ଜୟପୁର: ମୁଣ୍ଡରେ ଟୋପି। ହାତରେ ଘଡ଼ି। କାନ୍ଧରେ ଝୁଲିଛି ବ୍ୟାଗ୍। ରେଡିଓରେ ବାଜୁଛି ପୁରୁଣା ଗୀତ। ସେ ଭିତରେ କିଏ ‘ଚାଚା’ ତ ଆଉ କିଏ ‘ଅଙ୍କଲ୍’ ଡାକୁଛି। ପ୍ରତି ଉତ୍ତରରେ ମିଳୁଛି ବାବା କଣ ଦରକାର। ସେ ଭିତରେ କାହାକୁ ଗଜାମୁଗ ତ ଆଉ କାହାକୁ ଗଜାବୁଟ ଓ ଅମୃତଭଣ୍ଡା ବଢ଼ାଇ ଦେଉଛନ୍ତି। ବସି ଖାଇବା ଭିତରେ ସ୍ବାସ୍ଥ୍ୟ ସମ୍ବନ୍ଧିତ ସଚେତନତା କରିଦେଉଛନ୍ତି। କୋରାପୁଟ ଜିଲ୍ଲା ଜୟପୁର ସହରର ଦଶହରା ପଡ଼ିଆରେ ଠାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ସେ କେହି ଜଣେ ସାଧାରଣ ବ୍ୟବସାୟୀ ନୁହଁନ୍ତି, ସେ ହେଉଛନ୍ତି ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ ଅନୱର ହୁସେନ୍ ରାହି। ନିଜର ଅବସର ଜୀବନ ଯୁବବର୍ଗଙ୍କୁ ସ୍ବାସ୍ଥ୍ୟ ସଚେତନତା ଦେବାର ଭାର ନେଇଛନ୍ତି।
ଅନୱରଙ୍କ ଘର ପଶ୍ଚିମବଙ୍ଗ ରାଜ୍ୟରେ। କୋଲକାତାରେ ପାଠପଢ଼ା ସାରିବା ପରେ ଜଣେ ଅବସରପ୍ରାପ୍ତ ଜେନରାଲ୍ ଅଫିସରଙ୍କ ସଂସ୍ପର୍ଶରେ ଆସି ସେନାରେ ଭର୍ତ୍ତି ପାଇଁ ଆଗ୍ରହୀ ହୋଇଥିଲେ। ସେଥିପାଇଁ ନିଜକୁ ପ୍ରସ୍ତୁତ କରି ୧୯୬୯ ମସିହାରେ ଭାରତୀୟ ସ୍ଥଳ ସେନା (ଆର୍ମି)ରେ ଭର୍ତ୍ତି ହୋଇଥିଲେ। ପଶ୍ଚିମବଙ୍ଗ ରାଜ୍ୟରୁ ଚାକିରି ଜୀବନ ଆରମ୍ଭ କରି ଜମ୍ମୁକାଶ୍ମୀର, ହରିଆନା, ପଞ୍ଜାବ, ବିହାର ଓ ଉତ୍ତରପ୍ରଦେଶ ରାଜ୍ୟରେ କାମ କରିଥିଲେ। ୧୯୮୨ ମସିହାରେ ସେନାବାହିନୀରୁ ଅବସର ନେଇ ଘରକୁ ଫେରିବା ପରେ ବଡ଼ ଭାଇଙ୍କ ଶଳା ଘର ବିଶାଖାପାଟଣାକୁ ଯାଇଥିଲେ। ସେଠାରେ ଗୋଟିଏ ଟ୍ରକରେ ସାମଗ୍ରୀ ଲୋଡ୍ ହୋଇ ଜୟପୁରକୁ ଯାଉଥିବା ଜାଣିବା ପରେ ସେହି ଟ୍ରକରେ ଜୟପୁର ଦେଖିବା ପାଇଁ ଚାଲି ଆସିଥିଲେ।

କୋରାପୁଟ ଜିଲ୍ଲାର ପ୍ରାକୃତିକ ପରିବେଶ ଓ ଜୟପୁର ଭଲ ଲାଗିବାରୁ ୧୯୮୪ ମସିହାରେ ଜୟପୁରକୁ ପରିବାର ନେଇ ପଳାଇ ଆସିଥିଲେ। ଭଡ଼ା ଘରେ ରହି ଜୟପୁର ଠାରେ ବ୍ୟାଟେରି ଦୋକାନ କରିଥିଲେ, ବ୍ୟବସାୟ ବି ଭଲ ଚାଲିଥିଲା। କିନ୍ତୁ ଦିନେ ସ୍କୁଟରରେ ଘରକୁ ଫେରୁଥିବା ବେଳେ ଦୁର୍ଘଟଣାରେ ଗୋଟିଏ ହାତ ଭାଙ୍ଗିଯାଇଥିଲା। ତାପରେ ଦୋକାନ ବନ୍ଦ ହୋଇଯାଇଥିବା ବେଳେ ଜଣେ ବ୍ୟବସାୟୀଙ୍କ ପାଖରେ ରହି କାମ କରୁଥିଲେ। କିନ୍ତୁ ପୂର୍ବଭଳି କାମ କରି ନପାରିବାରୁ ଦୋକନ ମଧ୍ୟ ଛାଡ଼ିବାକୁ ପଡ଼ିଥିଲା। ସେ ଭିତରେ ବିଶାଖାପାଟଣା ଅସ୍ତ୍ରୋପଚାର ପାଇଁ ଯାଇଥିବା ବେଳେ କିଛି ବ୍ୟକ୍ତି ଗଜାମୁଗ, ଗଜାବୁଟ, ପାଚିଲା ଅମୃତଭଣ୍ଡା ଭଳି ବିଭିନ୍ନ ସାମଗ୍ରୀ ବିକ୍ରି କରୁଥିବାର ଦେଖିଥିଲେ। ସେ ନେଇ ମନରେ ଏକ ଇଚ୍ଛା ଜାଗ୍ରତ ହୋଇଥିଲା।
ଏହାପରେ ସେ ଜୟପୁର ବିକ୍ରମଦେବ କଲେଜ ଖେଳପଡିଆ ଠାରେ ନିଜର ବ୍ୟବସାୟ ଆରମ୍ଭ କରିଥିଲେ। ବିଟ୍ ଜୁସ୍, ଗାଜର ଜୁସ୍, ଗଜାମୁଗ, ନାକଟିଚଣା, ଅମୃତଭଣ୍ଡା, ସୁଇଟ୍ କର୍ଣ୍ଣ, ଅଁଳା ଜୁସ୍, କଲରା ଜୁସ୍ ଭଳି ବିଭିନ୍ନ ଦେଶୀ ଖାଦ୍ୟ ବିକ୍ରି ଆରମ୍ଭ କରିଥିଲେ। କିଏ ଟଙ୍କା ଦେଇ ଖାଉଥିଲା ତ ଆଉ କିଏ ଟଙ୍କା ନାହିଁ ଅଙ୍କଲ୍ କହି ପଳାଉଥିଲେ। କିନ୍ତୁ ସେ ଭିତରେ ସମସ୍ତଙ୍କ ପସନ୍ଦ ଥିଲେ ଅନୱର୍ ଚାଚା। ଲୋକଙ୍କୁ ଖାଦ୍ୟ ଦେବା ଭିତରେ ସେ ସ୍ବାସ୍ଥ୍ୟକୁ ନେଇ ବିଭିନ୍ନ ପ୍ରକାର ଉପଦେଶ ଦେଇଥାନ୍ତି। ମୋ ପାଖରେ ନଖାଇଲେ ବି ଏଭଳି ଖାଦ୍ୟକୁ ନିଜେ ଘରେ ପ୍ରସ୍ତୁତ କରି ଖାଇବାକୁ ମଧ୍ୟ କହିଥାନ୍ତି। ସୁସ୍ଥ ଓ ନିରୋଗ ମନ୍ତ୍ର ଦେଇଥାନ୍ତି। ଏଭଳି ଭାବେ ୭ ବର୍ଷ ଧରି ଅନବରତ ଭାବେ କାର୍ଯ୍ୟ କରିଆସୁଛନ୍ତି। ସେଥିରୁ ଲାଭ ମିଳୁ କି ନମିଳୁ କିନ୍ତୁ ଲୋକଙ୍କ ସହ ମିଶି ସ୍ବାସ୍ଥ୍ୟର ଯତ୍ନ ବିଷୟରେ କହିଲେ ଖୁସି ଲାଗୁଥିବା ଅନୱର କହିଛନ୍ତି। ୭୨ ବର୍ଷୀୟ ଅନଵରଙ୍କ ପରିବାର କହିଲେ ପତ୍ନୀ ଓ ଗୋଟିଏ ପୁଅ, ଦୁଇଟି ଝିଅ। ପୁଅ ଝିଅମାନେ ବାହାର ରାଜ୍ୟରେ ରହି ଚାକିରି କରୁଥିବା ସେ କହିଛନ୍ତି।
The post ଏମିତି କଟୁଛି ଅବସର ସେନା କର୍ମଚାରୀଙ୍କ ଜୀବନ, ଯୁବବର୍ଗଙ୍କ ସ୍ବାସ୍ଥ୍ୟର ଯତ୍ନ ପାଇଁ କରୁଛନ୍ତି ସଚେତନ first appeared on Sambad.
from ବିଶେଷ – Sambad https://ift.tt/3bJ8YwD
0 Comments