ସାଲ୍‌ର ସୂତାଖିଅ ଏବଂ ସେଭିଙ୍ଗ୍‌ କିଟ୍‌ ବ୍ଲେଡ୍‌ଦ୍ୱାରା ଚଳନ୍ତା ଟ୍ରେନ୍‌ରେ ମହିଳାଙ୍କର ସନ୍ତାନ ପ୍ରସବ କରାଇଲେ ଭିନ୍ନକ୍ଷମ ଲ୍ୟାବରେଟରି ଟେକ୍ନିସିଆନ୍‌

ଲକ୍ଷ୍ନୌ: ଶନିବାର ରାତିରେ ଜବଲପୁର ଅଭିମୁଖେ ଯାଉଥିବା ମଧ୍ୟପ୍ରଦେଶ ସମ୍ପର୍କକ୍ରାନ୍ତି କୋଭିଡ୍‌-୧୯ ସ୍ୱତନ୍ତ୍ର ରେଳରେ ଜଣେ ଭିନ୍ନକ୍ଷମ ଲ୍ୟାବରେଟରି ଟେକ୍ନିସିଆନ୍‌ ଜଣେ ମହିଳାଙ୍କର ସନ୍ତାନ ପ୍ରସବ କରାଇଛନ୍ତି।

ଏହି ଭିନ୍ନକ୍ଷମ ଲ୍ୟାବରେଟରି ଟେକ୍ନିସିଆନ୍‌ ହେଉଛନ୍ତି ଦିଲ୍ଲୀର ସୁନୀଲ ପ୍ରଜାପତି। ସାଲ୍‌ରୁ ସୂତାଖିଅ ବାହାରି ଥିବା ସୂତାଖିଅ, ସେଭିଙ୍ଗ୍‌ କିଟ୍‌ରେ ଥିବା ବ୍ଲେଡ୍‌ଦ୍ୱାରା ଭିଡିଓ କଲ୍‌ ଜରିଆରେ ଜଣେ ବରିଷ୍ଠ ଚକ୍ଷୁବିଶେଷଜ୍ଞଙ୍କ ନିର୍ଦେଶାନୁଯାୟୀ ସୁନୀଲ ସମ୍ପୃକ୍ତ ମହିଳାଙ୍କର ସନ୍ତାନ ପ୍ରସବ କରାଇଥିଲେ। ପୂର୍ବରୁ ସେ ମହିଳାଙ୍କର ତିନି ଥର ଗର୍ଭନଷ୍ଟ ହୋଇଯାଇଥିଲା।

ଦିଲ୍ଲୀର ହଜରତ୍‌ ନିଜାମୁଦ୍ଦିନ ଷ୍ଟେସନ୍‌ରୁ ବାହାରି ମଥୁରା ଅତିକ୍ରମ କରୁଥିବା ସମୟରେ ଟ୍ରେନ୍‌ର ବି-୩ କୋଚ୍‌ରେ ଘଟଣାଟି ଘଟିଥିଲା। ପ୍ରସବ ପରେ ମହିଳା କନେଷ୍ଟବଳଙ୍କ ସମେତ ରେଳବାଇ ସୁରକ୍ଷା ବଳର ଟିମ୍‌ ଉକ୍ତ ମହିଳା ଯାତ୍ରୀ ଏବଂ ତାଙ୍କ ନବଜାତକକୁ ମଥୁରା ଜିଲ୍ଲା ହସ୍ପିଟାଲ୍‌କୁ ନେଇଯାଇଥିଲେ। ସଫଳତାର ସହ ପ୍ରସବ କରାଇଥିବା ସୁନୀଲ ପ୍ରଜାପତିଙ୍କ ସାହସିକ କାର୍ଯ୍ୟ ନିମନ୍ତେ ତାଙ୍କ ଉପରିସ୍ଥ ଅଧିକାରୀ ତାଙ୍କୁ ପ୍ରଶଂସା କରିଛନ୍ତି।

ସମ୍ପ୍ରତି ସୁନୀଲ ପ୍ରଜାପତି ଚାନ୍ଦ୍‌ନୀଚୌକ୍‌ସ୍ଥିତ ଉତ୍ତର ରେଳବାଇ ଦିଲ୍ଲୀ ଡିଭିଜନ୍‌ ହସ୍ପିଟାଲ୍‌ର ପାଥୋଲୋଜି ବିଭାଗରେ କାର୍ଯ୍ୟକରୁଛନ୍ତି। ଅଳ୍ପ କିଛି ମାସ ତଳେ ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତକ ହାସଲ କରିଛନ୍ତି। ବିବାହ ତାରିଖ ଧାର୍ଯ୍ୟ କରିବାକୁ ସେ ତିନି ଦିନ ଛୁଟି ନେଇ ମଧ୍ୟପ୍ରଦେଶର ସାଗରେ ଥିବା ତାଙ୍କ ଘରକୁ ଯାଉଥିଲେ।

