ଏସ୍‌ସିବି କୋଭିଡ୍ ହସ୍ପିଟାଲ ବିଳମ୍ବ ପଛରେ ଷଡ଼୍‌ଯନ୍ତ୍ର!

ଚିଠିର ଦୁଇମାସ ପରେ ଖୋଲିଥିଲା କୋଭିଡ ମେଡିକାଲ
ଘରୋଇ ମେଡିକାଲ ପ୍ରୀତି ପାଇଁ ଇଚ୍ଛାକୃତ ବିଳମ୍ବ

କଟକ, (ଗଦାଧର ପଣ୍ଡା): କୋଭିଡ୍‌ ହସ୍ପିଟାଲ ପାଇଁ ରାଜ୍ୟ ସରକାର ହାତଖୋଲା ଅର୍ଥ ବ୍ୟବସ୍ଥା କରିଥିଲେ ବି ରାଜ୍ୟର ସର୍ବବୃହତ ମେଡିକାଲ-ଶ୍ରୀରାମଚନ୍ଦ୍ର ଭଂଜ ମେଡିକ‌ାଲ କଲେଜ ଆଣ୍ଡ ହସ୍ପିଟାଲ (ଏସସିବିଏମ୍‌ସିଏଚ)କୁ ଆରମ୍ଭରୁ ସ୍ବତନ୍ତ୍ର କୋଭିଡ ହସ୍ପିଟାଲ କରାଯାଇ ପାରି ନଥିଲା। ଘରୋଇ ହସ୍ପିଟାଲ ପ୍ରୀତି ପାଇଁ ଇଚ୍ଛାକୃତ ବିଳମ୍ବିତ କରାଯାଇଥିବା ସନ୍ଦେହ କରାଯାଉଛି। ଯେଉଁଥିପାଇଁ ଚିଠିର ଦୁଇ ମାସ ପରେ କୋଭିଡ୍‌ ହସ୍ପିଟାଲ ଖୋଲିଥିଲା।

ସୂଚନା ଅନୁଯାୟୀ କଟକର ୫ଟି ଘରୋଇ ହସ୍ପିଟାଲକୁ ଡେଡିକେଟେଡ କୋଭିଡ ମେଡିକ‌ାଲ କରାଯାଇଥିଲା। ‌ସେତେବେଳେ ଏସସିବିରେ କୋଭିଡ ମେଡିକ‌ାଲ କଥା ଚିନ୍ତା କରାଯାଇ ନଥିଲା। ମାତ୍ର ଅଗଷ୍ଟ ବେ‌ଳକୁ କରୋନା ସଂକ୍ରମଣ ବଢିବା ପରେ ସରକାର ଏସସିବିରେ ଏକ କୋଭିଡ ମେଡିକାଲ ପାଇଁ ‌ଯୋଜନା କରିଥିଲେ। ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଚିଠି ନଂ ୨୦୦୩୪ରେ ସେପ୍ଟେମ୍ବର ୪ ତାରିଖରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଏ ସଂପର୍କରେ କଟକ ଜିଲ୍ଲାପାଳ, ଏସସିବି କର୍ତ୍ତୃପକ୍ଷ, କଟକ ମ୍ୟୁନିସିପାଲ କମିସନରଙ୍କୁ ଏକ ଚିଠି ଲେଖିଥିଲେ। ନୂଆ କୋଭିଡ ମେଡିକାଲ ପ୍ରତିଷ୍ଠା ପାଇଁ ଚିଠିରେ ସ୍ପଷ୍ଟ କରିଥିଲେ। ବୈଷୟିକ କମିଟିର ପରାମର୍ଶକ୍ରମେ ଏହି ଅନୁମୋଦନ ମିଳିଥିଲା। ଏସସିବି ନୂଆ ମେଡିସିନ ୱାର୍ଡରେ ଏହି ମେଡିକାଲ ପ୍ରତିଷ୍ଠା କରିବାକୁ କୁହାଯାଇଥିଲା। ମାତ୍ର ଚିଠି ଆସିବାର ଦୁଇମାସ ପରେ ଅର୍ଥାତ ଅକ୍ଟୋବର ୨୭ରେ ଏହି ମେଡିକାଲ ଆରମ୍ଭ ‌ହୋଇଥିଲା। ସଂକ୍ରମଣ କମିଲା ବେଳକୁ ମେଡିକାଲ ଆରମ୍ଭ କରାଯାଇଥିଲା।

