
ବ୍ରହ୍ମପୁର : ପୂର୍ବରୁ ବ୍ରହ୍ମପୁର ଦେଇ ଦୈନିକ ପ୍ରାୟ ୬୦ଟି ଟ୍ରେନ୍ ଯାତାୟାତ କରୁଥିବାବେଳେ ବର୍ତ୍ତମାନ ଏହାର ଅଧା ଅର୍ଥାତ୍ ୩୦ଟି ଟ୍ରେନ୍ ଯିବା ଆସିବା କରୁଥିବା ବିଭାଗୀୟ ସୂତ୍ରରୁ ସୂଚନା ମିଳିଛି। ସେହିପରି ବ୍ରହ୍ମପୁରରୁ ବିଭିନ୍ନ ସ୍ଥାନକୁ ଗଡ଼ୁଥିବା ୫ଟି ପାସେଞ୍ଜର୍ (ମେମୁ, ଡିଏମ୍ୟୁ) ଟ୍ରେନ୍ ମଧ୍ୟ ବାତିଲ କରାଯାଇଛି। ଏହାଦ୍ବାରା ଦୈନିକ ଟ୍ରେନ୍ରେ ଯିବା ଆସିବା କରୁଥିବା ସରକାରୀ ଚାକିରିଆ ତଥା କର୍ମଜୀବୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅତ୍ୟନ୍ତ ଜରୁରି କାମରେ ଲୋକେ ଏକ୍ସପ୍ରେସ୍ ଭଡ଼ାଦେଇ ଟ୍ରେନ୍ରେ ଯିବା ଆସିବା କରୁଛନ୍ତି। ଏପରିକି ଦକ୍ଷିଣ ଓଡ଼ିଶାରୁ ପଶ୍ଚିମ ଓଡ଼ିଶାକୁ ସଂଯୋଗ କରୁଥିବା ଏକ ମାତ୍ର ଟ୍ରେନ୍ ରାଜ୍ୟରାଣୀ ଏକ୍ସପ୍ରେସ୍ (ଗୁଣପୁର-ରାଉରକେଲା) ଟ୍ରେନ୍ ମଧ୍ୟ ବନ୍ଦ କରାଯାଇଛି। ଫଳରେ ଦକ୍ଷିଣ ଓଡ଼ିଶାରୁ ସିଧାସଳଖ ପଶ୍ଚିମ ଓଡ଼ିଶାକୁ ଯିବାକୁ ଚାହୁଁଥିବା ଲୋକେ ହଇରାଣ ହେଉଛନ୍ତି।
କରୋନା ଯୋଗୁଁ ଯାତ୍ରୀଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ବ ଦିଆଯାଉଥିବା ରେଳ ବିଭାଗ ପକ୍ଷରୁ କୁହାଯାଉଥିବା ବେଳେ ସୁରକ୍ଷା ଆଳରେ ଯାତ୍ରୀଙ୍କ ଉପରେ ଅଧିକ ଟ୍ରେନ୍ ଭଡ଼ା ଲଦି ଦିଆଯାଉଛି। କରୋନା ପାଇଁ ଯେତିକି ସିଟ୍କୁ ସେତିକି ଟିକେଟ ଦିଆଯାଉଛି। ଟ୍ରେନ୍ଗୁଡ଼ିକୁ ସ୍ବତନ୍ତ୍ର କୋଭିଡ୍ ସ୍ପେସାଲ୍ ନାମରେ ଗଡ଼ୁଛି। ସ୍ବତନ୍ତ୍ର ଟ୍ରେନ୍ ନାମରେ ଯାତ୍ରାଙ୍କ ଠାରୁ ଅଧିକ ଟଙ୍କା ଆଦାୟ କରାଯାଉଛି। କରୋନା ପୂର୍ବରୁ ବ୍ରହ୍ମପୁରରୁ ଭୁବନେଶ୍ବର ଅଭିମୁଖେ ଦୈନିକ ୩ଟି ପାସେଞ୍ଜର ଗଡ଼ୁଥିଲା। କରୋନା ପାଇଁ ଗତବର୍ଷ ଠାରୁ ଏହି ସମସ୍ତ ଟ୍ରେନ୍ ବନ୍ଦ କରାଯାଇଛି। ବର୍ତ୍ତମାନ ଇଚ୍ଛାପୁର-ଭୁବନେଶ୍ବର କୋଭିଡ୍ ସ୍ପେସାଲ୍ ଏକ୍ସପ୍ରେସ୍ ନାମରେ ଗୋଟିଏ ମାତ୍ର ପାସେଞ୍ଜର୍ ଟ୍ରେନ୍ ଚାଲିଛି। କରୋନା ପୂର୍ବରୁ ପାସେଞ୍ଜର୍ ଟ୍ରେନ୍ରେ ଭୁବନେଶ୍ବର ଯିବା ପାଇଁ ମାତ୍ର ୪୦ଟଙ୍କା ଦେବାକୁ ପଡ଼ୁଥିଲା। ଏବେ କୋଭିଡ୍ ସ୍ପେସାଲ୍ ଟ୍ରେନ୍ରେ ୮୫ଟଙ୍କା ଦେବାକୁ ପଡ଼ୁଛି। ଯାହାକି ପୂର୍ବ ଦରର ଦୁଇଗୁଣରୁ ଅଧିକ। ଏଣୁ ବ୍ରହ୍ମପୁର ଦେଇ ସମସ୍ତ ପାସେଞ୍ଜର୍ ଓ ମେମୁ ଟ୍ରେନ୍ ଚାଳଚଳ କରିବା ପାଇଁ ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚ ସହିତ ବିଭିନ୍ନ ଅନୁଷ୍ଠାନ ତରଫରୁ ଦାବି କରାଯାଇଛି। ସେହିଭଳି, ରେଳ କର୍ତ୍ତୃପକ୍ଷ ତୁରନ୍ତ ବ୍ରହ୍ମପୁର ଦେଇ ଯାଉଥିବା ସମସ୍ତ ପାସେଞ୍ଜର୍ ଟ୍ରେନ୍ ଚଳାଚଳ ଆରମ୍ଭ କରିବା ସହିତ ପୁରୀକୁ ଏକ ଟ୍ରେନ୍ ଚଳାଇବା ପାଇଁ ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ରେଳ ମନ୍ତ୍ରାଳୟର ଦୃଷ୍ଟି ଆକର୍ଷଣ କରିଛନ୍ତି।
The post ବ୍ରହ୍ମପୁର ଦେଇ ଯାଉଥିବା ୫ ପାସେଞ୍ଜର୍ ଟ୍ରେନ୍ ବନ୍ଦ, ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଯାତ୍ରୀ first appeared on Sambad.
from ବିଶେଷ – Sambad https://ift.tt/3t5o5HA
0 Comments