କରୋନା ଭୂତାଣୁ ପ୍ରଥମେ ଫୁସ୍‌ଫୁସ୍‌କୁ ଆକ୍ରାନ୍ତ କରିଥାଏ

ବ୍ରହ୍ମପୁର : କରୋନାର ଦ୍ବିତୀୟ ଲହ‌ରରେ ନୂଆ ପ୍ରଜାତିର ଭୂତାଣୁ ଦେଖାଦେଇଛି। ଯାହାର ସଂକ୍ରମଣ କ୍ଷମତା ବେଶ୍‌ ଅଧିକ। କରୋନା ଭୂତାଣୁର ପ୍ରଥମ କାମ ହେଲା ସେ ପ୍ରଥମେ ଫୁସ୍‌ଫୁସ୍‌କୁ ନିଜର ନିୟନ୍ତ୍ରଣରେ ରଖିବ। ଫୁସ୍‌ଫୁସ୍‌ ଦେଇ ବାୟୁମଣ୍ଡଳରୁ ଅମ୍ଳଜାନ ଶରୀରରେ ପ୍ରବେଶ କରିଥାଏ। ପ୍ରଥମେ ତାହା ଫୁସ୍‌ଫୁସ୍‌ର ଏପିଥେଲିୟମ(ଝିଲ୍ଲି)ରେ ପହଞ୍ଚିଥାଏ। କରୋନା ସଂକ୍ରମିତ ହେବାପରେ ଭୂତାଣୁ ପ୍ରଥମେ ସେହି ଝିଲ୍ଲିକୁ ନଷ୍ଟ କରିଥାଏ। ଝିଲ୍ଲି ନଷ୍ଟ ହେବାପରେ ସେଠାରେ ପାଣି ଭଳି ଅଂଶ ଜମିଥାଏ। ଯାହାକୁ ନିମୋନିଆ ବୋଲି କହନ୍ତି। ପାଣି ଅଂଶ ଜମିବା ପରେ ରକ୍ତକୁ ଫୁସ୍‌ଫୁସ୍‌ ଦେଇ ଆଉ ଅମ୍ଲଜାନ ଯାଇପାରେନାହିଁ। ସୁସ୍ଥ ଲୋକଙ୍କ ଶରୀରରେ ସେହି ଝିଲ୍ଲି ରାସ୍ତା ଦେଇ ଅମ୍ଳଜାନ ରକ୍ତରେ ମିଶିଥାଏ ଏବଂ ପୁଣି ସେହି ରାସ୍ତା ଦେଇ ଅଙ୍ଗାରକାମ୍ଳ ଫୁସ୍‌ଫୁସ୍‌କୁ ଆସି ନିଶ୍ବାସରେ ଶରୀର ବାହାରକୁ ଯାଇଥାଏ। ସେହି ଝିଲ୍ଲି ନଷ୍ଟ ହୋଇଗଲା ପରେ ଧୀରେଧୀରେ ମଣିଷର ଶରୀର ଦୁର୍ବଳ ହୋଇ ପଡ଼ିଥାଏ। ଶରୀରରେ ଅମ୍ଲଜାନସ୍ତର କମିଯାଏ। ଯଦି ଅମ୍ଳଜାନସ୍ତର ୯୪ପ୍ରତିଶତରୁ ତଳକୁ ଖସି ଆସିବ ତେବେ ରୋଗୀଙ୍କୁ ଅମ୍ଳଜାନ ଦିଆ ଯାଇଥାଏ। ଶରୀରର ଅମ୍ଳଜାନ୍‌ସ୍ତର ୭୦ପ୍ରତିଶତକୁ ଖସି ଆସିଲେ ରୋଗୀଙ୍କ ମୃତ୍ୟୁ ଘଟିବାରେ ଯଥେଷ୍ଟ ସମ୍ଭାବନା ରହିଥାଏ। ଏହା ହେଉଛି ଆମ ଶରୀରର ଅମ୍ଳଜାନ ଗ୍ରହଣର ବ୍ୟବସ୍ଥା। ଯାହାକି କରୋନାରେ ସଂକ୍ରମିତ ହେବା ପରେ ଧୀରେ ଧୀରେ ନଷ୍ଟ ହୋଇଯାଏ।

