ବ୍ରେକିଙ୍ଗ୍ ଓ ଚାଞ୍ଚଲ୍ୟ ସୃଷ୍ଟିକାରୀ ନ୍ୟୁଜ୍‌ରୁ ଦୂ‌ରେଇ ରୁହନ୍ତୁ

କରୋନାର ଦ୍ବିତୀୟ ଲହରରେ ମାନସିକ ରୋଗୀମାନଙ୍କ ଅବସ୍ଥା ଏବେଠୁ ସଙ୍ଗିନ ହେବା ଆରମ୍ଭ ହେଲାଣି। ଅହେତୁକ ଭୟ ଓ ଆଙ୍ଗଜାଇଟି ଯୋଗୁଁ ନିଦ୍ରାହୀନତା ଓ ଡିପ୍ରେସନ୍‌ ବଢିଯାଇଛି। ରୋଗୀମାନେ ସବୁବେଳେ ଅଜଣା ଭୟ ଭିତରେ ରହୁଛନ୍ତି। ମୃତ୍ୟୁକୁ ସାମ୍ନା କରିବା ଭଳି ଭାବନା ସବୁବେଳେ ତାଙ୍କ ମନରେ ଆସୁଛି। ପରିବାର ଭିତରେ ଟିଭି ବିଭିନ୍ନ ସୋସିଆଲ ମିଡିଆର ସମ୍ବାଦ ଶୁଣିବା ପରେ ସେମାନଙ୍କ ଭୟ ଅଧିକ ବଢିଯାଉଛି। ଲକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ର ଭୟ ପୁଣି ତାଙ୍କ ମନଭିତରେ ବଢୁଛି। କାଳେ ଗତବର୍ଷ ଭଳି ଲକ୍‌ଡାଉନ୍‌ ହୋଇଯିବ, ଗାଡିମୋଟର ଚାଲିବନି। ସେମାନେ ଆଉ ଡାକ୍ତରଙ୍କ ପାଖକୁ ପରାମର୍ଶ ପାଇଁ ଯାଇପାରିବେନି। ସେଭଳି ଭୟ ସେମାନଙ୍କ ମନ ଭିତରେ ଅଧିକ ମାତ୍ରରେ ଦେଖିବାକୁ ମିଳୁଛି। ସବୁଠାରୁ ବଡ଼ କଥା ହେଲା ଟିକା ନେବାକୁ ନେଇ ମାନସିକ ରୋଗୀଙ୍କୁ ମଧ୍ୟରେ ଯେଉଁ ଦ୍ବନ୍ଦ୍ବ ରହିଛି, ତାକୁ ମନଭିତରୁ ହଟାଇବା ଦରକାର। ପ୍ରତ୍ୟେକ ମାନସିକ ରୋଗୀ ଟିକା ନେଇପାରିବେ। ସେଥିରେ କୌଣସି ପ୍ରତିବନ୍ଧକ ନହିଁ। କରୋନା ସମୟରେ ଅଧିକ ଭୟ ଯଦି ସେମାନଙ୍କ ଭିତରେ ରହିବ, ତା’ହେଲେ ସେମାନଙ୍କର ଭଲ ହୋଇଯାଇଥିବା ପୁରୁଣା ରୋଗ ପୁଣି ବଢିଯିବ। ଏଭଳି କରୋନା ସ୍ଥିତିରେ ରୋଗୀକୁ ନଆଣି ପରିବାର ସଦସ୍ୟ ଆସି ଡାକ୍ତରଙ୍କ ସହିତ ପରାଶର୍ମ କରନ୍ତୁ ଏବଂ ନିୟମିତ ରୋଗୀକୁ ଔଷଧ ସେବନ କରିବାକୁ ଦିଅନ୍ତୁ। ବ୍ରେକିଙ୍ଗ ନ୍ୟୁଜ୍‌ ତଥା କରୋନା ସଂପର୍କୀତ ଚାଞ୍ଚଲ୍ୟ ସୃଷ୍ଟି କଲାଭଳି ଯେପରିକି ଶବଦାହ ପାଇଁ ଅପେକ୍ଷାରେ ଥିବା, ପରିଜନଙ୍କ କାନ୍ଦବୋବାଳି ଏଭଳି ଦୁଃଖଦ ଖବରଠାରୁ ସବୁବେଳେ ମାନସିକ ରୋଗୀଙ୍କୁ ତାଙ୍କ ପରିବାରବର୍ଗ ଦୂରେଇ ରଖନ୍ତୁ।

ଏବେ କରୋନାଜନିତ କଟକଣା ଆରମ୍ଭ ହୋଇଥିବାରୁ ଅଧିକ ସମୟ ଘରେ ରହୁଥିବାରୁ ନିଶାଦ୍ରବ୍ୟ ଅଧିକ ସେବନ କରୁଛନ୍ତି। ତେଣୁ ସେଭଳି ନିଶାସେବନ ଦୂରେଇ ରଖନ୍ତୁ ନଚେତ୍‌ ମାନସିକ ରୋଗ ବଢିଯିବ। ମାନସିକ ରୋଗୀଙ୍କୁ ବାହାରେ ବୁଲାଇବା କଥା, କିନ୍ତୁ କରୋନା ପାଇଁ ତା‌ହା ବାରଣ କରାଯାଉଛି। ତେଣୁ ଘର କାମ ଓ ପରିବାର ସହିତ ଅଧିକ ସମୟ କାଟନ୍ତୁ। ଘର ଭିତରେ ନିଜକୁ କୌଣସି ଉପାର୍ଜନକ୍ଷମ କାମରେ ନିୟୋଜିତ କରନ୍ତୁ। ବିଶେଷକରି ବୟସ୍କ, ଛୋଟ ପିଲା, ମାନସିକ ରୋଗୀ, ବିଭିନ୍ନ ଶାରୀରିକ ରୋଗରେ ଆକ୍ରାନ୍ତ ହୋଇଥିବା ମାନସିକ ରୋଗୀଙ୍କ ‌ସ୍ବତନ୍ତ୍ର ଯତ୍ନ ନିଆଯିବା ଦରକାର। ଯେଉଁ ସବୁ କେନ୍ଦ୍ରରେ ୫୦ରୁ ଅଧିକ ମାନସିକ ରୋଗୀ ରହୁଛନ୍ତି ସେଠାରେ ସାମାଜିକ ଦୂରତ୍ବ, କରୋନା କଟକଣାକୁ ଅଧିକ ବ୍ୟାପକ କରାଯିବା ଦରକାର।

ପ୍ରଫେସର ଡାକ୍ତର ସାରଦା ପ୍ରସନ୍ନ ସ୍ବାଇଁ, ନିର୍ଦ୍ଦେଶକ,
ଉତ୍କୃଷ୍ଟ ମାନସିକ ସ୍ବାସ୍ଥ୍ୟ ପ୍ରତିଷ୍ଠାନ, ଏସ୍‌ସିବି ମେଡିକାଲ କଲେଜ ଓ ହସ୍ପିଟାଲ

The post ବ୍ରେକିଙ୍ଗ୍ ଓ ଚାଞ୍ଚଲ୍ୟ ସୃଷ୍ଟିକାରୀ ନ୍ୟୁଜ୍‌ରୁ ଦୂ‌ରେଇ ରୁହନ୍ତୁ first appeared on Sambad.

from ବିଶେଷ | Sambad https://ift.tt/2RZo8HN

Post a Comment

0 Comments