
ଆନନ୍ଦପୁର: ଘଞ୍ଚ ଜଙ୍ଗଲ ମଧ୍ୟରେ ବଞ୍ଚିବାର ରାହା ଖୋଜୁଥିଲା ଅସହାୟ ପରିବାର। ଭୋକଉପାସରେ ରହୁଥିଲେ ପରିବାରର ୫ଜଣ ସଦସ୍ୟ। ବାରମ୍ବାର ପ୍ରଶାସନ ପାଖରେ ଗୁହାରି କରିଥିଲେ ମଧ୍ୟ କୌଣସି ସହାୟତା ମିଳି ନଥିଲା। ଶେଷରେ ସାହାଯ୍ୟରେ ହାତ ବଢ଼ାଇଲେ ସ୍ବେଚ୍ଛାସେବୀ। ଚଳିବା ପାଇଁ ରାସନ ସାମଗ୍ରୀ ଯୋଗାଇଦେବା ସହ ଗରିବ ପରିବାର ପାଇଁ ଘରଟିଏ ତୋଳି ଦେଇଛନ୍ତି। ସ୍ବେଚ୍ଛାସେବୀଙ୍କ ଏହି ବଦାନ୍ୟତାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି।
ପ୍ରାପ୍ତ ସୂଚନା ଅନୁସାରେ, ଆନନ୍ଦପୁର ସୀମାନ୍ତ ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ୍ ଶାଳଚୁଆ ପଞ୍ଚାୟତ କରଡ଼ାପାଳ ଗ୍ରାମର ପୂଜା ହୋ (୪୦)ଙ୍କ ସ୍ବାମୀ ବିର୍ସା ହୋ କିଛିମାସ ତଳେ ସଉଦା କିଣିବାକୁ ଯାଇ ଆଉ ଘରକୁ ଫେରିନାହାନ୍ତି। ସ୍ବାମୀ କେଉଁଆଡ଼େ ଚାଲିଯିବା ପରେ ପୂଜା ନିଜ ଚାରି ସନ୍ତାନକୁ ନେଇ ଚିନ୍ତାରେ ପଡ଼ିଯାଇଥିଲେ। ପିଲାଙ୍କ ମୁହଁରେ ଦାନା ଦେବାପାଇଁ କିଛିଦିନ ଧରି ଗ୍ରାମର ଏକ ଟ୍ରାକ୍ଟରରେ ଶ୍ରମିକଭାବେ କାର୍ଯ୍ୟ କରିଥିଲେ। ଦୁଇମାସ ତଳେ ସେ ହଠାତ୍ ଅସୁସ୍ଥ ହୋଇପଡ଼ିବାରୁ ଆଉ କାମକୁ ଯାଇପାରି ନଥିଲେ। ଏଭଳି ସ୍ଥିତିରେ ପରିବାରର ଦୁର୍ଦ୍ଦଶା ଆହୁରି ବଢ଼ି ଯାଇଥିଲା। ରାସନ କାର୍ଡରେ ମିଳୁଥିବା ୧୦ କେଜି ଚାଉଳ ପରିବାରର ଭୋକ ମେଣ୍ଟାଇ ପାରିଲା ନାହିଁ। ପିଲାମାନେ ପରଘରୁ ମାଗି ଖାଇଲେ। ଝାଟିମାଟି ଘରେ ଅସୁରକ୍ଷିତ ଅବସ୍ଥାରେ ପୂଜା ଓ ତାଙ୍କ ପିଲାମାନେ ରହୁଥିଲେ।

ସୋସିଆଲ ମିଡିଆରୁ ଖବରପାଇ ହାଟଡିହିର ସ୍ବେଚ୍ଛାସେବୀ ଉମାକାନ୍ତ ରାଉତ ପରିବାରକୁ ମାସକପାଇଁ ଚାଉଳ, ଡାଲି, ତେଲ, ବିସ୍କୁଟ ଓ ଅନ୍ୟାନ୍ୟ ରାସନ ସାମଗ୍ରୀ ଯୋଗାଇ ଦେଇଥିଲେ। ସାହାଯ୍ୟ ସେବାସଂସ୍ଥା ଓ ପାରିଜାତମ ଫାଉଣ୍ଡେସନର ସଦସ୍ୟମାନେ ମଧ୍ୟ ସହଯୋଗର ହାତ ବଢ଼ାଇଲେ। ପୂଜାଙ୍କ ପାଇଁ ଘରଟିଏ ତିଆରି କରିଦେଲେ। ଦିନ କେଇଟାରେ ପୂଜାଙ୍କ ଝାଟିମାଟି କୁଡ଼ିଆର ଚିତ୍ର ବଦଳି ଯାଇଛି। ଇଟା କାନ୍ଥ ଘର ଉପରେ ଚାଳ ଛପର ହୋଇଛି। ପୂଜା ୪ ଛୁଆଙ୍କୁ ଧରି ସେହି ଘରେ ରହୁଛନ୍ତି।
The post ସ୍ବେଚ୍ଛାସେବୀଙ୍କ ଉଦ୍ୟମରେ ବଦଳିଗଲା ଝାଟିମାଟି ଘରର ଚିତ୍ର first appeared on Sambad.from ବିଶେଷ | Sambad https://ift.tt/3xUednb
0 Comments