
ବାଲେଶ୍ବର : ଗୋଟିଏ କି ଦୁଇଟି ଅବଧି ନୁହେଁ। ୪ ଅବଧି ପରେ ବି ସରିଲାନି କାମ। କେବେ କାମ ସଂପୂର୍ଣ୍ଣ ହେବ ତାହା ବି ଜଣାନାହିଁ। କାର୍ଯ୍ୟରେ ଏପରି ବିଳମ୍ବ ନେଇ ଅଞ୍ଚଳବାସୀ ନିଜର ଅସନ୍ତୋଷ ଝାଡ଼ିଛନ୍ତି। ଏଥିପାଇଁ ବିଭାଗୀୟ ଅପାରଗତାକୁ ଦାୟୀ କରିଛନ୍ତି। ବାଲେଶ୍ବର ସହର ଉପକଣ୍ଠ ଫୁଲାଡ଼ି ନିକଟସ୍ଥ ବୁଢ଼ାବଳଙ୍ଗ ନୂତନ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ଛଅ ବର୍ଷ ହୋଇଯିବ। ହେଲେ ଆଜି ପର୍ଯ୍ୟନ୍ତ କାମ ଶେଷ ହୋଇ ପାରିଲାନାହିଁ।
ଫୁଲାଡ଼ିସ୍ଥିତ ବୁଢ଼ାବଳଙ୍ଗ ନଦୀ ଉପରେ ଥିବା ବ୍ରିଟିସ୍ ଅମଳର ଲୁହା ପୋଲ କାଳକ୍ରମେ ଦୁର୍ବଳ ହେବାରୁ ଏହି ପୋଲ ଉପରେ ଭାରିଯାନ ଚଳାଚଳ ବନ୍ଦ କରାଯାଇଛି। କେବଳ ବାଇକ୍ ଓ ଚାରିଚକିଆକୁ ଯିବା ପାଇଁ ଅନୁମତି ଥିବା ବେଳେ ଅନ୍ୟ ଭାରିଯାନ ସବୁ ରେମୁଣା ଗୋଲେଇ ଦେଇ ସହର ଭିତରେ ପ୍ରବେଶ କରୁଛି। ଜିଲ୍ଲାବାସୀଙ୍କ ବାରମ୍ବାର ଦାବି ପରେ ଏଠାରେ ନୂତନ ପୋଲ ନିର୍ମାଣ ନେଇ ସରକାର ନିଷ୍ପତ୍ତି ନେଲେ। ନୂତନ ପୋଲ ହେବା ଜାଣି ଜିଲ୍ଲାବାସୀ ଖୁସି ହୋଇଥିଲେ। ହେଲେ ବିଡ଼ମ୍ବନା, ପୋଲ କାମ ଆରମ୍ଭ ହୋଇ ୫ ବର୍ଷ ବିତିଲାଣି ଅଥଚ ଏଯାଏ ଏହି ପୋଲ କାମ ସଂପୂର୍ଣ୍ଣ ହୋଇ ପାରିନାହିଁ।
ନୂତନ ପୋଲ ନିର୍ମାଣ ପାଇଁ ୨୦୧୫-୧୬ ବର୍ଷ ଡିସେମ୍ବର ୧୫ରେ ଫର୍ଚ୍ୟୁନ୍ ଗ୍ରୁପ୍ ଟେଣ୍ଡର ନେଇ କାମ ଆରମ୍ଭ କରିଥିଲା। ୨୮ କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ପୋଲ ନିର୍ମାଣ କାମ ଆରମ୍ଭ ହୋଇଥିଲା। ବ୍ରିଜ୍ର କାମ ୨୦୧୭ ମସିହା ସେପ୍ଟେମ୍ବର ୧୦ରେ ସଂପୂର୍ଣ୍ଣ ହେବାକଥା। ଏହାରି ଭିତରେ ୪ଟି ଅବଧି ସରିଲାଣି। ହେଲେ ପୋଲ କାମ ଶେଷ ହେଲା ନାହିଁ। ଏବେ ସୁଦ୍ଧା ପୋଲର ମୋଟ ୫ଟି ସ୍ପାନ୍ କାମ ଶେଷ ହୋଇଥିବା ବେଳେ ଆଉ ଗୋଟିଏ ସ୍ପାନ୍ ହୋଇନାହିଁ। କିଛି ମାସ ପୂର୍ବେ ବ୍ରିଜ୍ର ୪ ଓ ୫ ନମ୍ବର ସ୍ପାନ୍ ଉପର ସେଣ୍ଟ୍ରିଂ କାମ କୌଣସି କାରଣରୁ ଖସି ପଡ଼ିବାରୁ ପୋଲ କାମ ବିଳମ୍ବ ହେବାର ଅନ୍ୟ ଏକ କାରଣ ଜଣାପଡ଼ିଛି। ଉକ୍ତ ଟେଣ୍ଡର କମ୍ପାନିକୁ ଗତ ଡିସେମ୍ବରରେ କାମ ସଂପୂର୍ଣ୍ଣ କରିବାକୁ ଅବଧି ମିଳିଥିବା ବେଳେ ଜାନୁଆରି ଶେଷ ହେବାକୁ ବସିଲାଣି। ହେଲେ ଆଜିଯାଏ ବ୍ରିଜ୍ ସଂପୂର୍ଣ୍ଣ ହୋଇପାରିଲା ନାହିଁ। ସେପଟେ ଦୁର୍ବଳ ଲୁହା ପୋଲ ସମ୍ଭାଳିବା ପାଇଁ ପୋଲ ପାର୍ଶ୍ବରେ ପଥର ପ୍ୟାକିଂ କରାଯାଇଥିଲା। ତାହା ବି ବାତ୍ୟା ଅମ୍ଫାନ୍ରେ ଧସି ଯାଇଛି।
