
ଓଡ଼ିଶାରେ ଏବେ ସପ୍ତାହାନ୍ତ ସଟ୍ଡାଉନ୍ ଆରମ୍ଭ ହୋଇଯାଇଛି। ସ୍କୁଲ୍ଠାରୁ ଦୂରରେ ଥିବା ଛାତ୍ରଛାତ୍ରୀମାନେ ସଟ୍ଡାଉନ୍ ବା ଲକ୍ଡାଉନ୍ ସମୟରେ ପ୍ରତିଟି ଦିନ କିପରି ମାର୍ଜିତ ଢଙ୍ଗରେ କାଟିବେ, ସେନେଇ ଜାଣିବା ଦରକାର।
ବ୍ୟବସ୍ଥିତ ହୁଅନ୍ତୁ: ଜଣେ ଛାତ୍ର ବା ଛାତ୍ରୀ ବ୍ୟବସ୍ଥିତ ହେବା ଦରକାର। ଅର୍ଥାତ୍ ସକାଳେ ବିଛଣାରୁ ପୂର୍ବାପେକ୍ଷା ଶୀଘ୍ର ଉଠିବା ଆବଶ୍ୟକ। ଦିନଚର୍ଯ୍ୟା ପାଇଁ ଏକ କାର୍ଯ୍ୟଖସଡ଼ା ବା ରୁଟିନ୍ ପ୍ରସ୍ତୁତ କରିବା ଉଚିତ। ଯାହାଦ୍ବାରା ସେମାନେ ଅଧିକ କାର୍ଯ୍ୟକ୍ଷମ ହୋଇପାରିବେ।
ସୃଜନଶୀଳ ହୁଅନ୍ତୁ: ସାମାଜିକ ଦୂରତା ରକ୍ଷା କରିବା ପାଇଁ ଛାତ୍ରଛାତ୍ରୀମାନେ ଘରେ ରହିଛନ୍ତି। ଏପରି ସମୟରେ ସମସ୍ତେ ସୃଜନଶୀଳ ହେବା ଉଚିତ।
ସାମାଜିକ ଗଣମାଧ୍ୟମର ସୀମିତ ବ୍ୟବହାର କରନ୍ତୁ: ସାମାଜିକ ଗଣମାଧ୍ୟମ ଆମ ପାଇଁ ଗୁରୁତ୍ବପୂର୍ଣ୍ଣ। କିନ୍ତୁ ଏହାର ବ୍ୟବହାର ନେଇ ଆମକୁ ସତର୍କ ହେବାକୁ ପଡ଼ିବ। କାରଣ ସ୍ବାସ୍ଥ୍ୟ ଉପରେ ଏହାର ଅନେକ ଖରାପ ପ୍ରଭାବ ରହିଛି। ଯେତେ ସମ୍ଭବ ଛାତ୍ରଛାତ୍ରୀମାନେ ସାମାଜିକ ଗଣମାଧ୍ୟମ କମ୍ ବ୍ୟବହାର କରିବା ଦରକାର।
ବ୍ୟାୟାମ କରନ୍ତୁ: ଘରେ ରହିଲେ ଆମର ଶାରୀରିକ ପରିଶ୍ରମ କମିଯାଏ। ସେହିପରି ଆମେ ମାନସିକ ଚାପ ଭିତରେ ରହିଯାଉ। ଏପରି ସମୟରେ ଆମକୁ ଘର କାମ ସହ କିଛି ବ୍ୟାୟାମ କରିବା ଆବଶ୍ୟକ। ଯାହାଫଳରେ ଛାତ୍ରଛାତ୍ରୀମାନେ ଶାରୀରିକ ଭାବେ ଫିଟ୍ ଓ ମାନସିକ ଚାପମୁକ୍ତ ହୋଇ ରହିପାରିବେ।
ପେଟ ପୂରା ତଥା ସ୍ବାସ୍ଥ୍ୟକର ଖାଦ୍ୟ ଖାଆନ୍ତୁ: ଛାତ୍ରଛାତ୍ରୀମାନେ ଲଘୁଖାଦ୍ୟ (ସ୍ନାକ୍ସ)ଠାରୁ ଦୂରେଇ ରହିବା ଆବଶ୍ୟକ। ଦିନରେ ୩ ଥର ପେଟ ପୂରା ତଥା ସ୍ବାସ୍ଥ୍ୟକର ଖାଦ୍ୟ ଖାଇବା ଦରକାର।
