କୋଭିଡ୍‌ ଟିକାର ପେଟେଣ୍ଟ୍‌ ତୁରନ୍ତ ଛାଡ଼ିବାକୁ ଭାରତର ଦାବି

କୋଭିଡ୍‌ ମହାମାରୀ ପରିପ୍ରେକ୍ଷୀରେ ବିଶ୍ବରେ ଟିକା ଉତ୍ପାଦନକାରୀ କମ୍ପାନି ସାମୟିକ ଭାବେ ନିଜ ଟିକାର ପେଟେଣ୍ଟ୍‌ (ବୌଦ୍ଧିକ ସମ୍ପତ୍ତି ଅଧିକାର) ଛାଡ଼ କରିବାକୁ ଭାରତ କିଛି ଦିନ ହେଲା କହି ଆସୁଛି। ତୁରନ୍ତ ଏହି ପ୍ରସ୍ତାବ ଉପରେ ଆନ୍ତର୍ଜାତିକ ସ୍ତରରେ ସହମତି ଆଣିବା ନିମନ୍ତେ ଭାରତ ତା’ର ଅଭିଯାନ ଜାରି ରଖିଛି। ୧୨ ତ‌ାରିଖରେ ୱାର୍ଲଡ୍‌ ଇକୋନୋମିକ୍‌ ଫୋରମ୍‌ର ଏକ ବୈଠକରେ ଭାରତର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋଏଲ୍‌ ଏହି ପ୍ରସଙ୍ଗ ପୁଣି ଉଠାଇଥିଲେ। ବିଶ୍ବ ବାଣିଜ୍ୟ ସଂଗଠନ(ଡବ୍ଲ୍ୟୁଟିଓ)ରେ ଏହି ପ୍ରସ୍ତାବ ଉପରେ ତୁରନ୍ତ ସହମତି ଆଣି କାର୍ଯ୍ୟ କରିବାକୁ ସେ କହିଥିଲେ।

ଶ୍ରୀ ‌ଗୋଏଲ୍‌ କହିଥିଲେ ଯେ ପ୍ରସ୍ତାବ ଉପରେ ସହମତି ଆସିଲେ ଟେକ୍ନୋଲୋଜିର ଆଦାନପ୍ରଦାନ ଓ କଞ୍ଚାମାଲ ଉପଲବ୍ଧତା ଦେଖିବାକୁ ପଡ଼ିବ। କୋଭିଡ୍‌ ସଂକ୍ରମଣକୁ ନିୟନ୍ତ୍ରଣ କରିବାର ଜରୁରୀ ଆବଶ୍ୟକତା ଥିବାରୁ ଏ ସବୁ କାମ ତ୍ବରାନ୍ବିତ ହେବାର ଆବଶ୍ୟକତା ରହିଛି। ଯଦି ପ୍ରସ୍ତାବ ଉପରେ ସହମତି ଆସିବାରେ ବିଳମ୍ବ ହୁଏ, ତେବେ ତାହା ଲାଭଦାୟକ ସାବ୍ୟସ୍ତ ହେବନି। ଭାରତ ସବୁବେଳେ ବୌଦ୍ଧିକ ସମ୍ପତ୍ତି ଅଧିକାରକୁ ସମ୍ମାନ ଦେଇ ଆସିଛି ଓ ଆଗକୁ ମଧ୍ୟ ତାହା ଜାରି ରହିବ। କିନ୍ତୁ ବର୍ତ୍ତମାନର ଅପ୍ରତ୍ୟାଶିତ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ପେଟେଣ୍ଟ୍‌ ସାମୟିକ ଭାବେ କୋହଳ କରିବାର ଆବଶ୍ୟକତା ରହିଛି। ଯେଉଁ ଦେଶଗୁଡ଼ିକରେ ଟିକାର ଅତି ଜରୁରୀ ଆବଶ୍ୟକତା ରହିଛି, ସେଠାକୁ ଟିକା ଯୋଗାଇବା ପାଇଁ ସବୁ ରାଷ୍ଟ୍ର ପଦକ୍ଷେପ ନେବାକୁ ମଧ୍ୟ ସେ ନିବେଦନ କରିଛନ୍ତି। ବୈଠକରେ ଉପସ୍ଥିତ ଥିବା ବିଶ୍ବ ବାଣିଜ୍ୟ ସଂଗଠନର ମହାନି‌ର୍ଦ୍ଦେଶକ କହିଥିଲେ ଯେ କେବଳ ପେଟେଣ୍ଟ୍‌ ନୁହେଁ, ବର୍ତ୍ତମାନ ପରିପ୍ରେକ୍ଷ‌ୀରେ ସବୁ‌ ଦେଶଗୁଡ଼ିକ ମଧ୍ୟ ଟିକା ସମ୍ପର୍କିତ ସାମଗ୍ରୀଗୁଡ଼ିକ ଆମଦାନୀ ଉପରେ ଅଧିକ ପ୍ରତିବନ୍ଧକ ଲଗାଇବା ଉଚିତ ନୁହେଁ। ପେଟେଣ୍ଟ୍‌ ପ୍ରସଙ୍ଗରେ ଆମେ ଅଧିକ ଦିନ ଅପେକ୍ଷା କରିବା ଠିକ୍ ନୁହେଁ। ବର୍ତ୍ତମାନ କରୋନାରେ ବହୁ ଲୋକଙ୍କ ଜୀବନ ଚାଲିଯାଉଛି। ତେଣୁ ଦେଶଗୁଡ଼ିକ ଏ ସମ୍ପର୍କରେ ଆଲୋଚନା ପାଇଁ ତୁରନ୍ତ ଆଗେଇ ଆସିବା କଥା। ଜୁଲାଇ ସୁଦ୍ଧା ଏହି ପ୍ରସ୍ତାବ ଉପରେ ନିଶ୍ଚିତ ସହମତି ଆସିବ ଓ ଡିସେମ୍ବର ସୁଦ୍ଧା ଚୂଡ଼ାନ୍ତ ଫଳାଫଳ ଆସିବ ବୋଲି ସେ ଆଶାପ୍ରକଟ କରିଥିଲେ।

୨୦୨୦ ଅକ୍ଟୋବର ମାସରେ ଭାରତ ଓ ଦକ୍ଷିଣ ଆଫ୍ରିକା ସାମୟିକ ଭାବେ ଟିକାର ପେଟେଣ୍ଟ୍‌ ଛାଡ଼ କରିବାକୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ବିକଶିତ ରାଷ୍ଟ୍ରଗୁଡ଼ିକ ଏହାକୁ ବିରୋଧ କରିଥିଲେ। ଏବେ ଆମେରିକା ଓ ନ୍ୟୁଜିଲାଣ୍ଡ୍‌ ପରି କିଛି ରାଷ୍ଟ୍ର ଏହି ପ୍ରସ୍ତାବ ସପକ୍ଷରେ ମତ ଦେଇଥିବାରୁ ଏହା ଉପରେ ସହମତି ଆସିବା ନେଇ ଆଶା ଦେଖାଦେଇଛି।

The post କୋଭିଡ୍‌ ଟିକାର ପେଟେଣ୍ଟ୍‌ ତୁରନ୍ତ ଛାଡ଼ିବାକୁ ଭାରତର ଦାବି first appeared on Sambad.

from ବିଶେଷ | Sambad https://ift.tt/33JWAsq

Post a Comment

0 Comments