‘ଯୋଗ, ଆସନ ବଢ଼ାଏ ରୋଗ ପ୍ରତିରୋଧ ଶକ୍ତି’

ପ୍ରଶ୍ନ: କରୋନାର ଦ୍ବିତୀୟ ଲହର୍‌ ଏତେ ଘାତକ କାହିଁକି ସାଜିଛି?
ଉତ୍ତର: ପ୍ରଥମ ଲହର ଅପେକ୍ଷା ଦ୍ବିତୀୟ ଲହର ୭୦ପ୍ରତିଶତ ଅଧିକ ଘାତକ। ଶୀଘ୍ର ସଂକ୍ରମିତ ହୁଏ ଓ ନାସା ମାର୍ଗ, ଶ୍ୱାସ ନଳିକା ସଂକ୍ରମିତ କରି ବିପଦ ବଢ଼ାଏ, ପ୍ରତିରୋଧକ ଶକ୍ତି ନଥିଲେ ନିଜ ପ୍ରତିରୂପ ବଦଳାଇ ଘାତକ ହୋଇଯାଏ।

ପ୍ରଶ୍ନ:କରୋନାରୁ ରକ୍ଷା ପାଇବା ପାଇଁ ପ୍ରତିଷେଧକ ବ୍ୟବସ୍ଥା କଣ?
ଉତ୍ତର: ମହାମାରୀରୁ ରକ୍ଷା ପାଇଁ ପ୍ରାତଃ ଉଠି ଦିନଚର୍ଯ୍ୟା ସହ ଯୋଗାସନ କରନ୍ତୁ। ତୁଳସୀ, ଶୁଣ୍ଠି, ଡାଳଚିନି, ଗୋଲମରିଚ, ଦ୍ରାକ୍ଷା ମିଶ୍ରିତ ଆୟୁଷ କ୍ୱାଥ ପିଅନ୍ତୁ। ଗୁଳୁଚି, ହଳଦୀ, ରସୁଣ, ପିଆଜ, ରାଶି ଭଜା ଖାଆନ୍ତୁ।

ପ୍ରଶ୍ନ: ଯଦି କେହି କୋଭିଡ୍ ସଂକ୍ରମିତ ହୁଅନ୍ତି, ଏହାର ଆୟୁର୍ବେଦ ଉପଚାର କଣ?
ଉତ୍ତର: କୋଭିଡ ସଂକ୍ରମିତ ହେଲେ ଭୂତାଣୁ ନାଶକ ଦ୍ରବ୍ୟ ଗୋରଚନା, ଗଙ୍ଗଶିଉଳୀ ପତ୍ର ରସ, କଣ୍ଟା ମାରିଶ ମୂଳ, ହଳଦୀ, ଆୟୁଷ-୬୪, ମହା ସୁଦର୍ଶନ ଘନବଟି, ଅମୃତାରିଷ୍ଟ ମଧ୍ୟରୁ ଯେକୌଣସି ଦୁଇଟି ଡାକ୍ତରଙ୍କ ପରାମର୍ଶରେ ଖାଆନ୍ତୁ। ଫୁସଫୁସ ଅଧିକ ସଂକ୍ରମିତ ହେଲେ ସିଦ୍ଧ ମକରଧ୍ବଜ ଦିଅନ୍ତୁ। ମନରେ ଆଧ୍ୟାତ୍ମିକ ଭାବ, ଶାନ୍ତି, ଖୁସି ରଖନ୍ତୁ। ଗରମ ପାଣି ପିଅନ୍ତୁ। ଅମ୍ଳଜାନ ଭରା ଖୋଲା ଜାଗାରେ ରହନ୍ତୁ। ଧଳା ସୋରିଷ, ଝୁଣା, ଗନ୍ଧକ, ବେଗୁନିଆ ପତ୍ର ଧୂଆଁ ଦିଅନ୍ତୁ। ଲଘୁ, ସୁପାଚ୍ୟ, ସାତ୍ତ୍ବିକ ଭୋଜନ ଅଁଳା ଆଚାର ବା ପୁଦିନା ଚଟଣି ସହ ଖାଆନ୍ତୁ।

ପ୍ରଶ୍ନ: ଆକ୍ରାନ୍ତ ରୋଗୀଙ୍କ ଶରୀରର ଅମ୍ଳଜାନ ସ୍ତର ହ୍ରାସ ନଘଟିବା ପାଇଁ କଣ ଉପାୟ?
ଉତ୍ତର: ଅନୁଲୋମ- ବିଲୋମ, ଶୀତଳୀ, ଭ୍ରାମରୀ, ଫୁସ୍‌ଫୁସ୍‌ ଅଧିକ ସଂକ୍ରମିତ ହୋଇନଥିଲେ ଭସ୍ତିକା, କପାଳଭାତି ପ୍ରାଣାୟମ କରନ୍ତୁ l ପେଟ ମାଡ଼ି ଅଧଘଣ୍ଟା ଶୁଅନ୍ତୁ। ପୁଣି ବାମ, ଦକ୍ଷିଣ କଡ଼ ଲେଉଟାଉ ଥାଆନ୍ତୁ ,ଏପରି ଦୀର୍ଘ ସମୟ କରନ୍ତୁ । ମୁହଁ ପାଖରେ ଛୋଟ ପଙ୍ଖାଟିଏ ରଖନ୍ତୁ। ଘରର ଗୋଟିଏ କୋଣରେ ଜୁଆଣୀ ଓ ପିମ୍ପରମେଣ୍ଟ ଫୁଲ ଟିକିଏ ରଖନ୍ତୁ।

ପ୍ରଶ୍ନ: ଶିଶୁମାନଙ୍କ ସୁରକ୍ଷା ପାଇଁ କି ପଦକ୍ଷେପ ନେବା ଆବଶ୍ୟକ?
ଉତ୍ତର: ଶିଶୁକୁ ଆଦୌ ବାହାରକୁ ଛାଡ଼ନ୍ତୁ ନାହିଁ। ବାହାର ଲୋକ ଆସିଲେ ସ୍ପର୍ଶ କରିବାକୁ ଦିଅନ୍ତୁ ନାହିଁ। ଫୁଟାପାଣି ଦିଅନ୍ତୁ, ହାତ, ଗୋଡ଼ ସଫା ରଖନ୍ତୁ, ଲୁଗା ସଫାକରି ଖରାରେ ଶୁଖାନ୍ତୁ। ଅରବିନ୍ଦାସବ ପିଇବାକୁ ଦିଅନ୍ତୁ।

ପ୍ରଶ୍ନ: ପ୍ରାକୃତିକ ଉପାୟରେ କିପରି ବଢ଼ିବ ରୋଗ ପ୍ରତିରୋଧ ଶକ୍ତି?
ଉତ୍ତର: ଧ୍ୟାନ ଓ ଯୋଗାସନ କରନ୍ତୁ। ଗୁଳୁଚି, ଦ୍ରାକ୍ଷା, ପିପ୍ପଳୀ, ଅଶ୍ବଗନ୍ଧା, ପେସ୍ତା ବାଦାମ, ହଳଦୀ, ଅଁଳା, ହରଡ଼ା ଓ ଚ୍ୟବନପ୍ରାସ୍‌ ଖାଆନ୍ତୁ। ଦୈନନ୍ଦିନ ଜୀବନଚର୍ଯ୍ୟାକୁ ବ୍ୟବସ୍ଥିତ କରନ୍ତୁ।

ପ୍ରଶ୍ନ: ଟିକାକରଣ ଏଇ ମହାମାରୀକୁ ପ୍ରତିହତ କରିବାରେ କେତେ‌ ଉପଯୋଗୀ?
ଉତ୍ତର: ଟିକା, ବର୍ଷା ପାଇଁ ଛତାଟିଏ ଭଳି। ଏହା ରୋଗକୁ ପ୍ରତିହତ କରିପାରିବ ନାହିଁ କିନ୍ତୁ ଅଧିକ ଘାତକ ହୋଇ ନ ପାରେ। ଦ୍ବିତୀୟ ମାତ୍ରା ଟିକା ନେଇଥିବା ବ୍ୟକ୍ତିମାନେ ମଧ୍ୟ ଆକ୍ରାନ୍ତ ହେବା ଏବଂ ମରୁଥିବା ଦେଖାଯାଉଛି। ତେଣୁ ଟିକା ନେଲା ପରେ ମଧ୍ୟ ସଚେତନତା ଜରୁରୀ।

ବ୍ରହ୍ମପୁର

The post ‘ଯୋଗ, ଆସନ ବଢ଼ାଏ ରୋଗ ପ୍ରତିରୋଧ ଶକ୍ତି’ first appeared on Sambad.

from ବିଶେଷ | Sambad https://ift.tt/3ufCuB8

Post a Comment

0 Comments