ଚାନ୍ଦା ଆଦାୟ କରି ଆଡିବନ୍ଧ ବାନ୍ଧିଲେ ଗାଁ ଲୋକେ: ଖୋଳାଯିବ କେନାଲ, ଶହେ ହେକ୍ଟର ଜମିକୁ ମାଡିବ ଜଳ

କୋରାପୁଟ: ଅଭିଯୋଗ କରି କରି ଥକି ଗଲେ, ହେଲେ ଶୁଣିଲାନି ପ୍ରଶାସନ। ସ୍ଥିତି ଏପରି ହେଲା ଯେ ଗାଁ ଲୋକେ ଏକାଠି ହେଲେ। କାନ୍ଧକୁ କାନ୍ଧ ମିଶାଇଲେ। କୋଦାଳ ଓ ଝୁଡି ଧରି ବାହାରି ପଡି ଶ୍ରମ ଦେଲେ। ଆଉ ଦିନ କେଇଟାରେ ଗାଁର ଚାରି ପାଖରେ ରହିଥିବା ଶହେ ହେକ୍ଟର ଜମିକୁ ପାଣି ମାଡିବାକୁ ଯୋଜନା ରହିଛି। ଏବେ ଆଡିବନ୍ଧ ବନ୍ଧା ଚାଲିଥିବା ଜଣାପଡିଛି। ଏପରି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଫୁଲବେଢା ପଞ୍ଚାୟତ ଅନ୍ତର୍ଗତ ବଦଳିମାଳିଗୁଡା ଗାଁରେ। ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ଅଧୀନରେ ରହିଛି ବଦଳିମାଳିଗୁଡା। କୋରାପୁଟ ବ୍ଲକର ସୀମାନ୍ତରେ ଏହି ଗାଁ ରହିଥିବାରୁ ଏହି ଗାଁକୁ ଏବେ ଯାଏ କୃଷିକ୍ଷେତ୍ରରେ ବିକାଶ ସାଧିତ ହୋଇପାରୁନି। କେଉଁ ଆଦିମ କାଳରୁ ଏହି ଗାଁରେ ୫୦ରୁ ଅଧିକ ପରିବାର ରହୁଥିବାବେଳେ ଗାଁରେ ଜଳସେଚନ ସୁବିଧା ନାହିଁ। ଫଳରେ କେବଳ ଗୋଟିଏ ଋତୁରେ ଏହି ଗାଁରେ ଚାଷବାସ ହେଉଥିବାବେଳେ ଅନ୍ୟଦିନେ ଏହି ଗାଁରେ ଚାଷବନ୍ଦ ହୋଇ ମରୁଡି ସ୍ଥିତି ସୃଷ୍ଟି ହୁଏ।

ଲୋକେ କାମଧନ୍ଧା ନ ପାଇ କୂଲି ଖଟିବା ରାଜ୍ୟବାହାରକୁ ଯିବା ସହ କିଏ କିଏ ଦାଦାନ ଖଟିବାକୁ ଯାଆନ୍ତି ଆନ୍ଧ୍ରକୁ। ଏହାକୁ ଏଡେଇବାକୁ ଅଣ୍ଟା ଭିଡିଛନ୍ତି ଗାଁ ଲୋକେ। ବର୍ଷ ବର୍ଷ ଧରି ଗାଁ ଲୋକେ ବିଡିଓ, କୋରାପୁଟ ଜିଲ୍ଲା ପ୍ରଶାସନ, ଏମପି, ଏମଏଲଏ ଓ ସ୍ଥାନୀୟ ଲୋକ ପ୍ରତିନିଧିଙ୍କୁ ଅଭିଯୋଗ ଦେଇ ଦେଇ ଥକିବା ପରେ ଗାଁରେ ମେଳି ବାନ୍ଧିଥିଲେ। ନିକଟରେ ଗାଁରେ ଏକ ବୈଠକ ଡକାଯାଇ ପ୍ରତିପରିବାରକୁ ଚାନ୍ଦା କରାଯାଇଥିଲା। ୫୦ଟି ପରିବାର ନିଜ ଇଚ୍ଛାରେ ପ୍ରାୟ ୬ ଲକ୍ଷ ଟଙ୍କା ଆଦାୟ କରିଥିଲେ। ଗାଁର ନିକଟରେ ରହିଥିବା ପାହାଡରୁ ମାଟି କାଟି ନିଜେ ଆଡିବନ୍ଧ ତିଆରି କରିଛନ୍ତି। ପାଣି ଜମା ହେବା ପରେ କେନାଲ ଯୋଗେଁ ଗାଁର ଜମିକୁ ପାଡି ପାଣି ମାଡିବ । ଗାଁର ରହୁଥିବା ୫୦ଟି ମାଳି ପାରିବାର ଏଥିରେ ଉପକୃତ ହେବାକୁ ରହିଥିବାବେଳେ ଶହେତ ହେକ୍ଟରରୁ ଅଧିକ ଜମିରେ ପାଣି ମାଡିବ। ତେବେ ପ୍ରଶାସନର ଏପରି ଟାଳଟୁଳ ନୀତି ଯୋଗୁଁ ଲୋକେ ମାଓବାଦୀରେ ମିଶିବାକୁ ମନ ବଳାଉଛନ୍ତି।