Image Courtesy of The Times of India

୩୩ ବର୍ଷିୟ ସୁନୀଲ କହନ୍ତି, ଟ୍ରେନ୍‌ ଫରିଦାବାଦ ଅତିକ୍ରମ କରିବା ପରେ ସନ୍ଧ୍ୟାଭୋଜନ ପାଇଁ ଲଞ୍ଚ୍‌ବକ୍ସ୍‍ ଖୋଲିବାକୁ ବାହାରିଥିବା ବେଳେ ପାଖ ମଝି ବର୍ଥରେ ଶୋଇଥିବା ମହିଳାଙ୍କ ପ୍ରସବ ବେଦନା ଶୁଣିଲି। ସେ ତାଙ୍କ ଭାଇ ଓ ନାବାଳିକା ଝିଅ ସହ ଦାମୋହ ଯାଉଥିଲେ। ଅନୁସନ୍ଧାନ କରିବାରୁ ସେ କହିଲେ ଯେ, ତାଙ୍କ ନାଁ କିରଣ, ବୟସ ୩୦ ଏବଂ ଜାନୁଆରି ୨୦ ତାରିଖରେ ତାଙ୍କର ସମ୍ଭାବ୍ୟ ପ୍ରସବ ତାରିଖ ଥିଲା। ସେ ଶାଶୂଘରକୁ ଫେରୁଥିଲେ।

ମୁଁ ସହାୟତା କରିବାକୁ ଚାହିଁଲି। କିନ୍ତୁ, ତାଙ୍କର ଯନ୍ତ୍ରଣା ପ୍ରସବ ପାଇଁ ବା ପେଟ ଗୋଳମାଳ ପାଇଁ ତାହା ସେ ଟ୍ରେନ୍‌ ଯାତ୍ରାଜନିତ ଉଠପକା ଯୋଗୁଁ ସେ ଜାଣି ପାରୁ ନ ଥିଲେ। ସେ କୋଚ୍‌ରେ କୌଣସି ମହିଳା ଯାତ୍ରୀ ନ ଥିବାରୁ ମୁଁ ମୋର ବରିଷ୍ଠ ଅଧିକାରିଣୀ ଡାକ୍ତର ସୁପର୍ଣ୍ଣା ସେନ୍‌ଙ୍କୁ ଏ ସଂକ୍ରାନ୍ତରେ ସୂଚନା ଦେଲି। ସେ ଆଗ୍ରା ଏବଂ ଗ୍ଵାଲିୟର୍‌ ଷ୍ଟେସନ୍‌ରେ ଡାକ୍ତରୀ କର୍ମଚାରୀ ପ୍ରସ୍ତୁତ କରି ରଖିଲେ। କିନ୍ତୁ, ପ୍ରାୟ ଅଧଘଣ୍ଟାଏ ପରେ କିରଣ ପୁଣି ଯନ୍ତ୍ରଣାରେ ଚିତ୍କାର କଲେ। ପ୍ରସବ ଆସନ୍ନର ସୂଚନା ଦେଇ ତାଙ୍କର କମ୍ବଳ ରକ୍ତ ଜୁଡୁବୁଡୁ ହୋଇଯାଇଥିଲା। ମୁଁ ତୁରନ୍ତ କୋଚ୍‌ ଟିଟିଇଙ୍କୁ ଫାଷ୍ଟ୍‍ ଏଡ୍‌ କିଟ୍‌ ପାଇଁ ସୂଚନା ଦେଲି ଓ ଡାକ୍ତର ସେନ୍‌ଙ୍କୁ ଭିଡିଓ କଲ୍‌ କଲି। ତାଙ୍କ ନିର୍ଦେଶ ମୁତାବକ ସାବଧାନତାର ସହ କାର୍ଯ୍ୟ କଲି ସନ୍ତାନ ପ୍ରସବ କରାଇଲି।

The post ସାଲ୍‌ର ସୂତାଖିଅ ଏବଂ ସେଭିଙ୍ଗ୍‌ କିଟ୍‌ ବ୍ଲେଡ୍‌ଦ୍ୱାରା ଚଳନ୍ତା ଟ୍ରେନ୍‌ରେ ମହିଳାଙ୍କର ସନ୍ତାନ ପ୍ରସବ କରାଇଲେ ଭିନ୍ନକ୍ଷମ ଲ୍ୟାବରେଟରି ଟେକ୍ନିସିଆନ୍‌ first appeared on Sambad.



from ବିଶେଷ – Sambad https://ift.tt/3qxlIfE

Post a Comment

0 Comments