ସମ୍ବଲପୁର ମଣ୍ଡଳରେ ଅଧିକାଂଶ ଟ୍ରେନ୍‌ ବନ୍ଦ, ୫ ପୁରୁଣା ଟ୍ରେନ୍‌ ଉପରେ ନିର୍ଭରଶୀଳ ହଜାର ହଜାର ଲୋକ

ସମ୍ବଲପୁର : ଚାଲୁଥିବା ସବୁ ରେଳଗାଡ଼ିରେ ଲୋକ ଭର୍ତ୍ତି। ଅଧିକ ଦାମ୍‌ ଦେଇ ଆଗୁଆ ଅନ୍‌ଲାଇନ୍‌ ଟିକଟ୍ କାଟିବାକୁ ପଡ଼ୁଥିଲେ ବି କୌଣସି ଟ୍ରେନ୍‌ ପ୍ରାୟତଃ ଫାଙ୍କା ପଡ଼ୁନାହିଁ। ରେଳ ଟ୍ରାଫିକ୍ ସ୍ବାଭାବିକ ହୋଇଗଲାଣି। ତରବରରେ ଯିବାକୁ ଲୋକେ ଟିକଟ୍ ପାଉନାହାନ୍ତି। ଏହାସତ୍ତ୍ବେ ପୂର୍ବତଟ ରେଳବାଇର ସମ୍ବଲପୁର ମଣ୍ଡଳ ‌ଦେଇ ଚାଲୁଥିବା ଅଧିକାଂଶ ଗୁରୁତ୍ବପୂର୍ଣ୍ଣ ଟ୍ରେନ୍‌ ଏଯାଏଁ ଗଡ଼ିନାହିଁ। ଏହାଛଡ଼ା କେଉଁ ଟ୍ରେନ୍‌ ଚାଲିବ ଓ କେଉଁଟି ଚାଲିବ ନାହିଁ, ସେନେଇ ରେଳବାଇର ନିଷ୍ପତ୍ତି ଆଶ୍ଚର୍ଯ୍ୟ କଲା ଭଳି। କମ୍ ଗୁରୁତ୍ବପୂର୍ଣ୍ଣ କିଛି ଟ୍ରେନ୍‌ ଚଲାଯାଉଥିଲାବେଳେ ଅଧିକ ଚାହିଦା ଯୁକ୍ତ ପ୍ରମୁଖ ଗାଡ଼ିଗୁଡ଼ିକୁ ଏ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। ସମ୍ବଲପୁର ରେଳ ମଣ୍ଡଳର ମୁଖ୍ୟାଳୟ ତଥା ମୁଖ୍ୟ ଜଙ୍କ୍‌ସନ୍ ସମ୍ବଲପୁର ଦେଇ ଏବେ ପ୍ରାୟ ୨୦ ଯୋଡ଼ା ସ୍ବତନ୍ତ୍ର ଏକ୍ସପ୍ରେସ୍‌ ଯିବା ଆସିବା କରୁଛି। କିନ୍ତୁ ଆହୁରି ପ୍ରାୟ ସେତିକି ସଂଖ୍ୟକ ଟ୍ରେନ୍‌ ସେବା ଏଯାଏଁ ଆରମ୍ଭ ହୋଇନାହିଁ। ଗୁରୁତ୍ବପୂର୍ଣ୍ଣ କଥା ହେଲା ଏହି ରୁଟ୍‌ରେ ଏ ପର୍ଯ୍ୟନ୍ତ ଗୋଟିଏ ବି ପାସେଞ୍ଜର ଟ୍ରେନ୍‌ ଚଳାଚଳ କରୁନାହିଁ।