ରାଜ୍ୟସରକାର ବିକାଶର ଡିଣ୍ଡିମ ପିଟୁଥିବାବେଳେ ଏହି ଗାଁ କୃଷି କ୍ଷେତ୍ରରେ ବିକାଶ ହୋଇପାରୁନାହିଁ। ଗାଁର ସବୁ ପରିବାର ମାଳି ସମ୍ପ୍ରଦାୟର ହୋଇଥିବାବେଳେ କାହିଁକି ସେମାନଙ୍କୁ ସାଧାରଣ ସୁବିଧା ପ୍ରଦାନ କରାଯିବ ନାହିଁ ସେନେଇ ନିକଟରେ ହୋଇଥିବା ଏକ ଜିଲ୍ଲା ପ୍ରଶାସନର ଜନଶୁଣାଣୀରେ ପ୍ରଶ୍ନ ଉଠିଥିଲା। ହେଲେ ଏହାକୁ ପ୍ରଶାସନ ଶୁଣି ସୁବିଧା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଲେ ମଧ୍ୟ କାର୍ଯ୍ୟରେ ଲାଗାଇଲାନାହିଁ। ଫଳରେ ଏବେ ଦୁଇଦିନ ହେବ ଗାଁର ଲୋକେ ଆଡିବନ୍ଧ ତିଆରିବାରେ ଲାଗିଛନ୍ତି।

ଗାଁର ଖଗେଶ୍ବର ମାଳି କହିଛନ୍ତି ଯେ ଅଭିଯୋଗ ଅଭିଯୋଗ ଦେଇ ଦଇେ ଥକିଲୁ। ଧୋବ ଫରଫର ନେତାଏ ଆସିଲେ ଆଉ ଗଲେ। ନିର୍ବାଚନ ପରେ ନିର୍ବାଚନ ଶେଷ ହେଲା ସିନା ଆମ ଗାଁର ଚାରିପାଖରେ ରହିଥିବା ଜମିକୁ ମାଡିଲାନି ପାଣି। ଫଳରେ ଆମ ଅଣ୍ଟା ଭିଡି ନିଜେ ୪୦ ଫୁଟର ଆଡିବନ୍ଦ ତିଆରି କରିଛୁ। ଆଉ ଆସନ୍ତା ଋତୁରେ ଜମିରେ ପାଣି ମାଡିବା ସହ ଧାନ ଫଳିବ ବୋଲି ସେ କହିଛନ୍ତି। ଏନେଇ ଗାଁର ଲକ୍ଷ୍ମୀ ମାଳି କହିଛନ୍ତି ଯେ ଗାଁରେ କେଉଁ ଆଦିମ କାଳରୁ ରହିଥିବାବେଳେ ବର୍ଷା ଦିନେ ଯାହା ଚାଷ ବାସ ହେଉଛି, ହେଲେ ଅନ୍ୟ ଦିନେ ପ୍ରାୟ ଜମି ପଡିଆ ପଡୁଛି। ତେଣୁ ଗାଁରେ ବୈଠକ ବସାଇ ଘର ଘରକୁ ଚାନ୍ଦା କରି ୬ ଳକ୍ଷ ଟଙ୍କା ଆଦାୟ କରିଛୁ। ଏବେ ଆଡିବନ୍ଦ ବନ୍ଧା ଚାଲିଥିବାବେଳେ ଆସନ୍ତା ଦିନରେ କେନାଲ ଖୋଳି ଗାଁର ଚାରି ପାଖରେ ରହିଥିବା ଜମିକୁ ପାଣି ମଡାଯିବ ବୋଲି ସେ କହିଛନ୍ତି।

ଏନେଇ ସରପଞ୍ଚ ହୀରାମଣି ଗାଦବା କହିଛନ୍ତି ଯେ ଗାଁଠାରୁ ପ୍ରାୟ ଅଢେଇ କିଲୋମିଟର ଦୂରରେ ରହିଛି ଟୁଡୁଘାଟି ଓ ଆଡମୁଣ୍ଡା। ଏହିଠାରେ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ୩୫ ଲକ୍ଷ ଟଙ୍କା ବିନିମୟରେ ଏକ ଚେକ୍ ଡ୍ୟାମ ବନ୍ଧାଯାଇଥିଲା। ଗତ ୪ ବର୍ଷ ମଧ୍ୟରେ ୧୨ ଲକ୍ଷ ଟଙ୍କାର ମନରେଗାରେ ଫିଲ୍ଡ ଚାଲାଣ କାର୍ଯ୍ୟ କରାଯାଇଥିବାବେଳେ ଆସନ୍ତା ଦିନରେ ୪ଲକ୍ଷ ଟଙ୍କାର ଫିଲ୍ଡ ଚାଲାଣ କରାଯିବାକୁ ଯୋଜନା ରହିଛି। ଏହି ଗାଁକୁ ଜଳସେଚନ ସୁବିଧା ନ ଥିବାରୁ ବହୁବାର ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣି ନଥିବାରୁ ଏବେ ଗାଁ ଲୋକେ ଏକାଠି ହୋଇ ସେମାନଙ୍କ ତାକତ ଦେଖାଇଛନ୍ତି ବୋଲି ସେ କହିଛନ୍ତି।

The post ଚାନ୍ଦା ଆଦାୟ କରି ଆଡିବନ୍ଧ ବାନ୍ଧିଲେ ଗାଁ ଲୋକେ: ଖୋଳାଯିବ କେନାଲ, ଶହେ ହେକ୍ଟର ଜମିକୁ ମାଡିବ ଜଳ first appeared on Sambad.



from ବିଶେଷ – Sambad https://ift.tt/3sbGJhp

Post a Comment

0 Comments