ଜୀବନ ନାଟକରେ ଯବନିକା

ମୟୂରୀ ଗୋ…, ଯା ଯା ରେ ଭାସି ଯା… ଆଦି ସଙ୍ଗୀତ ଆଜି ବି ମନରେ ରୋମାଞ୍ଚ ଭରିଦିଏ। ୬୦ ବର୍ଷ ତଳର ଏଇ ଗୀତର ଧୁନ୍‌ ଆଜି ବି ମନକୁ ତାଜା କରିଦିଏ। ଓଡ଼ିଆ ସଙ୍ଗୀତ ଜଗତକୁ ଆଧୁନିକତାର ରସରେ ରସାଶିକ୍ତ କରି ଭାରତୀୟ ସଙ୍ଗୀତ ଦୁନିଆରେ କମ୍ପନ ସୃଷ୍ଟି କରିଥିବା ଏମିତି ଜଣେ ସଙ୍ଗୀତ ସାଧକ ଆଜି ସବୁ ଦିନ ପାଇଁ ଶାନ୍ତ ହୋଇଯାଇଛନ୍ତି। ଓଡ଼ିଆ ସଙ୍ଗୀତରେ ନୂଆ ଧାରା, ଶୈଳୀ ଓ ରସ ଢାଳିଥିବା ତଥା ହିନ୍ଦୀ ଗୀତ‌ରେ ଓଡ଼ିଆ ଶୈଳୀ ଭରିଥିବା ସେଇ ସଙ୍ଗୀତର ରୂପକାର ଶାନ୍ତନୁ ମହାପାତ୍ର ଆମ ଗହଣରୁ ବିଦାୟ ଦେଇଛନ୍ତି। ତାଙ୍କ ଚଳଚ୍ଚିତ୍ରର ଗୀତ ‘ଜୀବନଟା ଏକ ନାଟକ… ଭଳି ଆଜି ସେ ନାଟକ ସାରି ବାହୁଡ଼ି ଯାଇଛନ୍ତି। କିନ୍ତୁ ତାଙ୍କ ସାଧନାରେ ସଙ୍ଗୀତରେ ପ୍ରାଚୁର୍ଯ୍ୟ ଭରି ଯାଇଛନ୍ତି। ୬୦ ବର୍ଷର ସଙ୍ଗୀତ ଯାତ୍ରାରେ ସଙ୍ଗୀତ ଦୁନିଆକୁ ପ୍ରାୟ ୧୯୦୦ ସଙ୍ଗୀତର ଉପହାର ଦେଇଛନ୍ତି। ଆଉ ସେଇ ସଙ୍ଗୀତରେ ହିଁ ଅମର ‌ହୋଇ ରହିଯାଇଛନ୍ତି। ସଙ୍ଗୀତର ନିଶାରେ ନିଶାସକ୍ତ ଶାନ୍ତନୁ କିନ୍ତୁ ପେଶାଦାର ଜୀବନରେ ବି ଓଡ଼ିଶାକୁ ବିକଶିତ କରିଛନ୍ତି। ଖଣି ଓ ଭୂବିଜ୍ଞାନ ନିର୍ଦ୍ଦେଶକ ଥିବା ବେଳେ ଖଣିଜ ପଦାର୍ଥର ବ୍ୟବସାୟ ଓ ଚୋରାଚାଲଣରେ ସଂସ୍କାର ଆଣିଥିଲେ। ଏଭଳି ଜଣେ ଦକ୍ଷ ତଥା ସଫଳ ବ୍ୟକ୍ତିତ୍ବକୁ ହରାଇବା ଓଡ଼ିଶା ମାଟିର ଅପୂରଣୀୟ କ୍ଷତି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ

