ଓଡ଼ିଶା ମଡେଲକୁ ‘ହୁ’ର ପ୍ରଶଂସା, ଟିକା ପରୀକ୍ଷଣରେ ଓଡ଼ିଶାରେ ଇତିହାସ

କରୋନା ମହାମାରୀ ଲାଗି ଓଡ଼ିଶା ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ବା ‘ହୁ’ ପ୍ରଶଂସା କରିଥିଲା। ଏଥିରେ ମୁଖ୍ୟତଃ ଆଗୁଆ ସ୍ବତନ୍ତ୍ର କୋଭିଡ ହସ୍ପିଟାଲର ନିର୍ମାଣକୁ ବେଶ୍ ପ୍ରଶଂସା କରାଯାଇଥିଲା। କରୋନା ସଂପର୍କରେ ସଚେତନ କରାଇବା ଲାଗି ମୁଖ୍ୟମନ୍ତ୍ରୀଙ୍କଠାରୁ ପ୍ରଶାସନିକ ସ୍ତରରେ ହାତ ଧୋଇବା, ସାମାଜିକ ଦୂରତ୍ବ ବଜାୟ ରଖିବା ଲାଗି ଗୁରୁତ୍ବ ଦିଆଯାଇଥିଲା। ସଂକ୍ରମଣକୁ ରୋକିବା ଲାଗି ଆଗୁଆ ଲକ୍‌ଡାଉନ୍, ସଟ୍‌ଡାଉନ୍ ଭଳି ନିଷ୍ପତ୍ତି, ଏସ୍‌ଏଆରଆଇ, ଆଇଏଲଆଇ ରୋଗୀଙ୍କୁୁ ଆଗୁଆ ଚିହ୍ନଟ, ପ୍ରବାସୀମାନଙ୍କ ପାଇଁ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରର ନିର୍ମାଣ, ବୃଦ୍ଧ, ଭିନ୍ନକ୍ଷମମାନଙ୍କ ପାଇଁ ଆଗୁଆ ଭତ୍ତା ପ୍ରଦାନ ଓ କୋଭିଡ ଯୋଦ୍ଧାମାନଙ୍କ କରୋନାରେ ମୃତ୍ୟୁ ହେଲେ ୫୦ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବା ଲାଗି ମୁଖ୍ୟମନ୍ତ୍ରୀ ଘୋଷଣା କରିବାକୁ ‘ହୁ’ ବେଶ୍‌ ପ୍ରଶଂସା କରିଥିଲା। ଏସବୁ କାରଣ ପାଇଁ ଜୁନ୍ ଓ ଜୁଲାଇ ମାସରେ ରାଜ୍ୟରେ କମ୍ ସଂକ୍ରମଣ ସହିତ କରୋନା ରୋଗୀଙ୍କ ମୃତ୍ୟୁ ଦେଶରେ ସବୁଠାରୁ କମ୍ ରହିଥିଲା।

ଟିକା ପରୀକ୍ଷଣରେ ଓଡ଼ିଶାରେ ଇତିହାସ

Image Courtesy of Inventiva

ଟିକାକରଣରେ ଓଡ଼ିଶାରେ ଇତିହାସ ସୃଷ୍ଟି ହୋଇଛି। ପ୍ରଥମଥର ଲାଗି ଓଡ଼ିଶାରେ କୌଣସି ଟିକାର ମାନବ ପରୀକ୍ଷଣ କରାଯାଇଛି। ଆଇସିଏମ୍‌ଆର ଓ ଭାରତ ବାଇଓଟେକ୍‌ର ମିଳିତ ଉଦ୍ୟମରେ ପ୍ରସ୍ତୁତ ହେଉଥିବା ‘କୋଭାକ୍ସିନ୍’ ଟିକା ପାଇଁ ସମ୍ ହସ୍ପିଟାଲକୁ ଚୟନ କରାଯାଇଥିଲା। ଦେଶବ୍ୟାପୀ ୨୫ଟି ସ୍ବାସ୍ଥ୍ୟାନୁଷ୍ଠାନକୁ ଏଥିପାଇଁ ଚୟନ କରାଯାଇଥିବା ବେଳେ ଏଥିରେ ସମ୍ ହସ୍ପିଟାଲ ରହିଥିଲା। ସମ୍‌ରେ ପ୍ରଥମ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ କରାଯାଇଥିଲା। ଏହାକୁ ନେଇ ରାଜ୍ୟରେ ସ୍ବେଚ୍ଛାସେବୀଙ୍କ ମହଲରେ ବେଶ୍‌ ଉତ୍ସାହ ଦେଖାଦେଇଥିଲା। ଓଡ଼ିଶାର ଅନେକ ସ୍ବେଚ୍ଛାସେବୀ ଏହି ପ୍ରକ୍ରିୟାରେ ଅଂଶଗ୍ରହଣ କରିଥିଲେ। ଦେଶର ଅନ୍ୟ ସ୍ବାସ୍ଥ୍ୟାନୁଷ୍ଠାନ ତୁଳନାରେ ସମ୍‌ରେ କରୋନା ଟିକା ପରୀକ୍ଷଣ କ୍ଷେତ୍ରରେ ବେଶ୍‌ ଭଲ ପ୍ରଦର୍ଶନ କରିଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି।

The post ଓଡ଼ିଶା ମଡେଲକୁ ‘ହୁ’ର ପ୍ରଶଂସା, ଟିକା ପରୀକ୍ଷଣରେ ଓଡ଼ିଶାରେ ଇତିହାସ first appeared on Sambad.



from ବିଶେଷ – Sambad https://ift.tt/2WAI42H

Post a Comment

0 Comments