
ଏବେ ରାଜଧାନୀରେ ଯେଉଁଠି ଅନେଇଲେ ବିରିୟାନିର ପସରା। ସ୍ବାଦ ଦୃଷ୍ଟିରୁ ନିଆରା, ପକେଟ୍କୁ ସେତେ ନ ବାଧିଲା ଭଳି ଦର। ବଡ଼ ହୋଟେଲଠୁ ରାସ୍ତାକଡ଼ ଦୋକାନ ପର୍ଯ୍ୟନ୍ତ ସବୁଠି ମିଳୁଛି ଭଳିକି ଭଳି ବିରିୟାନି। ବିରିୟାନି ମୂଳତଃ ମୁସ୍ଲମାନ ସମ୍ପ୍ରଦାୟର ଖାଦ୍ୟ ହୋଇଥିଲେ ବି କାହିଁ କେଉଁ କାଳରୁ ଏହା ଦେଶ ତଥା ବିଦେଶରେ ବେଶ୍ ଲୋକପ୍ରିୟ ହୋଇସାରିଛି। ଭାରତୀୟ ମସଲା, ଚାଉଳ ଓ ମାଂସ ଆଦିକୁ ମିଶାଇ ପ୍ରସ୍ତୁତ ବିରିୟାନିରେ ମାଂସ ବ୍ୟତୀତ ଅଣ୍ଡା, ଚିଙ୍ଗୁଡ଼ି, ପନିର, ଛତୁ ଓ ସୋୟାବିନ୍ ଆଦି ପକାଇ ମଧ୍ୟ ଏହା ପ୍ରସ୍ତୁତ କରାଯାଉଛି। ବିରିୟାନି ସାଙ୍ଗକୁ କଚୁମ୍ବର କିମ୍ବା ଚିକେନ ଝୋଳ ଟିକେ ହୋଇଗଲେ ଖାଇବା ଜମିଯାଏ। ଏକାସାଥେ ଏଥିରୁ ସବୁ ଖାଦ୍ୟର ପୋଷକତତ୍ବ ମିଳି ଯାଉଥିବାରୁ ରାଜଧାନୀବାସୀଙ୍କ ପସନ୍ଦ ତାଲିକାର ସର୍ବାଗ୍ରେ ରହିଛି ବିରିୟାନି। ପିଲାଠୁ ବୁଢ଼ାଯାଏ ବିରିୟାନିର ସ୍ବାଦ ପାଇବାକୁ ଦୋକାନ ଆଗରେ ଭିଡ଼ ଜମାଉଛନ୍ତି। ବ୍ୟସ୍ତବହୁଳ ଜୀବନରେ ଭାତ, ଡାଲି, ତରକାରୀ ଆଦି ପ୍ରସ୍ତୁତ କରି ଖାଇବା ତଥା ଏହାକୁ ବୋହିବା କଷ୍ଟକର ହୋଇଥିବାରୁ ଏବେ ସହରିଆଙ୍କ ଖାଦ୍ୟ ତାଲିକାର ପ୍ରଥମ ସ୍ଥାନରେ ରହିଛି ବିରିୟାନି। ରାଜଧାନୀର ବିଭିନ୍ନ ସ୍ଥାନରେ ଲୋକଙ୍କ ପସନ୍ଦ ପାଲଟିଥିବା କେତୋଟି ସ୍ବତନ୍ତ୍ର ବରିୟାନି ଷ୍ଟଲ୍କୁ ନେଇ ଆମର ସ୍ବତନ୍ତ୍ର ଉପସ୍ଥାପନା…
‘ରୟାଲ ବିରିୟାନି’ର ଲେଗ୍ ପିସ୍ ଚିକେନ ବିରିୟାନି