ପ୍ରୋଜେକ୍ଟ ବା ଗବେଷଣା ପାଇଁ ସମୟ ନିର୍ଧାରଣ କରନ୍ତୁ: ଛାତ୍ରଛାତ୍ରୀମାନେ ଯଦି କିଛି ପ୍ରୋଜେକ୍ଟ ବା ଗବେଷଣା କରୁଥାଆନ୍ତି, ତେବେ ସେମାନେ ତାହା ଘରେ କରିବା ଟିକେ ଅଡ଼ୁଆ ଲାଗିପାରେ। ଏପରି ସମୟରେ ପରିବେଶକୁ ଅନୁକୁଳ କରିବା ଆବଶ୍ୟକ। ଏଥିପାଇଁ କିଛି ଉପାୟ ଅବଲମ୍ବନ କରିବା ଦରକାର। ଯେପରିକି; ଶୋଇବା ଘରେ କାମ ନ କରି ପଢ଼ା ଘରେ କିମ୍ବା ଅନ୍ୟ ଏକ କୋଠରୀରେ କାମ କରନ୍ତୁ। କାମ ପାଇଁ ନିର୍ଦିଷ୍ଟ ସମୟ ସ୍ଥିର କରନ୍ତୁ ଏବଂ ଫର୍ମାଲ୍ କପଡ଼ା ପିନ୍ଧନ୍ତୁ।
ସୁଯୋଗ ଖୋଜନ୍ତୁ: ଛାତ୍ରଛାତ୍ରୀମାନେ ଯେତେବେଳେ ଇଣ୍ଟରନେଟ୍ ବା ସାମାଜିକ ଗଣମାଧ୍ୟମରେ ସମୟ ବିତାଉଛନ୍ତି, ସେତେବେଳେ ସେମାନେ ସୁଯୋଗ ଖୋଜିବା ଆବଶ୍ୟକ। ଏମିତି କିଛି ଅନୁଷ୍ଠାନ ବା ବ୍ୟକ୍ତିଙ୍କ ସହ ସଂପର୍କ ତିଆରି କରିବା ଦରକାର, ଯାହାଦ୍ବାରା ସେମାନେ ଭବିଷ୍ୟତରେ ନିଜ କ୍ୟାରିୟର ଦୃଷ୍ଟିରୁ ଲାଭବାନ ହୋଇପାରିବେ।
ଜିଜ୍ଞାସା ରହୁ: ଛାତ୍ରଛାତ୍ରୀମାନେ ନୂଆ ଜିନିଷ ଶିଖିବା ବା ଜାଣିବା ପାଇଁ ଜିଜ୍ଞାସା ରଖନ୍ତୁ। ଏଥିପାଇଁ ସେମାନେ ଘରର ବୟସ୍କ ସଦସ୍ୟଙ୍କ ସହ କଥା ହୁଅନ୍ତୁ, ଟିଭିରେ ଶିକ୍ଷଣୀୟ କାର୍ଯ୍ୟକ୍ରମ ଦେଖନ୍ତୁ କିମ୍ବା ଭର୍ଚୁଆଲ ମୋଡ୍ରେ କୌଣସି ଗୁରୁତ୍ବପୂର୍ଣ୍ଣ ବିଷୟ ଉପରେ ହେଉଥିବା ଆଲୋଚନାଚକ୍ରରେ ସାମିଲ ହୁଅନ୍ତୁ।
ନିଜର ଯତ୍ନ ନିଜେ ନିଅନ୍ତୁ: ସବୁଠାରୁ ବଡ଼କଥା ହେଲା; ଛାତ୍ରଛାତ୍ରୀମାନେ ନିଜର ଯତ୍ନ ନିଜେ ନିଅନ୍ତୁ। ଅର୍ଥାତ୍ ନିଜର ସବୁ କାମ ନିଜେ କରିବା ଦରକାର।
ପରିବାର ସଦସ୍ୟଙ୍କ ସହ କଥା ହୁଅନ୍ତୁ: ଯଦି ଛାତ୍ରଛାତ୍ରୀମାନେ ନିଜକୁ ସାମାନ୍ୟ ମନେ କରୁନାହାନ୍ତି, ତେବେ ପରିବାର ସଦସ୍ୟଙ୍କ ସହ କଥା ହୁଅନ୍ତୁ। କୌଣସି ଅସୁବିଧା ଥିଲେ, ବାପା କିମ୍ବା ମାଆଙ୍କ ସହ ଆଲୋଚନା କରନ୍ତୁ।
The post ଛାତ୍ରଛାତ୍ରୀଙ୍କ ସକାରାତ୍ମକ ଦିନଚର୍ଯ୍ୟା ପାଇଁ କିଛି ଉପାୟ first appeared on Sambad.from ବିଶେଷ | Sambad https://ift.tt/32YKs6I
0 Comments