
କୋରାପୁଟ, (ଶ୍ରୀକାନ୍ତ ସାହୁ): ୪୫ବର୍ଷ ଧରି ପାରମ୍ପରିକ ବିହନରେ ଚାଷ କରି ଆସୁଥିଲେ। ଆଶାତୀତ ଉତ୍ପାଦନ ହେଉ ନଥିଲା। ବେଳେ ବେଳେ କ୍ଷତିରେ ବି ପଡ଼ୁଥିଲେ। ତେଣୁ ଋତୁ ଭିତ୍ତିକ ଚାଷକୁ ଆପଣାଇଥିଲେ। କିନ୍ତୁ ତିନି ବର୍ଷ ତଳେ ସଠିକ୍ ପରାମର୍ଶକ୍ରମେ ଚାଷ ପ୍ରଣାଳୀରେ ସାମାନ୍ୟ ପରିବର୍ତ୍ତନ କଲେ। ଏଥର ଆଶା ଠାରୁ ବି ଅଧିକ ଉତ୍ପାଦନ ହେଲା। ମାଣ୍ଡିଆ ଉତ୍ପାଦନ କରି ଐତିହାସିକ ସଫଳତା ହାସଲ କରି ସରକାରୀ ରିପୋର୍ଟକୁ ମଧ୍ୟ ଭୁଲ ପ୍ରମାଣିତ କରିଛନ୍ତି କୋରାପୁଟ ବ୍ଲକ ଅନ୍ତର୍ଗତ ମାଛରା ଏବଂ ସୁକିଆଗୁଡ଼ା ଗାଁର ଚାଷୀ। ଉଭୟ ଗାଁର ଶତାଧିକ ମହିଳା, ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ପୁରୁଷ। ଚାଷୀ କେବଳ ଲାଭବାନ ହୋଇ ନାହାନ୍ତି, ଜୀବନଧାରଣର ମାନକୁ ବି ବୃଦ୍ଧି କରିବାର ସଫଳ ଉଦାହରଣ ସୃଷ୍ଟି କରିଛନ୍ତି। ଦୁଇ ଗାଁର ଶତାଧିକ ଚାଷୀ ହାଜାର ହଜାର କୁଇଣ୍ଟାଲ ମାଣ୍ଡିଆ ମଣ୍ଡିରେ ବିକ୍ରି କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି।
ଚାଷୀ ଓ ଚାଷର ଉନ୍ନତି ନିମନ୍ତେ ଉଦ୍ୟମରତ ଜୟପୁର ସ୍ଥିତ ଏମ୍.ଏସ୍. ସ୍ୱାମୀନାଥନ ଗବେଷଣା ସଂସ୍ଥା। ୩୦ବର୍ଷ ହେଲା ଚାଷୀଙ୍କୁ ସମୃଦ୍ଧି ପଥରେ ଆଗେଇ ନେବାକୁ କାମ କରୁଥିବା ଏହି ସଂସ୍ଥା ବିକଳ୍ପ ବିହନ ବ୍ୟବହାର କାର୍ଯ୍ୟକ୍ରମ ହାତକୁ ନେଇଥିଲା। ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା (ଆରକେଭିଓ୍ବାଇ) ଓ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ କୋରାପୁଟ ଜିଲ୍ଲାର ପାରମ୍ପରିକ ବିହନ ସହ ଉନ୍ନତ ମାଣ୍ଡିଆ ବିହନର ପ୍ରଚଳନ ଉପରେ ଗୁରୁତ୍ୱ ଦେଇଥିଲା। ଅଧିକ ଉତ୍ପାଦନକ୍ଷମ ମାଣ୍ଡିଆ ବିହନ କେଏମ୍ଆର୍-୨୦୪ ସଂପର୍କରେ ଚାଷୀଙ୍କୁ ଅବଗତ କରାଇଥିଲା। ଦ୍ବନ୍ଦ୍ବ ଏବଂ ଆଶଙ୍କା ମଧ୍ୟରେ ଚାଷୀ ଏହି ବିହନକୁ ଲଗାଇଥିଲେ। ଉତ୍ପାଦନ ପରେ ସବୁ ସଂଶୟ ଦୂର ହୋଇ ଯାଇଥିବା ବେଳେ ରେକର୍ଡ ପରିମାଣରେ ମାଣ୍ଡିଆ ଆଣି ମଣ୍ଡିରେ ବିକ୍ରି କରୁଛନ୍ତି।
