
ବାଲେଶ୍ବର, (କବିତା ପାତ୍ର): ଏଠି ଏମିତି ହେବ, ସେଠି ସେମିତି ହେବ। ଅଞ୍ଚଳର ଚିତ୍ର ବଦଳିଯିବ, ଜିଲ୍ଲାର ବିକାଶ ହେବ। ଏମିତି କେତେ କଥା କହି ଲୋକଙ୍କୁ ପୁଳାପୁଳା ସ୍ବପ୍ନ ଦେଖାଇଥିଲେ ସରକାର। ଏଥିପାଇଁ ୧୦ ବର୍ଷ ତଳୁ ଜମି ନେଇଗଲେ, ହେଲେ ଏଯାଏ ଟଙ୍କା ଦେଲେନି। ଏ ଅଫିସ୍ ସେ ଅଫିସ୍ ଦୌଡ଼ି ଦୌଡ଼ି ନୟାନ୍ତ ହେଲୁ। ଅନଶନରେ ବି ବସିଲୁ। ତଥାପି ଜମି କିମ୍ବା ଟଙ୍କା, କିଛି ମିଳିଲାନି। ସରକାର ଏମିତି ଠକିବେ ବୋଲି କେବେ ଭାବିନଥିଲି। ଶିଳ୍ପ କରିଡର୍ ପାଇଁ ନିଜର ଦେଢ ଏକର ଜମି ହରାଇଥିବା ବାଲେଶ୍ବର ଜିଲ୍ଲା ରେମୁଣା ବ୍ଲକ ଗୋବିନ୍ଦପୁର ଗାଁର ଗୌରାଙ୍ଗ ଓଝାଙ୍କ ଏହା ହେଉଛି କ୍ଷେଦୋକ୍ତି। ସମଦଶା ମୁଖୁରା ଗାଁର ଆରତୀ ମିଶ୍ରଙ୍କର। ଜମି ଟଙ୍କାକୁ ଚାହିଁ ଚାହିଁ ସ୍ବାମୀ (ପର୍ଶୁରାମ)ଙ୍କର ଅସ୍ତ୍ରୋପଚାର ହୋଇପାରିଲାନି। ଶେଷରେ ରୋଗଯନ୍ତ୍ରଣାରେ କଷ୍ଟ ପାଇ ସ୍ବାମୀ ଆରପାରିକୁ ଚାଲିଗଲେ। ଏବେ ଝିଅକୁ ଧରି ମାଗିଯାଚି ଚଳୁଛି। ସେମିତି ଗୋବିନ୍ଦପୁର ଗାଁର ସୁଚିତ୍ରା ମହାପାତ୍ରଙ୍କ ସ୍ବାମୀ ରୋଗରେ ପଡ଼ି ଆଖି ବୁଜିଲେ। ସରକାରଙ୍କୁ କାକୁତିମିନତି ହୋଇ ପୁରୁଣା ମୂଲ୍ୟରେ ଜମି ଟଙ୍କା ଦେବାକୁ ଗୁହାରି କରିଥିଲେ ସୁଚିତ୍ରା। ହେଲେ କିଛି ମିଳିଲାନି। ବାଧ୍ୟ ହୋଇ ମୁଣ୍ଡକାନ ଆଉଁସି ଚୁପ୍ ରହିଛନ୍ତି। ଖାଲି ଏହି ୩ ଜଣ ନୁହନ୍ତି, ରେମୁଣା ବ୍ଲକର ଶହଶହ ଲୋକଙ୍କ ଅବସ୍ଥା ଏମିତି। ସରକାରଙ୍କୁ ଜମି ଦେଇ ପ୍ରତାରିତ ହୋଇଛନ୍ତି।
ବାଲେଶ୍ବର ଜିଲ୍ଲାରେ ଶିଳ୍ପ କରିଡର୍ ପାଇଁ ରାଜ୍ୟ ସରକାର ଇଡ୍କୋ ମାଧ୍ୟମରେ ୨୦୧୧ ମସିହାରେ ରେମୁଣା ବ୍ଲକରୁ ୧୦୯୯ ଏକର ଜମି ଅଧିଗ୍ରହଣ କରିଥିଲେ। ବ୍ଲକର ୯ଟି ରାଜସ୍ବ ମୌଜା ନୂଆପାଢୀ, ନରହରିପୁର, ବାଲଗୋପାଲପୁର, ଜେନାବରେଇ, ଗୁଣପୁର, ଝିଙ୍କମୁଣ୍ଡଳି, ଗୋବିନ୍ଦପୁର, ଗୋପାଳଗାଁ, ଗୋହାଳଗାଁ, ବାଙ୍ଗରା, ମୁଖୁରା