
ଭଦ୍ରକ : ଭଦ୍ରକ ମଧ୍ୟଦେଇ ଚଳାଚଳ କରୁଥିବା ୧୦ଟି ଟ୍ରେନ୍ ଉପରେ ପ୍ରତିଦିନ ନିର୍ଭର କରୁଥିବା ହଜାର ହଜାର ଯାତ୍ରୀ ଏବେ ଯାତାୟାତ ପାଇଁ ବହୁ ଦୁର୍ଦ୍ଦଶା ଭୋଗ କରୁଛନ୍ତି। କରୋନା ପାଇଁ ଟ୍ରେନରେ ସିନା ଯାତ୍ରା କରିପାରୁନାହାନ୍ତି, ବସରେ ଖୁନ୍ଦାଖୁନ୍ଦି ହୋଇ କରୋନାକୁ ଆମନ୍ତ୍ରଣ କରୁଛନ୍ତି। ଟ୍ରେନ ବନ୍ଦ ଥିବାରୁ ରେଳ ବିଭାଗ ମାସିକ ପ୍ରାୟ ୩ କୋଟି ଟଙ୍କାର ରାଜସ୍ବ ହରାଉଛି। ଗୋଟିଏ ପଟେ ରେଳ ବିଭାଗ ରାଜସ୍ବ ହରାଉଥିବା ବେଳେ ଅନ୍ୟପଟେ ଯାତ୍ରୀଙ୍କ ଦୁର୍ଦ୍ଦଶା ଦିନକୁ ଦିନ ବଢ଼ିବାରେ ଲାଗିଛି। ରାଜ୍ୟ ସରକାର ଓ ରେଳ ବିଭାଗ ଏ ଦିଗରେ ଦୃଷ୍ଟି ଦେଇ ପାସେଞ୍ଜେର ଟ୍ରେନ୍ ଚଳାଚଳ କରିବା ପାଇଁ ଦାବି ହେଉଛି।
ଭଦ୍ରକ ଦେଇ ଭଦ୍ରକ-ପଲାସା, ଭଦ୍ରକ-ପାରାଦୀପ, ଭଦ୍ରକ-ହାଵଡ଼ା, ଭଦ୍ରକ-ଖଡ଼ଗପୁର, ଭଦ୍ରକ-ଖୋର୍ଦ୍ଧାରୋଡ୍, ଭଦ୍ରକ-କେନ୍ଦୁଝର ରୋଡ୍, ଭଦ୍ରକ-ହାଵଡା, ଖଡଗପୁର-ଖୋର୍ଦ୍ଧାରୋଡ, ପୁରୀ-ହାଵଡ଼ା, ଖଡ଼ଗପୁର-ଭଦ୍ରକ, ଯାଜପୁର-ଖଡ଼ଗପୁର, ପାସେଞ୍ଜର ଟ୍ରେନ୍ ଚଳାଚଳ କରୁଥିଲା। ପ୍ରତିଦିନ ଏହି ଦୁଇ ରୁଟ୍ରେ ଭଦ୍ରକ ଦେଇ ପ୍ରାୟ ୧୫ରୁ ଅଧିକ ପାସେଞ୍ଜର ଟ୍ରେନ୍ ବିଭିନ୍ନ ଅଞ୍ଚଳକୁ ଚଳାଚଳ କରୁଥିଲା। କରୋନା ପାଇଁ ଏସବୁ ବନ୍ଦ ରହିଛି। ସେହିପରି, ଭଦ୍ରକରୁ-ଖଡ଼ଗପୁର ପାସେଞ୍ଜର ଦିନ ୩ଟା ୧୦ରେ ଭଦ୍ରକରୁ ଛାଡ଼ି ଖଡ଼ଗପୁର ଅଭିମୁଖେ ଯାଉଥିଲା। ଏହି ଟ୍ରେନ ଭଦ୍ରକରୁ ବାଲେଶ୍ବର ଦେଇ ଖଡ଼ଗପୁର ଯାଉଥିବାରୁ ଏହାଦ୍ବାରା ବାଲେଶ୍ବର ଜିଲ୍ଲାର ଲୋକେ ବିଶେଷ ଉପକୃତ ହେଉଥିଲେ। ଭଦ୍ରକ-ହାଵଡ଼ା ବାଘାଯତୀନ ପାସେଞ୍ଜେର ଭଦ୍ରକରୁ ଭୋର ୪ଟା ୫୦ରେ ଛାଡ଼ି ବାଲେଶ୍ବର ଦେଇ ହାଵଡ଼ାରେ ପହଞ୍ଚୁଥିବାବେଳେ ପୁଣି ହାଵଡ଼ାରୁ ଛାଡ଼ି ଭଦ୍ରକରେ ରାତି ୧୦ଟା ୪୦ରେ ପହଞ୍ଚୁଥିଲା। ସେହିପରି ଆହୁରି ମଧ୍ୟ କେତେକ ଟ୍ରେନ୍ ଚଳାଚଳ କରୁଥିଲା। ବିଶେଷକରି, ଭଦ୍ରକ ଜିଲ୍ଲା ଦେଇ ପ୍ରତିଦିନ ବିଭିନ୍ନ ସ୍ଥାନକୁ ୧୦ଟି ପାସେଞ୍ଜେର ଟ୍ରେନ୍ ଚଳାଚଳ କରୁଥିବାବେଳେ ଏସବୁ ପାସେଞ୍ଜେର ଟ୍ରେନ୍ରେ ପ୍ରତିଦିନ ହଜାର ହଜାର ଯାତ୍ରୀ ବିଭିନ୍ନ ସ୍ଥାନକୁ ଯାତାୟାତ କରୁଥିଲେ। କରୋନା କଟକଣା ପରେ ଏବେ କେବଳ ଭଦ୍ରକରୁ ହାଵଡ଼ା ବାଘାଯତୀନ ପାସେଞ୍ଜର ଚଳାଚଳ କରୁଥିବା ବେଳେ ଅନ୍ୟସବୁ ଟ୍ରେନ୍ ବନ୍ଦ ରହିଛି।
The post କରୋନା ଅଟକାଇଛି ପାସେଞ୍ଜର : ରେଳ ବିଭାଗର ମାସିକ ୩ କୋଟି ରାଜସ୍ବ କ୍ଷତି first appeared on Sambad.
from ବିଶେଷ – Sambad https://ift.tt/3bIQIEJ
0 Comments