ଧାନ ଯନ୍ତ୍ରଣା : ୪୮ ଦିନ ହେଲା କାର୍ଯ୍ୟାଳୟରେ ଭର୍ତ୍ତି ହୋଇଛି ଧାନ

ସମ୍ବଲପୁର : ଚଳିତ ବର୍ଷ ଖରିଫ ଧାନ ବିକ୍ରିକୁ ନେଇ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ଜିଲ୍ଲାର ଜମନକିରାରେ ଗତ ୪୮ ଦିନ ହେଲା ଚାଷୀମାନେ ବ୍ଲକ୍‌ ଓ ତହସିଲ କାର୍ଯ୍ୟାଳୟରେ ଧାନ ଭର୍ତ୍ତି କରିଛନ୍ତି। ବ୍ଲକ୍‌ର ଦୁଇଟି ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟାଳୟରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ତଥାପି ପ୍ରଶାସନ ଚୁପ୍। ସରକାର ସବୁ ଜାଣି ଅଜଣା ହୋଇ ରହିଛନ୍ତି।

ରବି ଧାନ ସଂଗ୍ରହ ପାଇଁ ଚାଷୀଙ୍କ ଜମି ପଂଜୀକରଣ ଆରମ୍ଭ ହୋଇଗଲାଣି। ଆଉ କିଛି ଦିନ ପରେ ଫସଲ ଅମଳ ହେବ। ଏପଟେ ଖରିଫ ଋତୁର ଧାନ ଚାଷୀ ବିକ୍ରି କରିପାରି ନାହିଁ। ସମ୍ବଲପୁର ଜିଲ୍ଲାର କୁଚିଣ୍ଡା ଉପଖଣ୍ଡରେ ହଜାର ହଜାର ବସ୍ତା ଧାନ ପଡ଼ି ରହିଥିବା ବେଳେ ଚାଷୀର ଆର୍ଥିକ ସ୍ଥିତି ଦୋହଳି ଯାଇଛି।

ଧାନ କିଣାବିକାକୁ ବ୍ୟବସ୍ଥିତ କରିବା ପାଇଁ ପ୍ରଶାସନ ପକ୍ଷରୁ ଟୋକନ୍ ବ୍ୟବସ୍ଥା ଲାଗୁ କରାଯାଇଥିଲା। ଚାଷୀମାନଙ୍କୁ ଧାନ ବିକିବା ପାଇଁ ଆଗୁଆ ଟୋକନ୍ ଦିଆଯାଇଥିଲା। ମାତ୍ର ଧାର୍ଯ୍ୟ ସମୟରେ ଚାଷୀଙ୍କଠାରୁ ଧାନକିଣା ନଯିବାରୁ ଟୋକନ୍ ଲ୍ୟାପ୍‌ସ ହୋଇଯାଇଛି। କୁଚିଣ୍ଡା ଉପଖଣ୍ଡ ଅନ୍ତର୍ଗତ ବିଭିନ୍ନ ମଣ୍ଡିରେ ଚାଷୀଙ୍କ ହଜାର ହଜାର ବସ୍ତା ଧାନ ପଡ଼ିରହିଛି। ଶ୍ରୀଲକ୍ଷ୍ମୀ କୃଷକ ସୁରକ୍ଷା ସଂଗଠନର ଉପଦେଷ୍ଟା କୁଶଧ୍ବଜ ଚୌଧୁରୀଙ୍କ ତଥ୍ୟ ଅନୁସାରେ, କୁଚିଣ୍ଡା ଉପଖଣ୍ଡରେ ପ୍ରାୟ ୭୦ ହଜାର କୁଇଣ୍ଟାଲ ଧାନ ବିକ୍ରି ହୋଇପାରି ନାହିଁ। କେଉଁଠି ଧାନ ମଣ୍ଡିରେ ପଡ଼ିଛି ତ କେଉଁଠି ପୁଣି ଚାଷୀମାନେ ଘରେ ରଖିଛନ୍ତି।