ଆଦି ଗାଁରୁ ଏହି ଜମି ସବୁ ଅଧିଗ୍ରହଣ କରାଯାଇଥିଲା। କର୍ମନିଯୁକ୍ତି ଓ ସ୍ଥାନୀୟ ଅଞ୍ଚଳର ବିକାଶକୁ ଦୃଷ୍ଟିରେ ରଖି ଅଞ୍ଚଳବାସୀ ମଧ୍ୟ ବିନା ପ୍ରତିବାଦରେ ଇଡ୍କୋ ଲ୍ୟାଣ୍ଡବ୍ୟାଙ୍କକୁ ଜମିକୁ ଦେଇଥିଲେ। ପ୍ରାୟ ୩ ହଜାର ପରିବାରଙ୍କଠୁ ଜମି ଅଧିଗ୍ରହଣ କରାଯାଇଥିଲା। ହେଲେ ଦୁର୍ଭାଗ୍ୟ, ନା ଶିଳ୍ପ ହେଲା ନା ଜମି ଦେଇଥିବା ଲୋକଙ୍କୁ ଟଙ୍କା ମିଳିଲା।
ସମସ୍ୟାଟି ଏତିକିରେ ସରିଲାନି। ଜମି ଅଧିଗ୍ରହଣ ସମୟରେ ଜମି ମୂଲ୍ୟ ଯାହା ଥିଲା, ପରବର୍ତ୍ତୀ ନୂଆ ଆଇନ ଅନୁସାରେ ତାର ମୂଲ୍ୟ ବୃଦ୍ଧି ପାଇଥିଲା। ପରିବର୍ତ୍ତିତ ନିୟମ ଅନୁସାରେ ଜମିହରାଙ୍କୁ ଟଙ୍କା ଦିଆଯିବ ବୋଲି ନିଷ୍ପତ୍ତି ହୋଇଥିଲେ ବି ଆଜି ପର୍ଯ୍ୟନ୍ତ ଏହା ସରକାରୀ ଦପ୍ତରରେ ଝୁଲି ରହିଛି। ସେପଟେ ଭୂଅର୍ଜନ ଆଇନ୍ ଅନୁଯାୟୀ ଇଡ୍କୋ ଅଧୀନକୁ ଆସିଥିବା ଜମି କିଣାବିକା ଉପରେ ଲାଗିଥିଲା କଟକଣା। ଯାହାଫଳରେ ଲୋକେ ଚାହିଁଲେ ବି ନିଜ ଜମି ଆଉ କାହାକୁ ବିକ୍ରି କରିପାରିବେ ନାହିଁ। ସ୍ଥିତି ଏମିତି ହେଲା ଯେ, ଅର୍ଥାଭାବରୁ ରୋଗ ଚିକିତ୍ସା କରିନପାରି ଅନେକ ଜମିହରା ଏହାମଧ୍ୟରେ ଆଖି ବୁଜିଛନ୍ତି। ଅନେକ ଜମିହରା ବିଭିନ୍ନ ସମସ୍ୟାରେ ଯୁଝି ହେଉଛନ୍ତି। ଏ ସଂପର୍କରେ ରାଜନେତାଙ୍କଠୁ ଆରମ୍ଭ କରି ଜିଲ୍ଲାପାଳଙ୍କୁ ବାରମ୍ବାର ଜଣାଇଥିଲେ ବି କିଛି ଲାଭ ହୋଇନି ବୋଲି ଉକ୍ତ ଅଞ୍ଚଳର ବିରେନ୍ଦ୍ର କୁମାର ପଣ୍ଡା, ରଂଜନ କୁମାର ନାୟକ, ପ୍ରଭାତ କୁମାର ସାହୁ, ଦୁଷ୍ମନ୍ତ ଦାସ, ସୁରେନ୍ଦ୍ର ନାୟକ, ରବିନାରାୟଣ ନାୟକ, ଗଦାଧର ସ, ଯଦୁନାଥ ମଲ୍ଲିକ ପ୍ରମୁଖ କୋହଭରା କଣ୍ଠରେ କହିଛନ୍ତି। କେହି କିଛି ନ ଶୁଣିବାରୁ ନିକଟରେ ଜମିହରା ପ୍ରଜା ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ ଭେଟିଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ଶ୍ରୀ ବାହିନୀପତି ଏ ସଂପର୍କରେ ଅବଗତ କରିବା ପରେ ଶିଳ୍ପ ବିଭାଗକୁ ତୁରନ୍ତ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।
ତେବେ ଏ ବାବଦରେ ଇଡ୍କୋର ସିଜିଏମ୍ ସୁଶାନ୍ତ ମହାନ୍ତି କହିଛନ୍ତି, ସମାଧାନର ଅଗ୍ରଗତି କିଛି ହୋଇନାହିଁ। ଏହି ପ୍ରକ୍ରିୟା ସରକାରୀସ୍ତରରେ ସେମିତି ରହିଛି। ଜମି ଅଧିଗ୍ରହଣ ପ୍ରକ୍ରିୟା ଉପରେ ରାଜସ୍ବ ବିଭାଗକୁ ପକ୍ଷ ରଖିବା ପାଇଁ ଦିଆଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ କିଛି ଉତ୍ତର ଆସିନାହିଁ। ରାଜସ୍ବ ଓ ଆଇନ ବିଭାଗର ମିଳିତ ନିଷ୍ପତ୍ତିରେ ଏହା ହେବା କଥା। ଜମିର ପୁରୁଣା ମୂଲ୍ୟ ଅନୁସାରେ ପୂର୍ବରୁ ୨୧ କୋଟି ଟଙ୍କା ଜିଲ୍ଲାପାଳଙ୍କୁ ଦିଆଯାଇଛି। ନୂଆ ଆଇନ ଅନୁସାରେ ଏହା ସଂଶୋଧିତ ହୋଇ ବାକି ଟଙ୍କା ଦିଆଯିବ। ତେବେ ନୂଆ ଆଇନ ଅନୁସାରେ ଲୋକେ ଚାହିଁଲେ ଜିଲ୍ଲାପାଳଙ୍କୁ ଜଣାଇ ନିଜ ଜମି ବିକ୍ରି କରିପାରିବେ। ଅନ୍ୟପକ୍ଷରେ ଜମିବିକ୍ରିକୁ ନେଇ ଆଉ ଏକ ସମସ୍ୟା ମୁଣ୍ଡ ଟେକିଛି। କେହି ଉକ୍ତ ଜମିକୁ ବିକ୍ରି କରିବାକୁ ଚାହିଁଲେ ମଧ୍ୟ ଲୋକେ ଇଡ୍କୋ ଜମି କହି ନେବାକୁ ଅରାଜି ହେଉଛନ୍ତି। ୧୦ ବର୍ଷର ଏହି ସମସ୍ୟା ସମାଧାନ ନହେବା ପଛରେ କେଉଁଠି ନା କେଉଁଠି ସରକାରୀ ଅବହେଳା ଜଳଜଳ ଦେଖାଯାଉଛି। ଉଭୟ ବିଭାଗ ପରସ୍ପରକୁ ଦୋଷ ଠେଲାଠେଲି ହୋଇ ମୁଣ୍ଡରୁ ଦୋଷ ଖସାଇ ଚାଲିଥିବାବେଳେ ଜମିହରା ଲୋକେ ହଟହଟା ହେଉଛନ୍ତି।
The post ୧୦୯୯ ଏକର ଜମି ନେଇଗଲେ, ଦେଲେନି ଟଙ୍କା : ଶିଳ୍ପ କରିଡର୍ ନାଁରେ ଭୁଆଁ ବୁଲାଇଲେ first appeared on Sambad.
from ବିଶେଷ – Sambad https://ift.tt/3i7HWld
0 Comments