ସମ୍ବଲପୁର ଦେଇ ଯାତାୟାତ କରୁଥିବା ୪ଟି ପ୍ରମୁଖ ଟ୍ରେନ୍‌କୁ ଚଳାଇବା ପାଇଁ ବହୁ ଦିନରୁ ଦାବି ହୋଇଆସୁଛି। ସେଗୁଡ଼ିକ ହେଲା ବିଶାଖାପାଟଣା-ଅମୃତସର ହୀରାକୁଦ ଏକ୍ସପ୍ରେସ୍‌, ପୁରୀ-ହାତିଆ ତପସ୍ବିନୀ ଏକ୍ସପ୍ରେସ୍‌, ହାୱଡ଼ା-ଟିଟିଲାଗଡ଼ ଇସ୍ପାତ୍ ଏକ୍ସପ୍ରେସ୍‌, ହାୱଡ଼ା-ଜଗଦଲପୁର ସମଲେଶ୍ବରୀ ଏକ୍ସପ୍ରେସ୍‌ ଓ ସମ୍ବଲପୁର-ପୁରୀ ଇଣ୍ଟର୍‌ସିଟି ଏକ୍ସପ୍ରେସ୍‌। ଏହାଛଡ଼ା ରାଉରକେଲା-କୋରାପୁଟ ଏକ୍ସପ୍ରେସ୍‌, ହାତିଆ-ପୁରୀ ଗରିବରଥ, ରାଜ୍ୟରାଣୀ ଏକ୍ସପ୍ରେସ୍‌, ସମ୍ବଲପୁର-ନୂଆଦିଲ୍ଲୀ ଗୋଣ୍ଡୱାନା ଏକ୍ସପ୍ରେସ୍‌ ଭଳି ଟ୍ରେନ୍‌ର ପୁନଃ ଚଳାଚଳ ଆରମ୍ଭ କରିବାକୁ ମଧ୍ୟ ଦାବି‌ ହେଉଛି।

ହୀରାକୁଦ ଏକ୍ସପ୍ରେସ୍‌, ତପସ୍ବିନୀ ଏକ୍ସପ୍ରେସ୍‌, ସମଲେଶ୍ବରୀ ଏକ୍ସପ୍ରେସ୍‌, ସମ୍ବଲପୁର-ପୁରୀ ଇଣ୍ଟର୍‌ସିଟି ଏକ୍ସପ୍ରେସ୍‌ ଓ ଇସ୍ପାତ୍ ଏକ୍ସପ୍ରେସ୍‌ ପଶ୍ଚିମ ଓଡ଼ିଶାରେ ରେଳବାଇର ଜୀବନରେଖା ସଦୃଶ। ଏହି ୫ଟି ପୁରାତନ ଟ୍ରେନ୍‌ ଉପରେ ହଜାର ‌ହଜାର ଲୋକ ନିର୍ଭରଶୀଳ। ସବୁବେଳେ ଏହି ଗାଡ଼ି ଗୁଡ଼ିକରେ ପ୍ରବଳ ଭିଡ଼ ହୋଇଥାଏ। କିିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ଏ ଗୁଡ଼ିକୁ ଆରମ୍ଭ କରିବା ଦିଗରେ ରେଳବାଇ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ସମ୍ବଲପୁର-ପୁରୀ ଇଣ୍ଟର୍‌ସିଟି ଏକ୍ସପ୍ରେସ୍‌ ପ୍ରଥମ ପର୍ଯ୍ୟାୟରେ ଆରମ୍ଭ ହୋଇଥିଲେ ବି କରୋନା ଭୟଙ୍କର ସ୍ଥିତିରେ ଥିବାରୁ ସେତିକି ବେଳେ ପର୍ଯ୍ୟାପ୍ତ ସଂଖ୍ୟାରେ ଯାତ୍ରୀ ହୋଇ ନଥିଲେ। ଅନ୍ୟ ଗାଡ଼ି ଗୁଡ଼ିକର ବି ସମାନ ସ୍ଥିତି ଥିଲା। ହେଲେ ଏହି ଟ୍ରେନ୍‌ଟିକୁ ରେଳବାଇ କର୍ତ୍ତୃପକ୍ଷ ବନ୍ଦ କରିଦେଲେ ଓ ସ୍ଥିତି ସ୍ବାଭାବିକ ହେବା ପରେ ବି ପୁନଃ ଚଳାଇବାର କୌଣସି ପ୍ରୟାସ ହେଉ ନାହିଁ। ଅପେକ୍ଷାକତୃତ କମ୍ ଉପଯୋଗୀ ଜମ୍ମୁତୱି ବ୍ୟତୀତ ଏବେ ସମ୍ବଲପୁରରୁ ରାଜଧାନୀ ଦିଲ୍ଲୀ ପାଇଁ ସପ୍ତାହକୁ ମାତ୍ର ୨ଟି ଟ୍ରେନ୍‌ ରହିଛି। ଉଭୟ ଟ୍ରେନ୍‌ ରାଜଧାନୀ ଏକ୍ସପ୍ରେସ୍‌ ଓ ଭୁବନେଶ୍ବର-ଆନନ୍ଦବିହାର ଟର୍ମିନାଲ୍ ସୁପର୍‌ଫାଷ୍ଟ ଦ୍ବୟ ଶନିବାର ଦିନ ଚ‌ାଲେ। ଅନ୍ୟ ୬ ଦିନ ପଶ୍ଚିମ ଓଡ଼ିଶାରୁ ଦିଲ୍ଲୀ ଯିବା ପାଇଁ କୌଣସି ବିକଳ୍ପ ରେଳ ବ୍ୟବସ୍ଥା ନାହିଁ। ତେଣୁ ହୀରାକୁଦ ଏକ୍ସପ୍ରେସ୍‌ ଚଳାଚଳ ନିହାତି ଆବଶ୍ୟକ। ସେହିପରି କୋଲକାତା ପାଇଁ ଏପର୍ଯ୍ୟନ୍ତ ହାତଗଣତି ଏକ ମାତ୍ର ସାପ୍ତାହିକ ଟ୍ରେନ୍‌କୁ ବାଦ ଦେଲେ ଅନ୍ୟ କୌଣସି ଗାଡ଼ି ନାହିଁ। ଏହି ମାର୍ଗର ଦୁଇ ପ୍ରମୁଖ ଟ୍ରେନ୍‌କୁ ବନ୍ଦ ରଖାଯାଇଛି। ଭୁବନେଶ୍ବରରୁ ରାଉରକେଲା ମଧ୍ୟରେ ପ୍ରବଳ ଯାତ୍ରୀ ଭିଡ଼ ହେଉଥିବାରୁ ଓ ସେହି ମାର୍ଗରେ ତପସ୍ବିନୀର ଚାହିଦା ସବୁଠୁ ଅଧିକ ହୋଇଥିବାରୁ ତାହା ତୁରନ୍ତ ଚଲାଇବାକୁ ଦାବି ହେଉଛି।

