ନିରାଶା ଭିତରେ ଆଶାର ଝଲକ୍‌: ୨ ଶହରୁ ଅଧିକ କୋଭିଡ୍‌ ମୃତକଙ୍କୁ ସତ୍କାର କଲେଣି

ବାଲେଶ୍ବର : ଅରୁଣ କୁମାର କର ଓରଫ୍‌ ବ୍ରଜ ଭାଇ। ବୟସ ଆସି ୬୩ ହେଲାଣି। ଦେହରେ କରୋନା କିଟ୍‌ ନାହିଁ କି ହାତରେ ଗ୍ଲୋବ୍‌ସ ନାହିଁ। ପାଦେ ପାଦେ ବିପଦ, ତଥାପି ତାଙ୍କ ଆତ୍ମବିଶ୍ବାସ ଆଗରେ ସବୁ କିଛି ହାର୍‌ ମାନିଛି। ଖଣ୍ଡିଏ ଗାମୁଛା ପିନ୍ଧି ପୁଙ୍ଗୁଳା ଦେହରେ କୋଭିଡ୍‌ ମୃତଦେହ ସତ୍କାର କରୁଛନ୍ତି। ଏପର୍ଯ୍ୟନ୍ତ ସୁଦ୍ଧା ୨୦୦ରୁ ଅଧିକ କୋଭିଡ୍‌ ମୃତକଙ୍କୁ ସତ୍କାର କରିସାରିଲେଣି ବୋଲି କୁହନ୍ତି ବ୍ରଜ।

୨୦୧୦ ମସିହାରେ ବାଲେଶ୍ବର ନୁଣିଆଯୋଡ଼ିରେ ଯେବେଠୁ ମୁକ୍ତିଦ୍ବାର ପ୍ରତିଷ୍ଠା ହେଲା, ସେବେଠୁ ବ୍ରଜଙ୍କ ସ୍ଥାୟୀ ଠିକଣା ପାଲଟିଛି ଶ୍ମଶାନ। ଆଜି ପର୍ଯ୍ୟନ୍ତ ସେ ପାଖାପାଖି ୧୧ ହଜାରରୁ ଅଧିକ ଶବ ସତ୍କାର କରିସାରିଲେଣି। ମୁକ୍ତିଦ୍ବାର ଉନ୍ନୟନ କମିଟି ପକ୍ଷରୁ ଶବ ସତ୍କାର ପାଇଁ ୨ ହଜାର ଟଙ୍କା ମୂଲ୍ୟ ରଖାଯାଇଥିବା ବେଳେ ଯିଏ ଯାହାଦେଲେ ଗ୍ରହଣ କରାଯାଇଥାଏ। ଏମିତିକି ଲୋକଙ୍କ ଅବସ୍ଥାକୁ ଦେଖି ମାଗଣାରେ ମଧ୍ୟ ଶବ ସତ୍କାର କରାଯାଉଛି। ବ୍ରଜ ଖାଲି ଶବ ସତ୍କାର କରନ୍ତିନି, କାଠ ସଜେଇବାଠୁ ନେଇ ଅସ୍ଥି ସଂରକ୍ଷଣ ପର୍ଯ୍ୟନ୍ତ, ସବୁ ଦାୟିତ୍ବ ଯତ୍ନ ସହକାରେ ତୁଲାଇଥାନ୍ତି। ମଶାଣିରେ ଅନେକ ଅଚିହ୍ନା ଶବ ମଧ୍ୟ ଦାହ ହୁଏ। ସମସ୍ତଙ୍କର ଅସ୍ଥିକୁ ସଂରକ୍ଷଣ କରି ସେ ରଖିଥାନ୍ତି। ଆଉ ବର୍ଷ ଶେଷରେ ଆହ୍ଲାବାଦର ପ୍ରୟାଗଠାରେ ‌ଏହାକୁ ନେଇ ବିସର୍ଜନ କରିଆସନ୍ତି। ଏବେ ନୁଣିଆଯୋଡ଼ି ଶ୍ମଶାନରେ ସାଧାରଣ ଶବ ସତ୍କାର ବନ୍ଦ କରାଯାଇଥିବା ବେଳେ କେବଳ କୋଭିଡ୍‌ ମୃତଦେହ ସତ୍କାର କରାଯାଉଛି। ଗତବର୍ଷଠାରୁ ଆଜି ପର୍ଯ୍ୟନ୍ତ ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାର ୨୪୦ରୁ ଅଧିକ କୋଭିଡ୍‌ ଶବ ସତ୍କାର କରିସାରିଲେଣି ବୋଲି ବ୍ରଜ କହିଛନ୍ତି। ଏହି କାମରେ ତାଙ୍କୁ ସହଯୋଗ କରିବା ପାଇଁ ପୌରପାଳିକା ପକ୍ଷରୁ ୪ ଜଣଙ୍କୁ ନିଯୁକ୍ତ କରାଯାଇଛି।

ବ୍ରଜଙ୍କ ଘର ଅରଡ଼ବଜାର ଅଞ୍ଚଳରେ। ପରିବାର କହିଲେ ପତ୍ନୀ ଓ ଦୁଇ ସନ୍ତାନ। ଯୁକ୍ତ ଦୁଇ ଯାଏ ପଢ଼ିଥିବା ବ୍ରଜ ଫଟୋଗ୍ରାଫି କରୁଥିଲେ। ଷ୍ଟେସନ୍‌ ଛକ ନିକଟରେ ତାଙ୍କର ଏକ ଫଟୋ ଷ୍ଟୁଡିଓ ବି ରହିଥିଲା। ବାଲେଶ୍ବରରେ ପ୍ରଥମ ଭିଡିଓ କ୍ୟାମେରା ବ୍ରଜଙ୍କର ହିଁ ଥିଲା। ଫଟୋଗ୍ରାଫି କରି ବହୁ ଅନୁଷ୍ଠାନ ତରଫରୁ ସେ ପୁରସ୍କୃତ ମଧ୍ୟ ହୋଇଛନ୍ତି। ହେଲେ ‌କିଛି କାରଣ ପାଇଁ ନିଜ ବୃତ୍ତିକୁ ଛାଡ଼ି ଏହି ରାସ୍ତାକୁ ଆପଣାଇ ନେଇଥିଲେ। ଆଉ ଆଜି ମଶାଣି ମଣିଷ ପାଲଟିଛନ୍ତି।

The post ନିରାଶା ଭିତରେ ଆଶାର ଝଲକ୍‌: ୨ ଶହରୁ ଅଧିକ କୋଭିଡ୍‌ ମୃତକଙ୍କୁ ସତ୍କାର କଲେଣି first appeared on Sambad.

from ବିଶେଷ | Sambad https://ift.tt/3vL2BRK

Post a Comment

0 Comments