନି । ଏଡେ ବଡ ସହର ପର କରିବା ପରେ କିଏ ବା ଥାଏ ଶ୍ରମିକର ନିଜର… ଆଉ ସେ ଫେରେ ନିଜ ଭିଟାମାଟିକୁ, ନିଜ ମାଟିମାଆ କୋଳକୁ…
ବର୍ଷେ ତଳେ ଶ୍ରମିକଙ୍କ ଅନେକ ସଂଘର୍ଷର କାହାଣୀ ଦେଖିଛି ଏ ଦେଶ । ଅନେକ କାହାଣୀ ଲେଖିଛି ଭାରତ । ତତଲା ତାତିରେ ଶ୍ରମିକ ଯାତ୍ରା, ଘୂରିଯାଇଥିବା ଚପଲ, ଫୋଟକା ପାଦ, ପୁଅ ପାଇଁ ଲଗେଜ ଟ୍ରେନ, ପାଣି ବିନା ତ୍ରାହି ତ୍ରାହି ଡାକୁଥିବା ମଣିଷ… ଏମିତି କେତେ କେତେ ଖବର ଲେଖିଛି ଏ ହାତ । ଭାବିଥିଲେ ଗତବର୍ଷର ଚିତ୍ର ଏବର୍ଷ ରିପିଟ ହେବନି । କୋଡିଏ ଶ୍ରମିକଙ୍କ ଛାତିରେ ଯେଉଁ ଦାଗ ଦେଇଛି ତାହା ୨୧ରେ ଆଉ ହେବନି । କିନ୍ତୁ ବିଡମ୍ବନାର ବିଷୟ ୨ୟ ଲହରର ପ୍ରଥମଠୁ ଦେଉଛି ଆହୁରି ଦାରୁଣ ଦୁଃଖ…
ଯେତେବେଳେ ବଡ ବଡ ସହରର କଳକାରଖାନା ତାଲା ପଡିଗଲା ସେତେବେଳେ ପେଡିପୁଟୁଳା ଧରି ଗାଁମୁହାଁ ଶ୍ରମିକ । ଏଥର କରୋନା ପାଇଁ କେହି କଷ୍ଟ ନପାଉ, ସେଥିପାଇଁ ଆଗୁଆ ଅଭିଯାନ ଆରମ୍ଭ କରିଥିଲେ ବି ଅପେକ୍ଷାର କିନ୍ତୁ ଅନ୍ତ ହେଉନି… କେଉଁଠି ଶ୍ରମିକ ଟ୍ରେନ ପାଇଁ ତ କେଉଁଠି ବସ ପାଇଁ ଘଣ୍ଟା ଘଣ୍ଟା ଧରି ବସି ରହିଛନ୍ତି । ନା ଗାଡି ଆସୁଛି ନା ଅପେକ୍ଷା ସରୁଛି । ତଥାପି ହାରୁନାହିଁ ମନ, ଅପେକ୍ଷା ଭିତରେ ଆଶା ଅଛି ନିଜର ମାଟିକୁ ଫେରିବାକୁ… କାରଣ ସ୍ୱାର୍ଥ ପର ସହରରେ କିଏ ଅଛି ଏ ନିଶ୍ୱାର୍ଥପର ଶ୍ରମିକ ପାଇଁ…?
କରୋନା କମିଯିବ, କଟକଣା ବି ଉଠିଯିବ… ପୂର୍ବପରି ପୁଣି ଚାଲିବ କଳକାରଖାନା… ରାସ୍ତାର ଛାତିରେ ଧାଇଁବ ଗାଡିମଟର । ଶୋଇଥିବା ସହର ପୁଣି ଚେଇଁବ, ସଜେଇ ହେବାକୁ ଶ୍ରମିକ ଖୋଜିବ… ସ୍ୱାର୍ଥବାଦୀ ମାଲିକଙ୍କ ଫୋନ ପୁଣି ଆସିବ… ହେଲେ ସେତେବେଳେ କଣ କରିବ ଶ୍ରମିକ ? ସ୍ୱାର୍ଥର ସହରକୁ ସବୁଜ ସଙ୍କେତ ଦେବ ନା ସବୁଦିନ ପାଇଁ ମୁହଁମୋଡିଦେବ? ନିଜ ମାଟିକୁ ଛାଡି ପୁଣି ପର ରାଇଜକୁ ଯିବ ନା ନିଜ ରାଜ୍ୟରେ କାମ ଖୋଜିବ? ଏଇ ହଁ, ନା ଭିତରେ ଶ୍ରମିକ ସରକାରଙ୍କୁ ପ୍ରଶ୍ନ କରୁଥିବ, ସରକାର ! ଆମକୁ କାମ ଦେବ ତ ନା ଆମେ ପୁଣି ଫେରିଯିବୁ ପର ରାଇଜକୁ, ସ୍ୱାର୍ଥର ସହରକୁ…
ଆଜି ଶ୍ରମିକ ଦିବସ, ଶ୍ରମିକଙ୍କ ପାଇଁ ଦିନଟିଏ । ଶ୍ରମିକଙ୍କୁ ନେଇ ଆଜି କିଏ କେତେ କଥା ଲେଖିବ । ନେତା, ମନ୍ତ୍ରୀଠୁ ତାଙ୍କ ସରକାର… ଶ୍ରମିକର ବାଃବାଃ କରିବେ… କିନ୍ତୁ ଗୁଣଗାନ କରିବାଠୁ ଯଦି ଶ୍ରମିକଙ୍କ ପାଇଁ ନିଜ ରାଜ୍ୟରେ କାମର ବ୍ୟବସ୍ଥା କରାଯାଏ ତେବେ ତାହାହିଁ ହେବ ଶ୍ରମିକଙ୍କ ପାଇଁ ବଡ ଶୁଭେଚ୍ଛା, ବଡ ଉପହାର…
The post ଶ୍ରମିକ ଦିବସରେ ସରକାରଙ୍କୁ ବାଟଚଲା ଶ୍ରମିକଙ୍କ ପ୍ରଶ୍ନ; ଆମ ରାଜ୍ୟରେ କାମ ଦେବ ନା ପର ରାଇଜେ ମୁଣ୍ଡ ବିକିବୁ? first appeared on Sambad.from ବିଶେଷ | Sambad https://ift.tt/3eahRlm
0 Comments