ପେଶାରେ ଭୂତତ୍ବବିତ୍‌ ଥିଲେ ଦକ୍ଷ ଖଣି ନିର୍ଦେଶକ
ନାଲ୍‌କୋ ଓ ବାଲ୍‌କୋ ପାଇଁ ବକ୍‌ସାଇଟ୍‌ ଓ କ୍ରୋମାଇଟ୍‌ ଖଣିଜ ପଦାର୍ଥର ଅନ୍ବେଷଣ ଓ ଖନନରେ ସ୍ବର୍ଗତ ମହାପାତ୍ର ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ଏଥିସହ ଓଡ଼ିଶା ଲୁହାପଥର, ମାଙ୍ଗାନିଜ୍‌, ଲାଇମ୍‌ଷ୍ଟୋନ, ଡୋଲୋମାଇଟ୍‌, ଚାଇନା କ୍ଲେ, ଗ୍ରାଫାଇଟ୍‌ ଓ ଜେମ୍‌ସ୍‌ଷ୍ଟୋନ୍‌ ଭଳି ଖଣିଜ ପଦାର୍ଥର ଖନନ ଓ ଅନ୍ବେଷଣର ଜଣେ ମୁଖ୍ୟ ପୁରୋଧା ଥିଲେ। ଏଥିସହ ଭୂତଳ ଜଳ ଓ ଖଣିଜ ପଦାର୍ଥ ପାଇଁ ‌ଏରୋ-ମାଗ୍ନୋଟିକ୍‌ ସର୍ବେକ୍ଷଣରେ ବି ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିଲା। ଓଡ଼ିଶାରେ ଖଣିଜ ପାଦାର୍ଥ, ଜେମ୍‌ସ୍‌ ଷ୍ଟୋନର ବ୍ୟବସାୟ ଓ ଚୋରା ଚାଲଣ ନେଇ ସେ ନୂତନ ନୀତି ନିୟମ ଆଣିଥିଲେ। କୋଇଲାର ସଂରକ୍ଷଣ ଓ ବ୍ୟବସାୟ ପାଇଁ ଲାଇସେନ୍ସ ବ୍ୟବସ୍ଥା ପାଇଁ ନୂଆ ଧାରା ଓ ନିୟମ ଆଣିଥିଲେ ସ୍ବର୍ଗତ ଶାନ୍ତନୁ ମହାପାତ୍ର। ସେ ଖଣି ଓ ଭୂବିଜ୍ଞାନ ନିର୍ଦ୍ଦେଶକ ଥିବା ସମୟରେ ଓଡ଼ିଶାର ଖଣିଜ ଉତ୍ପାଦ ୩୯ ମିଲିଅନ୍‌ ଟନ୍‌ ଓ ଓ ଖଣିଜ ରାଜସ୍ବ ୧୧୫ କୋଟି ଟଙ୍କାରେ ପହଞ୍ଚିଥିଲା। ଯାହାକି ଓଡ଼ିଶାରେ ଆଜି ପର୍ଯ୍ୟନ୍ତର ସର୍ବାଧିକ ଉତ୍ପାଦନ ଓ ରାଜସ୍ବ।

ନିଶା ଥିଲା ସଙ୍ଗୀତ
ପିଲାଦିନୁ ସଙ୍ଗୀତ ପ୍ରତି ରୁଚି ରହିଥିବା ଶାନ୍ତନୁ ମହାପାତ୍ର ୫ ବର୍ଷ ବୟସ‌ରେ ସଙ୍ଗୀତ ବାଞ୍ଛାନିଧି ପଣ୍ଡାଙ୍କଠାରୁ ସଙ୍ଗୀତ ପ୍ରଶିକ୍ଷଣ ନେବା ଆରମ୍ଭ କରିଥିଲେ। ୯ ବର୍ଷ ବୟସରୁ ସେ ଷ୍ଟେଜ୍‌ରେ ଗୀତ ଗାଇବା ଆରମ୍ଭ କରିଦେଇଥିଲେ। ଖଡଗପୁର ଆଇଆଇଟିରେ ଇଣ୍ଡିଆନ୍‌ ପିପୁଲ୍‌ସ୍‌ ଥ୍ରିଏଟିକାଲ୍‌ ଆସୋସିଏସନ୍‌(ଆଇପିଟିଏ)ରେ ବି ନାମ ଲେଖାଇଥିଲେ। ଏଠାରୁ ସେ ସମୂହ ସଙ୍ଗୀତ(କାରୋଲ ସିଙ୍ଗିଙ୍ଗ)ର କଳା ଓ ଟେକ୍‌ନିକ୍‌ ଶିକ୍ଷା କରିଥିଲେ। ପ୍ରସିଦ୍ଧ ସଙ୍ଗୀତଜ୍ଞ ସଲିଲ୍‌ ଚୌଧୁରୀଙ୍କ ଅଧୀନରେ ସେ ପ୍ରଶିକ୍ଷିତ ହୋଇଥିଲେ। ଶାନ୍ତନୁଙ୍କ ଓଡ଼ିଆ ସଙ୍ଗୀତ ସଂଯୋଜନାରେ ତାଙ୍କ ନିଆରା ଢଙ୍ଗ ଓ ‘ଜମ୍ପିଂ ନୋଟ୍‌’ ଷ୍ଟାଇଲ୍‌ ସଲିଲ୍‌ ଦା’ଙ୍କୁ ବେଶ୍‌ ପସନ୍ଦ ଆସିଥିଲା। ସଲିଲ୍‌ ଦା’ଙ୍କ ପ୍ରେରଣାରେ ଶାନ୍ତନୁ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ନୂଆ ଧାରା ସୃଷ୍ଟି କରିଥିଲେ।