ରାଜଧାନୀରେ ବିରିୟାନିପ୍ରେମୀଙ୍କ ଆଉ ଏକ ପସନ୍ଦର ଦୋକାନ ହେଲା କଳ୍ପନା ଛକ ନିକଟସ୍ଥ ଗୌତମନଗରରେ ଥିବା ରୟାଲ ବିରିୟାନି ଷ୍ଟଲ୍। ଏଠାରେ ମୁଖ୍ୟତଃ ତିନି ପ୍ରକାର ବିରିୟାନି ମିଳିଥାଏ; ଭେଜ ବିରିୟାନି, ଚିକେନ୍ ବିରିୟାନି, ମଟନ ବିରିୟାନି। ତେବେ ଅନ୍ୟସବୁ ବିରିୟାନି ଅପେକ୍ଷା ଏଠି ପ୍ରସ୍ତୁତ ହେଉଥିବା ଚିକେନ୍ ବିରିୟାନିର ଚାହିଦା ଲୋକଙ୍କ ମଧ୍ୟରେ ସବୁଠୁ ବେଶି। ଏଠିକାର ଚିକେନ୍ ବିରିୟାନିର ସ୍ବାତନ୍ତ୍ରତା ହେଉଛି ବିରିୟାନି ସହିତ ଗ୍ରାହକକୁ କେବଳ ଲେଗ ପିସ୍ ହିଁ ଦିଆଯାଏ। ଏଠି ଭେଜ୍ ବିରିୟାନି ପ୍ଲେଟ୍ ୮୦ ଟଙ୍କାରେ ମିଳୁଥିବା ବେଳେ ଚିକେନ୍ ବିରିୟାନି ପ୍ଲେଟ ୧୩୦ଟଙ୍କା ଓ ମଟନ ବିରିୟାନି ୧୮୦ ଟଙ୍କାରେ ଉପଲବ୍ଧ। ରୟାଲ ବିରିୟାନିରେ ହାରାହାରି ଦୈନିକ ୩୦ ହଜାର ଟଙ୍କାର ବ୍ୟବସାୟ ହେଉଥିବା ବେଳେ ଖରା ଦିନ ଥିବାରୁ ବିରିୟାନି ବ୍ୟବସାୟ ମାନ୍ଦା ଥିବା କହିଛନ୍ତି ରୟାଲ ବିରିୟାନିର ମାଲିକ ବସନ୍ତ ସାହୁ।
ପିଲାଙ୍କ ପସନ୍ଦ ଭାଇନାଙ୍କ ଆଳୁ ବିରିୟାନି
ୟୁନିଟ୍-୪ସ୍ଥିତ ଭାଇନା ବିରିୟାନି ରାଜଧାନୀବାସୀଙ୍କ ପାଇଁ ଖୁବ୍ ପରିଚିତ। ପ୍ରାୟ ୩୮ବର୍ଷ ପୁରୁଣା ଏହି ‘ଭାଇନା ହୋଟେଲ୍ ଆଣ୍ଡ ଫାଷ୍ଟଫୁଡ’ରେ କଲେଜ ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି କର୍ମଜୀବୀ ଲୋକଙ୍କ ଭିଡ଼ଲା ଲାଗିଥାଏ। ଏଠି ମୁଖ୍ୟତଃ ସାତ ପ୍ରକାରର ବିରିୟାନି ମିଳେ। ଚିକେନ୍ ବିରିୟାନି, ମଟନ୍ ବିରିୟାନି, ଅଣ୍ଡା ବିରିୟାନି, ମାଛ ବିରିୟାନି, ଆଳୁ ବିରିୟାନି ଓ ସାଦା ବିରିୟାନି। ସାଧାରଣତଃ ଚିକେନ୍ ବିରିୟାନିର ଚାହିଦା ପିଲାଠାରୁ ବୁଢ଼ା ସମସ୍ତଠାରେ ଖୁବ୍ ଅଧିକ। ଏହାର ମୂଲ୍ୟ ୧୩୦ ଟଙ୍କାରୁ ଆରମ୍ଭ କରି ୨୦୦ ଟଙ୍କା ପର୍ଯ୍ୟନ୍ତ ରହିଛି। କିନ୍ତୁ ଭାଇନା ହୋଟେଲର ସ୍ବତନ୍ତ୍ର ଆଳୁ ବିରିୟାନି ପିଲାଙ୍କ ପସନ୍ଦର ସର୍ବାଗ୍ରେ ରହିଛି। ଏହାର ଦାମ୍ ମଧ୍ୟ ୮୦ରୁ ୧୦୦ ଟଙ୍କା ଭିତରେ ରହୁଥିବାରୁ ଅଭିଭାବକମାନେ ମଧ୍ୟ ଏହାକୁ ପସନ୍ଦ କରୁଛନ୍ତି। ଆଳୁ ମସଲା ସହ ବିଭିନ୍ନ ଫ୍ଲେଭର ମିଶା ଏହି ବିରିୟାନି ଖାଇବାକୁ ଲୋକଙ୍କ ମଧ୍ୟରେ ବେଶି ଆଗ୍ରହ ରହିଛି। ଏଠାକୁ ଅନଲାଇନ୍ରେ ଅର୍ଡର୍ ମଧ୍ୟ ଆସୁଛି। ଦିନକୁ ପ୍ରାୟ ୩୦ ହଜାର ଟଙ୍କାର ବ୍ୟବସାୟ ହୁଏ। ହୋଟେଲ ମାଲିକ ବୈଲୋଚନ ଦାଶ କୁହନ୍ତି, ଆମ ବିରିୟାନିର ସ୍ବାଦ ଟିକେ ନିଆରା ହୋଇଥିବାରୁ ଲୋକମାନେ ଏଠାକୁ ଆସନ୍ତି। ପକେଟକୁ ସୁହାଇଲା ଭଳି ପଇସାରେ ଏଠାରେ ଲୋକଙ୍କୁ ପେଟପୂରା ଖାଇବାକୁ ଦିଆଯାଏ।
ସାଜିଦଙ୍କ କଚି ଦମ୍ ବିରିୟାନିର ସୁଆଦ ନିଆରା
ଜିଭରୁ ଲାଳ ବୁହାଉଛି ମହମ୍ମଦ ସାଜିଦ୍ ଅସରଙ୍କ ‘ରୟାଲ ବିରିୟାନି ଗାର୍ଡେନ’ର ‘କଚି ଦମ୍ ବିରିୟାନି’। ଡୁମୁଡୁମା ଓ ଖଣ୍ଡଗିରିବାସୀଙ୍କ ବିରିୟାନି ଭୋକର ଠିକଣା ସାଜେ ରୟାଲ ବିରିୟାନି ଗାର୍ଡେନ୍। ଖଣ୍ଡଗିରି ଛକରୁ ଆଇଗିଣିଆ ରାସ୍ତାରେ ଆସିବା ବେଳେ ବାମପଟେ ସାଇ ମନ୍ଦିର ପାଖରେ ପଡ଼ିବ ସାଜିଦଙ୍କ ଦୋକାନ। ଏଠାରେ ସେ ପ୍ରତିଦିନ ନିଜର ୮ଜଣ କର୍ମଚାରୀଙ୍କୁ ନେଇ ବିଭିନ୍ନ ପ୍ରକାରର ବିରିୟାନି ପ୍ରସ୍ତୁତ କରନ୍ତି। ତାଙ୍କ ବିରିୟାନି ପ୍ରସ୍ତୁତି କରିବା ପ୍ରଣାଳୀ ସମସ୍ତଙ୍କୁ ପସନ୍ଦ ଆସିବା ଭଳି ହୋଇଥିବାରୁ ପ୍ରତିଦିନ ୨୮୦ ରୁ ୩୦୦ ପ୍ଲେଟ୍ ବିରିୟାନି ବିକ୍ରି ହୋଇଯାଏ। ହାଇଦ୍ରାବାଦ୍ ଷ୍ଟାଇଲରେ ସେ ପ୍ରସ୍ତୁତ କରୁଥିବା କଚି ଦମ୍ ବିରିୟାନି ସାଧାରଣତଃ ଅଧିକ ରାଗ ହୋଇଥାଏ, ହେଲେ ସେ ଓଡ଼ିଶା ଲୋକଙ୍କୁ ପସନ୍ଦ ଆସିବା ଭଳି ନିଜର କିଛି ବିଶେଷ ମସଲା ଦେଇ ଏହାକୁ ଅଧିକ ସ୍ବାଦିଷ୍ଟ କରିଥା’ନ୍ତି। ତାଙ୍କ ଚିକେନ୍ ବିରିୟାନି ପ୍ଲେଟ୍ ପିଛା ୧୦୦ଟଙ୍କା ଥିବା ବେଳେ ମଟନ ବିରିୟାନି ୧୬୦ ଟଙ୍କା, ଚିଙ୍ଗୁଡ଼ି ବିରିୟାନି ୧୬୦, ଅଣ୍ଡା ବିରିୟାନି ୮୦, ପନିର୍ ବିରିୟାନି ଓ ଛତୁ ବିରିୟାନି ୯୦ ଏବଂ ଭେଜ୍ ବିରିୟାନିର ଦାମ୍ ୭୦ ଟଙ୍କା ରହିଛି।