ଶରୀରରେ ସ୍ବାଭାବିକ ଅମ୍ଳଜାନସ୍ତର ଶହେ ପ୍ରତିଶତ ରହିବା କଥା। କିନ୍ତୁ ତାହା ୯୮/୯୯ ପ୍ରତିଶତ ରହିଥାଏ। ୯୫ପ୍ରତିଶତ ପର୍ଯ୍ୟନ୍ତ ଅକ୍ସିଜେନ୍‌ ରହିଲେ ମଧ୍ୟ ଚଳିବ। ଏହା ୯୪ପ୍ରତିଶତକୁ ଖସି ଆସିଲେ ରୋଗୀଙ୍କୁ ଅମ୍ଳଜାନ ଦେବା ଜରୁରି ହୋଇଥାଏ। ପ୍ରଥମ ଲହର ସମୟରେ ସପ୍ତମରୁ ନବମ ଦିନରେ ରୋଗୀ ଗୁରୁତର ହୋଇ ନିମୋନିଆରେ ଆକ୍ରାନ୍ତ ହେଉଥିଲେ। ଏବେ ଭୂତାଣୁର ସଂକ୍ରମଣ କ୍ଷମତା ବଢ଼ି ଯାଇଥିବାରୁ ରୋଗୀ ୨/୩ଦିନରେ ନିମୋନିଆରେ ଆକ୍ରାନ୍ତ ହେଉଛନ୍ତି। ଡବଲ୍‌ ମ୍ୟୁଟାଣ୍ଟ୍‌ ଭାଇସର୍‌ ପାଇଁ ରୋଗୀ ଶୀଘ୍ର ଗୁରୁତର ହୋଇଯାଉଛନ୍ତି। ସିଟି ସ୍କାନ୍‌ କଲାପରେ କରୋନା ଆକ୍ରାନ୍ତଙ୍କ ଫୁସ୍‌ଫୁସ୍‌ରେ ଭୂତାଣୁ ଧଳା ସ୍ପଟ୍‌ ଭଳି ଜଣା ପଡ଼ିଥାଏ। ଫୁସ୍‌ଫୁସ୍‌ ସଂକ୍ରମିତ ହେବା ପରେ ରୋଗୀ ଅତିଶୀଘ୍ର ଗୁରୁତର ହୋଇ ମୃତ୍ୟୁମୁଖରେ ମଧ୍ୟ ପଡ଼ୁଛନ୍ତି। ସେହିପରି ପ୍ରଥମ ଲହର ଅପେକ୍ଷା ଦ୍ବିତୀୟ ଲହରରେ ସଂକ୍ରମିତ ହେଲେ ଅଧିକ ଦିନ ପର୍ଯ୍ୟନ୍ତ ରୋଗୀଙ୍କୁ ଅକ୍ସିଜେନ୍‌ ଆବଶ୍ୟକ ହେଉଛି। ବର୍ତ୍ତମାନ ଭାରତରେ କୋଭାକ୍ସିନ୍‌ ଓ କୋଭିସିଲ୍ଡ ଟିକା ଦିଆଯାଉଛି। ଡାକ୍ତରୀବିଜ୍ଞାନ ଅନୁସାରେ କୋଭାକ୍ସିନ୍‌ ୭୦ରୁ ୮୦/୮୫ପ୍ରତିଶତ ପର୍ଯ୍ୟନ୍ତ କାମ ଦେଉଛି। କୋଭିସିଲ୍ଡ ଟିକା ୬୬ରୁ ୮୫ପ୍ରତିଶତ ପର୍ଯ୍ୟନ୍ତ କାମ କରୁଛି। କିନ୍ତୁ ବାସ୍ତବ ପକ୍ଷେ ଏହା ହେଉଛି କି ନାହିଁ ତାହା ସ୍ପଷ୍ଟ ଜଣାପଡ଼ୁ ନାହିଁ। ଟିକା ନେବା ପରେ ସଂକ୍ରମଣର ଆଶଙ୍କା କମ୍‌ ରହିଥାଏ। ଏଣୁ ସମସ୍ତେ ଟିକା ନେବା ଆବଶ୍ୟକ। ସେପଟେ କୋଭାକ୍ସିନ୍‌ ଓ କୋଭିସିଲ୍ଡି ଟିକା ମଧ୍ୟରେ କେଉଁଟା ଭଲ ତାହା ଆମେ ସ୍ପଷ୍ଟ ଭାବେ କହିପାରିବା ନାହିଁ। ବର୍ତ୍ତମାନ ସୁଦ୍ଧା ଏ ସମ୍ପର୍କରେ ସେମିତି କୌଣସି ଗବେଷଣା ହୋଇନାହିଁ। ଏଥିପାଇଁ ଆଉ କିଛି ସମୟ ଦରକାର।

