
ନାଭସାରି: ଗୁଜୁରାଟ ଦେଇ ଯାଉଥିବା ମୁମ୍ବାଇ-ଇନ୍ଦୋର ଅବନ୍ତିକା ଏକ୍ସପ୍ରେସର ଜରୁରୀକାଳୀନ ଝରକା ଦେଇ ହଠାତ୍ ଶିଶୁଟିଏ ତଳକୁ ଖସି ପଡିଥିଲା। ଶିଶୁର ମା’ ସମସ୍ତଙ୍କୁ ପାଟି କରି ଜଣାଇବା ପରେ ତୁରନ୍ତ ଏକ୍ସପ୍ରେସ ଟ୍ରେନର ଚେନକୁ ଟାଣି ଅଟକା ଯାଇଥିଲା। ଦେବଦୂତ ସାଜି ଶିଶୁର ଜୀବନ ବଞ୍ଚାଇଥିଲା ରେଳପୁଲିସ।
ଚେନ ଟାଣିବା ପରେ ଟ୍ରେନ୍ ନାଭସାରିର ଅମାଲସାଦ ଷ୍ଟେସନ ନିକଟରେ ଅଟକି ରହିଥିଲା । ଏହାପରେ ଘଟଣା ସଂପର୍କରେ ଷ୍ଟେସନ ମାଷ୍ଟରଙ୍କୁ ଅବଗତ କରାଯାଇଥିଲା। ସଙ୍ଗେ ସଙ୍ଗେ ରେଳ ପୁଲିସ ଶିଶୁକୁ ଖୋଜିବା ଆରମ୍ଭ କରିଥିଲା। କିଛି ସମୟ ଖୋଜାଖୋଜି କରିବା ପରେ ରେଳ ଲାଇନ ପାଖରେ ଥିବା ଏକ ବୁଦା ଭିତରକୁ ପୁଲିସ ଶିଶୁ ପଡ଼ି କାନ୍ଦୁଥିବା ଦେଖିବାକୁ ପାଇଥିଲେ।

ଆହତ ଅବସ୍ଥାରେ ଶିଶୁକୁ ଉଦ୍ଧାର କରି ତୁରନ୍ତ ନିକଟସ୍ଥ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ତାର ଚିକିତ୍ସା ଆରମ୍ଭ ହୋଇଥିଲା। ଚିକିତ୍ସା ପରେ ଶିଶୁଟି ସୁସ୍ଥ ଥିବା ନେଇ ଡାକ୍ତରମାନେ କହିଛନ୍ତି। ଡାକ୍ତର ଏବଂ ଶିଶୁର ପରିବାର ସଦସ୍ୟ ବିଲିମୋରାର ଆରପିଏଫ ଯବାନଙ୍କୁ ପ୍ରଶଂସା କରିବା ସହ ରେଳ ପୁଲିସକୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।
ଉଦ୍ଧାର ହୋଇଥିବା ୩ ବର୍ଷ ଶିଶୁର ମା’ଙ୍କ କହିବାନୁସାରେ, ସେ ଭାପିରୁ ଦିୱାସ ଅଭିମୁଖେ ଯାଉଥିଲେ। ଏହି ସମୟରେ ଟ୍ରେନର ଜରୁରୀକାଳୀନ ଝରକା ଖୋଲାଥିଲା। କିଛି ଜାଣିବା ପୂର୍ବରୁ ଝିଅ ଟ୍ରେନ ଚାଲୁଥିବା ଅବସ୍ଥାରେ ଉକ୍ତ ଝରକା ଦେଇ ତଳେ ପଡ଼ି ଯାଇଥିଲା। ଘଟଣା ପରେ ସେ ଭାବିଥିଲେ ସବୁଦିନ ପାଇଁ ଝିଅକୁ ହରାଇ ଦେଲେ। କିନ୍ତୁ ଭଗବାନଙ୍କ କୃପାରୁ ତାକୁ ପୁଣି ଜୀବନ୍ତ ଅବସ୍ଥାରେ ପାଇଲି। ଏହି ଦୁର୍ଘଟଣାରେ ଝିଅର ମୁଣ୍ଡ ଏବଂ ଗୋଡରେ ଆଘାତ ଲାଗିଥିଲା। ଚିକିତ୍ସା ପରେ ଦିନେ କିମ୍ବା ଦୁଇ ଦିନ ଭିିତରେ ଝିଅକୁ ଡାକ୍ତରଖାନାରୁ ଡିସଚାର୍ଜ କରି ଦିଆଯିବ।
The post ଚଳନ୍ତା ଟ୍ରେନର ଝରକାରୁ ତଳକୁ ଖସି ପଡ଼ିଲା ଶିଶୁ; ଦେବଦୂତ ସାଜି ଜୀବନ ବଞ୍ଚାଇଲା ରେଳପୁଲିସ first appeared on Sambad.from ବିଶେଷ | Sambad https://ift.tt/3vTB2ql
0 Comments