ଅସୁଲ ହୋଇପାରିନି ୧୨୪ କୋଟିର ରୟାଲ୍‌ଟି

ଭୁବନେଶ୍ବର : ମହାଲେଖା ନିୟନ୍ତ୍ରକ ଓ ମହାସମୀକ୍ଷକ ରାଜ୍ୟ ଇସ୍ପାତ ଓ ଖଣି ବିଭାଗ ଅଧୀନରେ ଥିବା ୩୧ଟି ୟୁନିଟ୍ ମଧ୍ୟରୁ ୧୨ଟି ୟୁନିଟ୍‌ର ଅଡିଟ୍ କରି ୨୦୧୮-୧୯ରେ ୯୭୪୮ କୋଟି ଟଙ୍କାର ଟିକସ ସଂଗ୍ରହ ହୋଇଥିବା ଜାଣିବାକୁ ପାଇଛନ୍ତି ଯାହା ସମସ୍ତ ୩୧ଟି ୟୁନିଟ୍‌ରୁ ସଂଗୃହୀତ ହୋଇଥିବା ୧୦,୪୭୯ କୋଟି ଟଙ୍କାର ୯୩ ପ୍ରତିଶତ ସହ ସମାନ। ୨୦୭ଟି ମାମଲାରେ ୩୭୦.୫୮ କୋଟି ଟଙ୍କାର ଟିକସ ସ୍ବଳ୍ପାରୋପଣ ହୋଇଥିବା ବେଳେ ଅନ୍ୟ ୪୧୧ଟି ଅନିୟମିତତା ଯୋଗୁଁ ୧.୦୧ କୋଟି ଟଙ୍କା ଟିକସ ମିଳିନାହିଁ।

୨୦୧୮ ଏପ୍ରିଲ୍‌ରୁ ୨୦୧୯ ମାର୍ଚ୍ଚ ପର୍ଯ୍ୟନ୍ତର ନଥିପତ୍ର ଯାଞ୍ଚ କରିବା ବେଳେ ୧୨୪.୨୬ କୋଟି ଟଙ୍କାର କମ୍ ରୟାଲ୍‌ଟି ଆଦାୟ ହୋଇଥିବା ଜଣାପଡ଼ିଛି। ରାଉରକେଲା, ସମ୍ବଲପୁର ଓ ତାଳଚେରର ଡିଡିଏମ୍‌ ୧୪ ପ୍ରତିଶତ ମୂଲ୍ୟାନୁପାତିକ ହାରରେ କୋଇଲା ଉପରେ ରୟାଲ୍‌ଟି ଲଗାଇଥିଲେ। କିନ୍ତୁ କୋଇଲାକୁ ଆକାର ପ୍ରଦାନ କରିବା ଲାଗି ଲଗାଯାଉଥିବା ଶୁଳ୍କ (ସାଇଜିଂ ଚାର୍ଜ) ସେଥିରେ ଯୋଡ଼ିନଥିଲେ। କିନ୍ତୁ ସେହି ଶୁଳ୍କକୁ କଂପାନିଗୁଡ଼ିକ ଗ୍ରାହକଙ୍କ ଠାରୁ ଅସୁଲ କରିଥିଲେ। ଅଡିଟ୍‌ରୁ ଜଣାପଡ଼ିଛି ଯେ ୨୦୧୭-୧୮ରେ ମହାନଦୀ କୋଲ୍‌ଫିଲ୍ଡସ୍‌ ଲିମିଟେଡ୍‌ ୧୫ଟି ଖଣିରୁ ୧୦୦ ଏମ୍‌ଏମ୍‌ରୁ କମ୍ ଆକାରର ୧୦୫୯.୫୯ ଏମ୍‌ଟି କୋଇଲାର ପ୍ରକ୍ରିୟାକରଣ ଓ ଡେସ୍‌ପାଚ୍ କରିଥିଲା। ସେଥିରେ ସାଇଜିଂ ଚାର୍ଜ ଯୋଡ଼ାଯାଇନଥିବାରୁ ୧୨୪.୨୬ କୋଟି ଟଙ୍କାର ରୟାଲ୍‌ଟି ଅସୁଲ ହୋଇପାରିନଥିଲା। ସେଥିପାଇଁ ଜିଲ୍ଲା ଖଣିଜ ପାଣ୍ଠି (ଡିଏମ୍ଏଫ୍‌) ଓ ନ୍ୟାସନାଲ୍ ମିନେରାଲ ଏକ୍ସପ୍ଲୋରେସନ୍ ଟ୍ରଷ୍ଟ୍‌ (ଏନ୍‌ଏମ୍‌ଇଟି)କୁ କମ୍ ପାଣ୍ଠି ମିଳିଥିଲା। ୧୨୪.୨୬ କୋଟି ଟଙ୍କାର ରୟାଲ୍‌ଟି ମିଳିଥିଲେ ତାହାର ୩୦% ରାଶି ଅର୍ଥାତ ୩୭.୨୮ କୋଟି ଟଙ୍କାର ଡିଏମ୍ଏଫ୍‌ ଓ ଦୁଇ ପ୍ରତିଶତ ଭାବେ ୨.୪୯ କୋଟି ଟଙ୍କା ଏନ୍‌ଏମ୍‌ଇଟିକୁ ମିଳିଥାନ୍ତା। ମାତ୍ର ଡିଡିଏମ୍‌ କରିଥିବା ତ୍ରୁଟି ଯୋଗୁଁ ଏହି ରୟାଲ୍‌ଟି ଅସୁଲ ହୋଇପାରିନଥିଲା।

The post ଅସୁଲ ହୋଇପାରିନି ୧୨୪ କୋଟିର ରୟାଲ୍‌ଟି first appeared on Sambad.

from ବିଶେଷ | Sambad https://ift.tt/3cPbx1V

Post a Comment

0 Comments