ଚଳଚ୍ଚିତ୍ର ଯାତ୍ରା ଓ ପୁରସ୍କାର
୧୯୬୩ ମସିହାରେ ଓଡ଼ିଆ ଚଳଚ୍ଚିତ୍ର ‘ସୂର୍ଯ୍ୟମୁଖୀ’ରେ ପ୍ରଥମେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ୬୦ ବର୍ଷର ତାଙ୍କ ସଙ୍ଗୀତ ଯାତ୍ରାରେ ସେ ୫୩ଟି ଚଳଚ୍ଚିତ୍ର, ଫିଚର୍‌, ଟେଲି ଫିଲ୍ମ, ବୃତ୍ତଚିତ୍ର ଓ କଳାତ୍ମକ ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇଥିଲେ। ଓଡ଼ିଶାରେ ନିର୍ମିତ ପ୍ରଥମ ହିନ୍ଦୀ ଚଳଚ୍ଚିତ୍ର ‘ଶୋଧ’ ପାଇଁ ସେ ରାଷ୍ଟ୍ରୀୟ ପୁରସ୍କାର ପାଇଥିଲେ। ସଙ୍ଗୀତ ଜଗତର ସର୍ବାଧିକ ପୁରସ୍କାର ଶାନ୍ତନୁଙ୍କ ନାମରେ ରହିଛି। ସେ ଆଜୀବନ ୮୦ଟି ପୁରସ୍କାର ପାଇ ସମସ୍ତଙ୍କୁ ଗୌରବାନ୍ବିତ କରିଥିଲେ। ଓଡ଼ିଆ ସୁପରହିଟ୍‌ ଚଳଚ୍ଚିତ୍ର ଡୋରା, ଜଗା ବଳିଆ, ପ୍ରିୟତମା, ଅରୁନ୍ଧତୀ, ସୂର୍ଯ୍ୟମୁଖୀ, ଅଗ୍ନି ପରୀକ୍ଷା, ଜୀବନ ସଂଗ୍ରାମ ଓ ଗୋଲାମ୍‌ଗିରି ଆଦି ଚଳଚ୍ଚିତ୍ରରେ ସେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ସେହିପରି ତାଙ୍କର କିଛି ସମାନ୍ତରାଳ ଚଳଚ୍ଚିତ୍ର ହେଲା- କ୍ଲାନ୍ତ ଅପରାହ୍ନ, ମଝି ପାହାଚ, କିଛି ସ୍ମୃତି କିଛି ଅନୁଭୂତି, ଭଙ୍ଗା ସିଲଟ, ଭିନ୍ନ ସମୟ, ମୁକ୍ତି ତୀର୍ଥ, ନିର୍ବାଚନ, ଚିଲିକା ତୀରେ, ଅରଣ୍ୟ ରୋଦନ, ତାରା ଓ ସୁଖୀ। ଏଥିସହ ଫକୀର ମୋହନ ସେନାପତିଙ୍କ ଉପନ୍ୟାସର କାହାଣୀ ଆଧାରିତ ‘ମାମୁ’ରେ ପ୍ରଥମ ଥର ପାଇଁ ଓଡ଼ିଆ ଶୈଳୀରେ ହିନ୍ଦୀ ସଙ୍ଗୀତଗୁଡ଼ିକର ନିର୍ଦ୍ଦେଶନା ଦେଇଥିଲେ।

The post ଜୀବନ ନାଟକରେ ଯବନିକା first appeared on Sambad.



from ବିଶେଷ – Sambad https://ift.tt/34UU57E

Post a Comment

0 Comments