ଫାଶୀମାଲ୍ ଲ୍ୟାମ୍ପସ୍ ଅଧୀନ ଫାଶୀମାଲ୍ ଓ ଟିକିବା ମଣ୍ଡିରେ ୩୩ ଜଣ ଚାଷୀଙ୍କ ୩ ହଜାର ୨୧୫ ବସ୍ତା ଧାନ, ଧୁଡ଼ିପାଲି ମଣ୍ଡିରେ ପ୍ରାୟ ୩ ହଜାର ବସ୍ତା ଧାନ, ସୁବର୍ଣ୍ଣପାଲି ମଣ୍ଡିରେ ୧୭୦୦ ବସ୍ତା ଧାନ, ଗୁଣ୍ଡୁରୁଚୁଆଁ ମଣ୍ଡିରେ ୧୦ ଚାଷୀଙ୍କ ପ୍ରାୟ ୧୨୧୫ ବସ୍ତା, ଜମନକିରା ଲ୍ୟାମ୍ପସ ଅଧୀନ ଜମନକିରା ମଣ୍ଡିରେ ୧୯ ହଜାର ୮୦୯ ବସ୍ତା ଧାନ, ଟିକିଲିପଡ଼ା ମଣ୍ଡିରେ ୪ ହଜାର ୫୯୧ ବସ୍ତା, ଭୋଜପୁର ମଣ୍ଡିରେ ୩ ହଜାର ୮୦୦ ବସ୍ତା, ଡିମିରିମୁଣ୍ଡା ମଣ୍ଡିରେ ୫ ହଜାର ୮୦୦ ବସ୍ତା, ସିରିଡ଼ ମଣ୍ଡିରେ ୫ ହଜାର ୫୦୦ ବସ୍ତା, ବଡ଼ମାଳ ମଣ୍ଡିରେ ୨ ହଜାର ୪୦୩ ବସ୍ତା ଧାନ ପଡ଼ି ରହିଥିବା ବେଳେ ଧାନ ବିକ୍ରି ହୋଇ ନପାରି ପଡ଼ିରହିଛି। ଧାନ ବିକ୍ରି ହୋଇନପାରିବାର ପ୍ରତିବାଦରେ ଜମନକିରା ବ୍ଲକ ମିଳିତ ଚାଷୀ ସଂଗଠନ ନେତୃତ୍ବରେ ଗତ ୨୫ ଜାନୁଆରିରେ ବିଭିନ୍ନ ସରକାରୀ ଅଫିସରେ ଧାନ ଭର୍ତ୍ତି କରି ପ୍ରତିବାଦ କରାଯାଇଥିଲା। ଏହି କ୍ରମରେ ଜମନକିରା ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଗେଟ୍ ଭିତରେ ୧୨୫ ବସ୍ତା ଧାନ, ତହସିଲ କାର୍ଯ୍ୟାଳୟ ଭିତରେ ୧୦୬ ବସ୍ତା ଧାନ, ଜମନକିରା ଲ୍ୟାମ୍ପସ୍‌ରେ ୯୫ ବସ୍ତା ଧାନ, ଭୋଜପୁର ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ଓ ପଞ୍ଚାୟତ କାର୍ଯ୍ୟାଳୟରେ ୨୫ ବସ୍ତା ଧାନ ଲେଖାଏଁ ଧାନ, ଡିମିରିମୁଣ୍ଡା ପଞ୍ଚାୟତ କାର୍ଯ୍ୟାଳୟରେ ୫୦ ବସ୍ତା ଓ ସିରିଡ଼ ପଞ୍ଚାୟତ କାର୍ଯ୍ୟାଳୟରେ ୧୦୦ ବସ୍ତା ଧାନ ଭର୍ତ୍ତି କରାଯାଇଥିଲା। ସେହିଦିନଠାରୁ ବିଭିନ୍ନ ମଣ୍ଡିରେ ଓ ସରକାରୀ ଅଫିସଗୁଡ଼ିକରେ ଧାନ ବସ୍ତା ପଡ଼ି ରହିଥିବା ବେଳେ ଚାଷୀ ସେମାନଙ୍କ ଧାନ ବିକ୍ରି କରି ନ ପାରି ଅନିଶ୍ଚିତତାରେ ପଡ଼ିରହିଛନ୍ତି।

The post ଧାନ ଯନ୍ତ୍ରଣା : ୪୮ ଦିନ ହେଲା କାର୍ଯ୍ୟାଳୟରେ ଭର୍ତ୍ତି ହୋଇଛି ଧାନ first appeared on Sambad.



from ବିଶେଷ – Sambad https://ift.tt/3ti76BT

Post a Comment

0 Comments