ଏହି ଦୁର୍ବଳ ଲୁହା ପୋଲରେ ଭାରିଯାନ ଚଳାଚଳ ରୋକିବା ପାଇଁ ଯେଉଁ ଲୁହା ଗେଟ୍ର ବ୍ୟବସ୍ଥା କରାଯାଇଥିଲା, ତାହା ବି ଭାଙ୍ଗିଗଲାଣି। ଫଳରେ କେହି ରୋକିବା ପାଇଁ ନ ଥିବାରୁ ରାତିରେ ଭାରିଯାନ ଏହି ପୋଲ ଦେଇ ଯାତାୟାତ କରୁଛି। ସେହିପରି ଲୁହା ପୋଲର ରାସ୍ତା ଅଣଓସାରିଆ ଥିବାରୁ ବହୁ ସମୟରେ ଗୋଟିଏ ଚାରିଚକିଆ ପଶିଗଲେ ପୋଲର ଦୁଇପାର୍ଶ୍ବରେ ଗାଡ଼ି ଅଟକି ରହୁଛି। ଟ୍ରାଫିକ୍ ଜାମ୍ ହେବାରୁ ପୋଲ ପାର୍ ହେବାକୁ ବହୁ ସମୟ ଲାଗୁଛି। ଅନ୍ୟପକ୍ଷରେ ପୋଲଟି ଦୁର୍ବଳ ହୋଇଯାଇଥିବାରୁ କେତେବେଳେ ଯେ ଦୁର୍ଘଟଣା ନଘଟିବ ତାହା କହିହେବ ନାହିଁ। ଏବେ ଲୋକେ ପୋଲ ଉପରେ ଯିବାଆସିବା କରିବାକୁ ଡରୁଛନ୍ତି। ବଡ଼କଥା ହେଲା, ନୂତନ ପୋଲ କାମ ଚାଲିଥିବାରୁ ବାଲେଶ୍ବର ସହରକୁ ଆସିବା ପାଇଁ ହେଲେ ୧୫ କିମି ଜାତୀୟ ରାଜପଥ ଦେଇ ଲୋକଙ୍କୁ ବୁଲିବାକୁ ପଡ଼ୁଛି। ବାଲେଶ୍ବର ଜିଲ୍ଲାର ୪ ବ୍ଲକ(ବାଲିଆପାଳ, ଭୋଗରାଇ, ବସ୍ତା, ଜଳେଶ୍ବର) ସହ ସଦର ଓ ରେମୁଣା ବ୍ଲକର କିଛି ପଞ୍ଚାୟତ ଏହି ଲୁହା ପୋଲ ଉପରେ ନିର୍ଭର କରୁଥିବାରୁ ବାଲେଶ୍ବର ସହରକୁ ଆସିବା ପାଇଁ ହେଲେ ଜାତୀୟ ରାଜପଥ ଦେଇ ଆସୁଛନ୍ତି। ତେବେ ନୂତନ ପୋଲ କାମ ଚଳିତବର୍ଷ ସରିବ କି ନାହିଁ ସେ ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି। ଜନପ୍ରତିନିଧି କିମ୍ବା ପ୍ରଶାସନ କେହି ଏଥି ପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି।
ଏ ସଂପର୍କରେ ଠିକାଦାର ମାନସ ପାଠୀ କହିଛନ୍ତି, କାମ ପ୍ରାୟ ସରି ଆସିଲାଣି। ମଝିରେ ଡିଜାଇନ୍ ପରିବର୍ତ୍ତନ ହେବା ଓ ପରେ ସେଣ୍ଟ୍ରିଂ ବି ଖସିପଡ଼ିଲା ତେଣୁ କାର୍ଯ୍ୟ ବିଳମ୍ବିତ ହୋଇଛି। ମୋଟ ୬ଟି ସ୍ପାନ୍ରୁ ବର୍ତ୍ତମାନ ଗୋଟିଏ ସ୍ପାନର କାମ ବାକି ରହିଛି। ମାର୍ଚ୍ଚ ଶେଷ ସୁଦ୍ଧା ଏହା ସମ୍ପୂର୍ଣ୍ଣ ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି। ଏ ସଂପର୍କରେ ପୂର୍ତ୍ତ ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ରାମଚନ୍ଦ୍ର ସେଠୀଙ୍କୁ ପଚାରିବାରୁ ଆସନ୍ତା ମାର୍ଚ୍ଚ ସୁଦ୍ଧା କାମ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଶା ଏହି ଅବଧିରେ କାମ ସଂପୂର୍ଣ୍ଣ ହେବ।
The post ୫ ବର୍ଷ ପରେ ବି ସରିନି ବୁଢ଼ାବଳଙ୍ଗ ପୋଲ କାମ first appeared on Sambad.
from ବିଶେଷ – Sambad https://ift.tt/3crimXB
0 Comments