ତେବେ ଚାଲୁ ନଥିବା ଟ୍ରେନ୍‌ ଗୁଡ଼ିକ ମଧ୍ୟରୁ ଅଧିକାଂଶ ପୂର୍ବତଟ ରେଳବାଇ ଜୋନ୍‌ର ନିୟନ୍ତ୍ରଣାଧୀନ ନୁହେଁ। ଦକ୍ଷିଣପୂର୍ବ ରେଳବାଇ ଭଳି ବାହାର ରାଜ୍ୟର ଜୋନ୍‌ ଗୁଡ଼ିକ ଓଡ଼ିଶା ପାଇଁ ଗୁରୁତ୍ବ ରଖୁଥିବା ଟ୍ରେନ୍‌ ଗୁଡ଼ିକ ଚଳାଇବା ଦିଗରେ କୌଣସି ପଦକ୍ଷେପ ନେଉ ନାହାନ୍ତି ବୋଲି ଅଭିଯୋଗ ହେଉଛି। ସେହି କାରଣରୁ ରାଉରକେଲା-ସମ୍ବଲପୁର ମେମୁ ଟ୍ରେନ୍‌କୁ ଦକ୍ଷିଣ ପୂର୍ବ ରେଳବାଇ ରାଉରକେଲାରୁ ଝାରସୁଗୁଡ଼ା ମଧ୍ୟରେ ଚଳାଉଥିଲେ ବି ବହୁ ଦାବି ସତ୍ତ୍ବେ ଝାରସୁଗୁଡ଼ାରୁ ସମ୍ବଲପୁର ମଧ୍ୟରେ ସେବା ବନ୍ଦ ରଖିଛି। ଏହାଦ୍ବାରା ସମ୍ବଲପୁରରୁ ଝାରସୁଗୁଡ଼ା ଓ ରାଉରକେଲା ଯାଉଥିବା ବହୁ ଦୈନନ୍ଦିନ ଯାତ୍ରୀ, ବ୍ୟବସାୟୀ, ଛାତ୍ରଛାତ୍ରୀ ଓ ସାଧାରଣ ଲୋକେ ହଇରାଣ ହେଉଛନ୍ତି। ଝାରସୁଗୁଡ଼ା, ସମ୍ବଲପୁର, ଟିଟିଲାଗଡ଼ ଦେଇ ବିଲାସପୁର-ରାୟପୁର ମଧ୍ୟରେ ଚାଲୁଥିବା ପୁରାତନ ପାସେଞ୍ଜର (ରଂଗବତୀ)କୁ ମଧ୍ୟ ଚଳାଇବାର ଆବଶ୍ୟକତା ରହିଛି।

The post ସମ୍ବଲପୁର ମଣ୍ଡଳରେ ଅଧିକାଂଶ ଟ୍ରେନ୍‌ ବନ୍ଦ, ୫ ପୁରୁଣା ଟ୍ରେନ୍‌ ଉପରେ ନିର୍ଭରଶୀଳ ହଜାର ହଜାର ଲୋକ first appeared on Sambad.



from ବିଶେଷ – Sambad https://ift.tt/3tc97Qd

Post a Comment

0 Comments