
ବ୍ରହ୍ମପୁର : ବ୍ଲାକ୍ ଫଙ୍ଗସ୍ ବା ମ୍ୟୁକରମାଇକୋସିସ୍ ଏକ ଫଙ୍ଗାଲ୍ ରୋଗ ଯାହା ସାଧାରଣତଃ ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଥିବା ରୋଗୀମାନଙ୍କ ପାଖରେ ଦେଖାଯାଏ। ସାଧାରଣତଃ ଏହି କବକ ବା ଫଙ୍ଗସ୍ ଧୂଳି, ମାଟି, ଆର୍ଦ୍ର ଜଳବାୟୁରେ ଦେଖିବାକୁ ମିଳେ। ସାରା ପୃଥିବୀର ପ୍ରାୟତଃ ଶତକଡ଼ା ୪୦ ଭାଗ ଏହି କବକଜନିତ ରୋଗ ଭାରତରେ ଦେଖାଯାଏ। କାରଣ ଭାରତର ଶୁଖିଲା ଆର୍ଦ୍ର ଜଳବାୟୁ ଏହି କବକ ବା ଫଙ୍ଗସ୍ ବୃଦ୍ଧିରେ ସହାୟକ ହୋଇଥାଏ। କୋଭିଡ-୧୯ ବା କରୋନାରେ ଆକ୍ରାନ୍ତ ରୋଗୀମାନେ ମୁଖ୍ୟତଃ ଏହି କବକ ଜନିତ ରୋଗ ବା ବ୍ଲାକ୍ ଫଙ୍ଗସ୍ରେ ଆକ୍ରାନ୍ତ ହେବାର ସମ୍ଭାବନା ଅଧିକ। ବର୍ତ୍ତମାନ ମହାରାଷ୍ଟ୍ର, ଗୁଜୁରାଟ, ଦିଲ୍ଲୀ ଆଦି ସ୍ଥାନରେ ଏହି ରୋଗରେ ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି।
ଯେଉଁ କରୋନା ରୋଗୀ ମଧୁମେହ ବା ଡାଇବେଟିସ୍ରେ ପୀଡ଼ିତ, ଅନିୟନ୍ତ୍ରିତ ରକ୍ତ ଶର୍କରା ସ୍ତର, ଦୀର୍ଘ ଦିନ ଧରି ଷ୍ଟେରୟଡ୍ ଔଷଧର ସେବନ, ଇଣ୍ଟେନ୍ସିଭ୍ କେୟାର ୟୁନିଟ୍ରେ (ଆଇସିୟୁ) ଦୀର୍ଘ ସମୟ ରହଣି, କର୍କଟ ଏବଂ ହୃଦ୍ରୋଗୀ ଓ ଅଙ୍ଗ ପ୍ରତିରୋପଣ ରୋଗୀମାନଙ୍କ ଶରୀରରେ ରୋଗ ପ୍ରତିରୋଧ ଶକ୍ତି ଦୁର୍ବଳ ଥାଏ। ଏଣୁ ସେମାନେ ଏହି ରୋଗରେ ଆକ୍ରାନ୍ତ ହେବାର ଆଶଙ୍କା ଅଧିକ। ଏହି ରୋଗର ଲକ୍ଷଣ ହେଲା, ନାକରୁ କଳା ପାଣି ବାହାରିବା, ମୁଣ୍ଡ ଚାରିପଟେ ବିନ୍ଧା ହେବା, ଆଖି ଲାଲ୍ ପଡ଼ି ଫୁଲିବା, ପାଟି ଭିତରେ ଯନ୍ତ୍ରଣା ହେବା ସହିତ କଳାଦାଗ ଦେଖାଯିବା। ପ୍ରାଥମିକ ଅବସ୍ଥାରେ ଚିକିତ୍ସା ନକରାଇଲେ ନାକ, ଆଖି, ମାଢି, ହାଡ଼, ଫୁସ୍ଫୁସ୍ ଓ ମସ୍ତିଷ୍କକୁ ନଷ୍ଟ କରିବା ସହିତ ଜୀବନ ମଧ୍ୟ ନେଇଯାଉଛି ଏହି ଫଙ୍ଗାଲ ଇନ୍ଫେକ୍ସନ୍। ଏହି ରୋଗରେ ମୃତ୍ୟୁ ହାର ଶତକଡ଼ା ୪୦ ଭାଗ ହୋଇ ପାରେ। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଏହି ରୋଗ ଡିଆଁ ରୋଗ ନୁହଁ। ଜଣେ ରୋଗୀଙ୍କ ଠାରୁ ଏହା ଅନ୍ୟକୁ ସଂକ୍ରମିତ କରିନଥାଏ।
କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା ବେଳେ ମାତ୍ରାଧିକ ଓ ଦୀର୍ଘ ଦିନ ଯାଏ ଷ୍ଟେରଏଡ୍, ଆଣ୍ଟିବାୟୋଟିକ ଔଷଧ ଦିଆଗଲେ ରୋଗୀ କରୋନାରୁ ସୁସ୍ଥ ହେଉଥିଲେ ମଧ୍ୟ ଏହି ଫଙ୍ଗାଲ୍ ଇନ୍ଫେକ୍ସନ୍ର ଶିକାର ହେବାର ଆଶଙ୍କା ଦେଖାଯାଏ। କରୋନା ରୋଗୀଙ୍କୁ ଆବଶ୍ୟକତା ପୂର୍ବରୁ ମାତ୍ରାଧିକ ଷ୍ଟେରୟଡ୍ ଦେବା ଅନୁଚିତ, ରୋଗୀଙ୍କୁ ଅକ୍ସିଜେନ ଲଗାଇଲା ବେଳେ ଅକ୍ସିଜେନ୍ ସିଲିଣ୍ଡର୍ ସହିତ ଷ୍ଟେର୍ଲାଇଜ୍ ପାଣିର ବ୍ୟବହାର କରିବା ଉଚିତ। ଏଥିସହ କରୋନାରୁ ସୁସ୍ଥ ହେଉଥିବା ମଧୁମେହ ରୋଗୀ, ରକ୍ତ ଶର୍କରା ସ୍ତରକୁ ନିୟନ୍ତ୍ରଣ ରଖିବା ସହିତ ବାହରକୁ ଗଲାବେଳେ କିମ୍ବା ବଗିଚାରେ କାମ କରିବା ବେଳେ ମାସ୍କ, ଗ୍ଲୋଭସ୍, ଫୁଲ୍ ସାର୍ଟ, ପ୍ୟାଣ୍ଟ୍ ଏବଂ ଫୁଲ୍ ଜୋତା ପିନ୍ଧିବା ଆବଶ୍ୟକ। ମାଟିରେ ଏହି ଫଙ୍ଗସ୍ ରହୁଥିବାରୁ ମାଟିର ସଂସ୍ପର୍ଶରେ ଆସନ୍ତୁ ନାହିଁ। ଏ ସବୁ ଦିଗକୁ ଧ୍ୟାନ ଦେଇ ସତର୍କ ରହିଲେ ନିଜକୁ ସଂକ୍ରମଣରୁ ରକ୍ଷା କରି ପାରିବା।
ସଂପ୍ରତି ବ୍ଲାକ୍ ଫଙ୍ଗସ୍ ଏକ ମାରାତ୍ମକ ରୋଗ। କିନ୍ତୁ ଦୂରାରୋଗ ନୁହେଁ। ପ୍ରାରମ୍ଭିକ ପର୍ଯ୍ୟାୟରେ ଏହାର ଚିକିତ୍ସା ସମ୍ଭବ। ତେଣୁ ଲକ୍ଷଣ ଦେଖାଯିବା ମାତ୍ରେ ଡାକ୍ତରଙ୍କ ପରାମର୍ଶ ନେବା ଯେତିକି ଜରୁରି ତା’ ଠାରୁ ଅଧିକ ଜରୁରି ସଂକ୍ରମଣରୁ ବର୍ତ୍ତିବାର ଉପାୟ ଜାଣିବା। ଉପଯୁକ୍ତ ପଦକ୍ଷେପ ନେଇ ରକ୍ତ ଶର୍କରା ସ୍ତର ନିୟନ୍ତ୍ରଣ ରଖିବା, ରୋଗ ପ୍ରତିରୋଧ ଶକ୍ତିକୁ ଦୁର୍ବଳ କରୁଥିବା ଔଷଧ ସେବନ ନକରିବା ଉଚିତ। ଏହାର ପ୍ରତିରୋଧ ନିମନ୍ତେ ଆଣ୍ଟି ଫଙ୍ଗାଲ୍ ଔଷଧ ଯଥା, ଆମ୍ଫୋଟେରିସିନ୍-ବି ଓ ପୋଶାକୋନାଜୋଲ୍ ରହିଛି ଏବଂ ଅସ୍ତ୍ରୋପଚାର ଜରିଆରେ ମୃତ କୋଷିକା ଗୁଡ଼ିକ ବାହାର କରାଯାଇ ମଧ୍ୟ ଚିକିତ୍ସା କରାଯାଇଥାଏ।
ଡାକ୍ତର ପି. ରବି କୁମାର
ଆସୋସିଏଟ୍ ପ୍ରଫେସର, ଅନ୍ତଃସ୍ରାବ ବିଭାଗଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲ୍, ବ୍ରହ୍ମପୁର
from ବିଶେଷ | Sambad https://ift.tt/3ocVzT5
0 Comments