ମାଛର ଗାଁର ଜନା ଭୋଇ। ବାପାଙ୍କ ଗୋଟିଏ ଏକର ଜମିରେ ପୂର୍ବରୁ ମାଣ୍ଡିଆ ଚାଷ କରୁଥିଲେ। ୧୦କେଜି ବିହନ ବୁଣିଲେ ୨ରୁ ୩ କ୍ବିଣ୍ଟାଲ ଅମଳ ହେଉଥିଲା। ଏଥିରେ ପେଟ ପୂରିଲା ନାହିଁ, ବାଧ୍ୟ ହୋଇ ଦିନ ମଜୁରିଆ ସାଜିଲେ। ଟ୍ରାକ୍ଟର ଏବଂ ଟ୍ରକ୍ରେ ମାଲ ବୋହି ଦୈନିକ ୮୦ରୁ ୧୧୦ ଟଙ୍କା ରୋଜଗାର କରୁଥିଲେ। ସ୍ବାମୀନାଥନ୍ ସଂସ୍ଥା ୨୦୧୭ ମସିହାରେ କେଏମଆର-୨୦୪ ମାଣ୍ଡିଆ ବିହନରେ ଚାଷ କରିବାକୁ ତାଙ୍କୁ ପରାମର୍ଶ ଦେଲା। ସେହିବର୍ଷ ହିଁ ସେ ୫ କୁଇଣ୍ଟାଲ, ୨୦୧୮ରେ ୮ କୁଇଣ୍ଟାଲ, ୨୦୧୯ରେ ୧୦ କୁଇଣ୍ଟାଲ ଓ ଚଳିତବର୍ଷ ଅଧିକ ଜମିରେ ଚାଷ କରି ୨୫ କୁଇଣ୍ଟାଲ ମାଣ୍ଡିଆ ଅମଳ କରିଛନ୍ତି। କୋଭିଡ୍ ଯୋଗୁଁ ମଜୁରିଆ ମିଳି ନ ଥିବାରୁ ନିଜେ ଚାଷ କରି ଏହି ସଫଳତା ପାଇଛନ୍ତି। ସେହିପରି ଦଂପତି ହରି ଓ ଲାଇଙ୍କ ଜୀବନର ମୋଡ଼ ବଦଳାଇ ଦେଲା ମାଣ୍ଡିଆ ଚାଷ। ଫେରିବାଲାରୁ ଏବେ ପାଲଟିଛନ୍ତି ସଫଳ ମାଣ୍ଡିଆ ଚାଷୀ। ଟାଙ୍ଗରା ଭୂଇଁରୁ ଫଳାଉଛନ୍ତି ପୁଷ୍ଟିକର ମାଣ୍ଡିଆ। ଚଳିତବର୍ଷ ୫ ଏକର ଜମିରୁ ୨୫ କୁଇଣ୍ଟାଲ ମାଣ୍ଡିଆ ଉତ୍ପାଦନ କରିଥିବା ଜଣାପଡ଼ିଛି। ଏମାନଙ୍କ ଭଳି ଦୁଇ ଗାଁର ଶତାଧିକ ଚାଷୀ କେବଳ ଉପକୃତ ହୋଇ ନାହାନ୍ତି, ଚାଷୀ ପ୍ରତି ତୁଟୁଥିବା ଆସ୍ଥାକୁ ଫେରାଇ ଆଣିବା ପାଇଁ ନମୁନା ପ୍ରସ୍ତୁତ କରିଛନ୍ତି।
The post ଚାଷ ବଦଳାଇଲା ପରିଚୟ : ମାଣ୍ଡିଆ ଚାଷୀଙ୍କ ଗାଁ ମାଛରା ଓ ସୁକିଆଗୁଡ଼ା first appeared on Sambad.
from ବିଶେଷ – Sambad https://ift.tt/3s7Vvpn
0 Comments