ଛାତି ସିଟି ସ୍କାନ ୩୦୦ରୁ ୪୦୦ ଏକ୍ସରେ ସହିତ ସମାନ, ଗୁଲେରିଆଙ୍କ ମତକୁ ଆଇଆର୍‌ଆଇଏର ଖଣ୍ଡନ

ନୂଆଦିଲ୍ଲୀ : ସାମାନ୍ୟ କୋଭିଡ୍‌ ଲକ୍ଷଣରେ କରାଯାଉଥିବା ସିଟି ସ୍କାନ ୩୦୦ରୁ ୪୦୦ ଏକ୍ସ-ରେ ସହିତ ସମାନ ଉକ୍ତିକୁ ଖଣ୍ଡନ କରିଛି ଭାରତୀୟ ରେଡିଓଲୋଜିକାଲ ଆଣ୍ଡ ଇମେଜିଂ ସଂଘ (ଆଇଆର୍‌ଆଇଏ)। ସଂଘର ବରିଷ୍ଠ ଡାକ୍ତରମାନେ ଏହି ମନ୍ତବ୍ୟକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିବା ସହ ଏମ୍‌ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆଙ୍କ ଉକ୍ତିକୁ ବିଭ୍ରାନ୍ତିକର ବୋଲି ଆଖ୍ୟା ଦେଇଛନ୍ତି।

ଏକ ୭ ପଏଣ୍ଟ ବିଶିଷ୍ଟ ପ୍ରେସ୍ ବିବୃତି ଜରିଆରେ ଆଇଆରଆଇଏ ଯୁକ୍ତି କରିଛି ଯେ, ସିଟି ସ୍କାନ କୋଭିଡ ନିରାକରଣର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି। ଏହା ରୋଗର ଗମ୍ଭୀରତାକୁ ନିର୍ଣ୍ଣୟ କରିଥାଏ। ଯଦିଓ ଆର୍‌ଟି-ପିସିଆର୍‌ ପରୀକ୍ଷା ଦ୍ବାରା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇପାରୁଛି, ତଥାପି ମ୍ୟୁଟାଣ୍ଟ ଭାରିଆଣ୍ଟ, ବୈଷୟିତ ତ୍ରୁଟି କିମ୍ବା କମ୍ ଭାଇରାଲ୍ ଲୋଡ୍ ହେତୁ ପରୀକ୍ଷା ରିପୋର୍ଟ ନେଗେଟିଭ୍‌ ବାହାରୁଥିବା କ୍ଷେତ୍ରରେ ସିଟି ସ୍କାନ୍ ଭୂତାଣୁ ସଂକ୍ରମଣ ଚିହ୍ନଟ କରାଇବାରେ ସାହାଯ୍ୟ କରିଥାଏ। ଛାତିର ସି.ଟି. ପରୀକ୍ଷା କରିବା ଦ୍ବାରା ରୋଗରେ ମୃଦୁ, ମଧ୍ୟମ କିମ୍ବା ଗୁରୁତର ସ୍ଥିତି ବିଷୟରେ ଜାଣିହେବ। ଯାହାଦ୍ବାରା ଚିକିତ୍ସା ପରିଚାଳନା କ୍ଷେତ୍ରରେ ଠିକ୍‌ ପରାମର୍ଶ ମିଳିପାରିବ। ଏପରିକି ଏହି ରୋଗର ବ୍ୟାପକ ସଂକ୍ରମଣ ଉପରେ ସି.ଟି. ପରୀକ୍ଷା ତଥ୍ୟ ଦେଇପାରିବ। ବିଶେଷ କରି ସ୍ବାସ୍ଥ୍ୟାବସ୍ଥା ଅଧିକ ଖରାପ ହେଉଥିବା ରୋଗୀମାନଙ୍କ ଉପରେ ନଜର ରଖାଯାଇପାରିବ ବୋଲି ସଂଘ ପକ୍ଷରୁ ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି।

ଆଇଆରଆଇଏ କହିଛି ଯେ ଫୁସଫୁସର କ୍ଷତି ଚିହ୍ନଟ କରିବାରେ ପଲ୍ସ ଅକ୍ସିମେଟ୍ରି ଦ୍ୱାରା ସାଚୁରେସନ୍ ମନିଟରିଂ ଅପେକ୍ଷା ଗୋଟିଏ ସିଟି ସ୍କାନ୍ ଅଧିକ ଉପଯୋଗୀ ହୋଇଥାଏ ଏବଂ ଠିକ୍‌ ସମୟରେ ଷ୍ଟେରଏଡ୍‌ ସେବନ ନିଷ୍ପତ୍ତି ନେବାରେ ଏହା ସହାୟକ ହୋଇଥାଏ। ପୂର୍ବରୁ ଡାକ୍ତରଖାନାଗୁଡ଼ିକ ଅତ୍ୟଧିକ ଚାପରେ ଅଛନ୍ତି। ତେଣୁ ରୋଗୀର ସଂକ୍ରମଣକୁ ଠିକ୍‌ ଭାବେ ଚିହ୍ନଟ କରାଯିବା ଦ୍ବାରା ରୋଗୀଙ୍କୁ ଘରେ ଚିକିତ୍ସା ଯୋଗାଇଦେବା ସମ୍ଭବ ହୋଇପାରିବ। ଶୀଘ୍ର ଚିକିତ୍ସା ଆରମ୍ଭ ହୋଇପାରିଲେ, ରୋଗୀକୁ ବଞ୍ଚାଇବା ସହଜ ବୋଲି ଏଥିରେ କୁହାଯାଇଛି।

The post ଛାତି ସିଟି ସ୍କାନ ୩୦୦ରୁ ୪୦୦ ଏକ୍ସରେ ସହିତ ସମାନ, ଗୁଲେରିଆଙ୍କ ମତକୁ ଆଇଆର୍‌ଆଇଏର ଖଣ୍ଡନ first appeared on Sambad.

from ବିଶେଷ | Sambad https://ift.tt/3h6WIdB

Post a Comment

0 Comments