କରୋନା ସଂକ୍ରମଣରୁ ରକ୍ଷା ପାଇଁ ଏସ୍‌ଏମ୍‌ଏସ୍‌ ହିଁ ଏକମାତ୍ର ଉପାୟ। ସାମାଜିକ ଦୂରତା ବଜାୟ ରଖିବା, ମାସ୍କ ବ୍ୟବହାର କରିବା ଓ ସାନିଟାଇଜ୍‌ କରିବା ନିହାତି ଆବଶ୍ୟକ। ବର୍ତ୍ତମାନ ସୁଦ୍ଧା ହୋଇଥିବା ଅନୁଧ୍ୟାନରୁ ଜଣାପଡ଼ିଛି ଯେ କରୋନା ଭୂତାଣୁ ପ୍ରଥମେ ୯୯ପ୍ରତିଶତ ଫୁସ୍‌ଫୁସ୍‌କୁ ସଂକ୍ରମିତ କରୁଛି। ଏହାପରେ ଶରୀରର ଅନ୍ୟ ଆଭ୍ୟନ୍ତରୀଣ ଅଙ୍ଗକୁ ପ୍ରଭାବିତ କରୁଛି ବୋଲି ବିଶେଷଜ୍ଞମାନେ ମତ ଦେଲେଣି। ଶରୀରର ପ୍ରାଣକେନ୍ଦ୍ର ହେଉଛି ଫୁସ୍‌ଫୁସ୍‌। ଏହା ସଂକ୍ରମିତ ହୋଇ ଅମ୍ଳଜାନସ୍ତର ହ୍ରାସ ହେବା ପରେ ଲୋକଙ୍କ ଜୀବନ ଯାଉଛି। ଏଣୁ କରୋନା ସଂକ୍ରମଣରୁ ନିଜକୁ ରକ୍ଷା କରିବା ପାଇଁ ସମସ୍ତେ ସରକାରଙ୍କ ଦ୍ବାରା ଧାର୍ଯ୍ୟ ନିୟମ ପାଳନ କରନ୍ତୁ।

ଆସୋସିଏଟ୍‌ ପ୍ରଫେସର, ମେଡିସିନ୍‌ ବିଭାଗ
ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍ପିଟାଲ୍‌, ବ୍ରହ୍ମପୁର

The post କରୋନା ଭୂତାଣୁ ପ୍ରଥମେ ଫୁସ୍‌ଫୁସ୍‌କୁ ଆକ୍ରାନ୍ତ କରିଥାଏ first appeared on Sambad.

from ବିଶେଷ | Sambad https://ift.tt/3udyORs

Post a Comment

0 Comments