ମେଡିକାଲ ପ୍ରତିଷ୍ଠା ପାଇଁ ଇଚ୍ଛାକୃତ ବିଳମ୍ବ କରାଯାଇଥିଲା। ଚିଠିରେ ନୂଆ ମେଡିସିନରେ ୧୮୪ ଜେନେରାଲ ମେଡିସିନ ଓ ୧୪ ଆସିୟୁ ଶଯ୍ୟା ଥିବା ମେଡିକାଲକୁ କୋଭିଡ ପ‌ାଇଁ ବ୍ୟବହାର କରିବାକୁ କୁହାଯାଇଥିଲା। ସେହିଭଳି ସେଠାରେ ୨୫ଟି ନୂଆ ଆଇସିୟୁ ଶଯ୍ୟା ପ୍ରତିଷ୍ଠା କରିବାକୁ କୁହାଯାଇଥିଲା। ଏଠାରେ ମୋଟ ୩୯ଟି ଆଇସିୟୁ ଶଯ୍ୟା ଥିବା କୋଭିଡ ମେଡିକାଲ ପ୍ରତିଷ୍ଠା କରିବାକୁ ଚିଠିରେ ସ୍ପଷ୍ଟ ଉଲ୍ଲେଖ ଥିଲା। ବଦଳରେ ନୂଆ ମେଡିସିନକୁ ଟ୍ରମାକୁ ସ୍ଥାନାନ୍ତର କରିବାକୁ କୁହାଯାଇଥିଲା। ଟ୍ରମାର ଦ୍ବିତୀୟ ଓ ତୃତୀୟ ମହଲା‌ରେ ଥିବା ୭୦ଟି ଶଯ୍ୟାକୁ ମେଡିସିନ ୱାର୍ଡ ପାଇଁ ବ୍ୟବହାର କରିବାକୁ କୁହାଯାଇଥିଲା। ସେହିଭଳି ପୁରଣା ମେଡିସିନ ସମ୍ମୁଖ‌ରେ ଥିବା ମୋଟ ୯୫ ଶଯ୍ୟାକୁ ମେଡିସିନ ୱାର୍ଡ ଭାବେ ବ୍ୟବହାର କରିବାକୁ କୁହାଯାଇଥିଲା। ୧୪ଟି ଟ୍ରମା ଆଇସିୟୁକୁ ମେଡିସିନି ଆଇସିୟୁ ଭାବେ ବ୍ୟବହାର କରିବାକୁ ନିର୍ଦ୍ଦେଶ ଥିଲା। ଟ୍ରମା ଆଇସିୟୁରେ ଥିବା ‌ରୋଗୀଙ୍କୁ ସେଣ୍ଟ୍ରାଲ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା। ଏଥିସହିତ ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗ କୋଠାରେ ପ୍ରସୂତି ରୋଗୀଙ୍କ ପାଇଁ କୋଭିଡ ୱାର୍ଡ ପ୍ରସ୍ତୁତ କରାଯାଇଥିଲା। ଲେବର ରୁମ, ଓଟି ଓ ୩୦ଟି ଜେନେରାଲ ବେଡ ପ୍ରସ୍ତୁତ କରାଯାଇଥିଲା। ଅଗଷ୍ଟରୁ ନଭେମ୍ବର ମଧ୍ୟରେ ରୋଗୀସଂଖ୍ୟା ଅଧିକ ଥିବାରୁ ସରକାରଙ୍କ ଡେଡିକେଟେଡ କୋଭିଡ ହସ୍ପିଟାଲରେ ଜାଗା ମିଳୁ ନଥିଲା। ଏଭଳି ଘଡିସନ୍ଧି ସମୟରେ ଏସ୍‌ସିବି କୋଭିଡ୍‌ ମେଡିକାଲ ଖୋଲିବାକୁ ପାଖାପାଖି ଦୁଇମାସ ସମୟ ନେବା, କୋଭିଡ ରୋଗୀ କମି ଆସିବା ବେଳକୁ ଏସସିବି ୫୦୦ ଶଯ୍ୟା ବିଶିଷ୍ଟ କୋଭିଡ ମେଡିକାଲ ଖୋଲିବାକୁ ନେଇ କେଉଁଠା ‌ନା କେଉଁଠି ଘରୋଇ ମେଡିକାଲକୁ ଚଳାଇବାକୁ ଏକ ପ୍ରକାର ଷଡ଼ଯନ୍ତ୍ର ହୋଇଥିଲା ବୋଲି ଚର୍ଚ୍ଚା ହେଉଛି।

The post ଏସ୍‌ସିବି କୋଭିଡ୍ ହସ୍ପିଟାଲ ବିଳମ୍ବ ପଛରେ ଷଡ଼୍‌ଯନ୍ତ୍ର! first appeared on Sambad.



from ବିଶେଷ – Sambad https://ift.tt/3s7zE1d

Post a Comment

0 Comments