ଲୋକଙ୍କୁ ଟାଣୁଛି ‘ସିଜ୍ଲର’ର ହାଇଦ୍ରାବାଦୀ ଦମ୍ ବିରିୟାନି
ୟୁନିଟ୍-୪ ତଥା ସଚିବାଳୟ ମାର୍ଗର ଲୋକଙ୍କର ପସନ୍ଦ ସାଜିଛି ‘ସିଜ୍ଲର’ରେ ପ୍ରସ୍ତୁତ ହାଇଦ୍ରାବାଦୀ ଦମ୍ ବିରିୟାନି। ଆଚାର୍ଯ୍ୟବିହାରରୁ ଏଜି ଛକ ଯିବା ରାସ୍ତାରେ ମସ୍ଜିଦ୍ ନିକଟରେ ୪ ନମ୍ବର ହାଟ ଭିତରକୁ ପ୍ରବେଶ କଲା ବେଳେ ଡାହାଣ ପାର୍ଶ୍ବରେ ପଡ଼େ ସିଜ୍ଲର୍ ଫାଷ୍ଟଫୁଡ୍ ଷ୍ଟଲ। ଏଠାରେ ପ୍ରାୟ ୮ ରୁ ୧୦ଜଣ କର୍ମଚାରୀ ବିଭିନ୍ନ ପ୍ରକାରର ବିରିୟାନି ପ୍ରସ୍ତୁତ କରନ୍ତି। ଯେମିତିକି ଚିକେନ୍ ବିରିୟାନି, ମଟନ ବିରିୟାନି, ଭେଜ୍ ବିରିୟାନି ଓ ଚିଙ୍ଗୁଡ଼ି ବିରିୟାନି ଇତ୍ୟାଦି। ହେଲେ ଏଠି ଚିକେନ୍ ବିରିୟାନିର ବିଶେଷ ଚାହିଦା ଥିବା କହିଛନ୍ତି କୁକ୍ ବିଶାଲ୍। ପ୍ରତିଦିନ ଚିକେନ୍ ବିରିୟାନି ପ୍ରାୟ ୨୦୦ ପ୍ଲେଟ ବିକ୍ରି ହେଉଥିବା ବେଳେ ମଟନ ବିରିୟାନି ୫୦ ପ୍ଲେଟ୍ ଏବଂ ଭେଜ ଓ ଚିଙ୍ଗୁଡ଼ି ବିରିୟାନି ପ୍ରାୟ ୬୦ ରୁ ୭୦ ପ୍ଲେଟ ବିକ୍ରି ହୋଇଥାଏ। ଏହି ସବୁ ଦମ୍ ବିରିୟାନି ହାଇଦ୍ରାବାଦ୍ ଷ୍ଟାଇଲରେ ପ୍ରସ୍ତୁତ ହେବା ସହ ଏଥିରେ ବ୍ୟବହାର ହେଉଥିବା ଗରମ ମସଲା ସବୁ ସେମାନେ ନିଜେ ପ୍ରସ୍ତୁତ କରନ୍ତି। ପୂର୍ବାହ୍ନ ୧୧ଟାରୁ ବିରିୟାନି ବିକ୍ରି ଆରମ୍ଭ ହେଉଥିବା ବେଳେ ଅପରାହ୍ଣ ୩ଟାରେ ଶେଷ ହୋଇଥାଏ।
The post ବାଃ ବିରିୟାନି...!! ଜିଭରୁ ବୁହାଏ ଲାଳ... ପିଲାଠୁ ବୁଢ଼ା ସମସ୍ତେ ପାଗଳ first appeared on Sambad.
from ବିଶେଷ – Sambad https://ift.tt/2PGEX9a
0 Comments