ହରିଦ୍ୱାର କୁମ୍ଭମେଳାରେ ଆକର୍ଷଣ ସାଜିଛନ୍ତି ବାମନ ବାବା; ବୟସ ୫୫କୁ ଉଚ୍ଚତା ମାତ୍ର ୧୮ ଇଞ୍ଚ

ହରିଦ୍ୱାର: ହରିଦ୍ୱାରରେ କୁମ୍ଭମେଳା ପାଇଁ ସାରା ଦେଶରୁ ନାଗା ସନ୍ନ୍ୟାସୀଙ୍କ ସହ ଏବେ ଅନେକ ସାଧୁଙ୍କ ଆଗମନ ହୋଇଛି । ହେଲେ ଏହି ମେଳାରେ ଆକର୍ଷଣ ସାଜିଛନ୍ତି ସନ୍ଥ ସ୍ୱାମୀ ନାରାୟଣ ନନ୍ଦ । ସନ୍ଥ ନାରାୟଣ ନନ୍ଦ ନିଜ ଉଚ୍ଚତାକୁ ନେଇ ଏବେ ବେଶ୍ ଚର୍ଚ୍ଚାରେ ।

ଦେଶର ସବୁଠାରୁ ବଡ଼ ମେଳାଭାବେ କୁମ୍ଭମେଳାକୁ ଗଣନା କରାଯାଏ । ଏହି ମେଳାରେ ଦେଶ ତଥା ଦେଶ ବାହାରୁ ଅନେକ ସାଧୁ ସନ୍ଥଙ୍କର ଆଗମନ ହୋଇଥାଏ । ବିଭିନ୍ନ ବେଶଭୂଷା, ଚାଲିଚଳଣ ଓ ଆଧ୍ୟାତ୍ମିକ ମାର୍ଗର ଜୀବନଶୈଳୀକୁ ନେଇ ସାଧୁ ସନ୍ଥମାନେ ଚର୍ଚ୍ଚିତ ହୋଇଥାନ୍ତି । ହେଲେ ଏଥର କୁମ୍ଭମେଳାରେ ଲୋକଙ୍କର ଆକର୍ଷଣ ସାଜିଛନ୍ତି ସନ୍ଥ ସ୍ୱାମୀ ନାରାୟଣ ନନ୍ଦ। ସେ ତାଙ୍କର ଉଚ୍ଚତାକୁ ନେଇ ଲୋକମାନଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । କୁହାଯାଉଛି, ପୃଥିବୀର ସେ ସବୁଠାରୁ ଛୋଟ ନାଗା ସନ୍ନ୍ୟାସୀ । ଏହି କାରଣରୁ ଲୋକମାନେ ତାଙ୍କଠାରୁ ଆର୍ଶୀବାଦ ନେବାକୁ ଉତ୍ସାହର ସହ ତାଙ୍କ ପାଖରେ ପହଞ୍ଚିଯାଉଛନ୍ତି । ଏବେ ନାରାୟଣ ବାବା ଜୁନା ଆଖଡାର ଛାବନୀ ନିକଟରେ ଥିବା ଦୁଃଖହରଣ ହନୁମାନ ମନ୍ଦିର ନିକଟରେ ରହୁଛନ୍ତି ।

୫୫ ବର୍ଷୀୟ ଏହି ନାଗା ସନ୍ନ୍ୟାସୀଙ୍କ ଉଚ୍ଚତା ମାତ୍ର ୧୮ଇଞ୍ଚ ବା ଦେଢ ଫୁଟ୍ ଓ ଓଜନ ୫୦ କିଲୋ । ସ୍ୱାମୀ ନାରାୟଣ ସ୍ୱାମୀ ଚାଲିପାରନ୍ତି ନାହିଁ । ତାଙ୍କର ନିତ୍ୟକର୍ମ ପାଇଁ ସହାୟକଙ୍କ ଆବଶ୍ୟକତା ପଡ଼ିଥାଏ । ସେ ଦୈନିକ ଭୋଜନରେ ଗୋଟିଏ ରୁଟି ଓ କ୍ଷୀର ଖାଉଥିବା ବେଳେ ସର୍ବଦା ଭଜନରେ ନିମଗ୍ନ ରହୁଥିବା ଦେଖିବାକୁ ମିଳିଥାଏ ।

ସ୍ୱାମୀ ନରାୟଣ ନନ୍ଦ ଝାନସୀର ମୂଳନିବାସୀ । ସେ ୨୦୧୦ ମସିହାରେ ହରିଦ୍ୱାରରେ ଥିବା ଜୁନାଗଡ଼ ଆସିଥିଲେ । ସେ ନାଗା ସନ୍ନ୍ୟାସୀ ଭାବେ ଦୀକ୍ଷିତ ହୋଇଛନ୍ତି । ସନ୍ନ୍ୟାସୀ ହେବା ପୂର୍ବରୁ ତାଙ୍କର ନାମ ସତ୍ୟନାରାୟଣ ପାଠକ ଥିଲା । ସନ୍ନ୍ୟାସ ଗ୍ରହଣ କରିବା ପରେ ତାଙ୍କ ନାମ ସ୍ୱାମୀ ନାରାୟଣ ନନ୍ଦ ହୋଇଛି ଓ ସେ ଭଗବାନ ଶିବଙ୍କଠାରେ ନିଜକୁ ସମର୍ପିତ କରିଛନ୍ତି।

ସ୍ୱାମୀ ନାରାୟଣ ନନ୍ଦ କହିଛନ୍ତି କି, ମୋର ପୂରାନାମ ନାରାୟଣ ନନ୍ଦ ବାବନ ଭଗବାନ। ମୁଁ ଜୁନାଗଡର ନାଗା ବାବା। ୨୦୧୦ ମସିହାରେ ଏହି କୁମ୍ଭମେଳାରେ ମୁଁ ନାଗାସାଧୁ ଭାବେ ଦୀକ୍ଷିତ ହୋଇଥିଲି। ମୋ ଗୁରୁଙ୍କ ନାମ ଗଙ୍ଗାନନ୍ଦଜୀ ଓ ତାଙ୍କ ଗୁରୁଙ୍କ ନାମ ଆନନ୍ଦ ଗିରି ଅଟେ।

The post ହରିଦ୍ୱାର କୁମ୍ଭମେଳାରେ ଆକର୍ଷଣ ସାଜିଛନ୍ତି ବାମନ ବାବା; ବୟସ ୫୫କୁ ଉଚ୍ଚତା ମାତ୍ର ୧୮ ଇଞ୍ଚ first appeared on Sambad.

from ବିଶେଷ | Sambad https://ift.tt/2NYJvr9

Post a Comment

0 Comments