୩ ବର୍ଷ ତଳୁ ବାପା, ଏବେ ଚାଲିଗଲେ ମା’; ୧୪ ବର୍ଷର ଗାୟତ୍ରୀ କାନ୍ଧରେ ପରିବାର ବୋଝ

ପାତ୍ରପୁର: ୩ ବର୍ଷ ତଳେ ଆରପାରିକୁ ଚାଲି ଯାଇଥିଲେ ବାପା। ଫଳ‌ରେ ମା’ ବାପଛେଉଣ୍ଡ ସନ୍ତାନମାନଙ୍କ ଭରଣପୋଷଣ ଦାୟିତ୍ବ ମୁଣ୍ଡାଇଥିଲେ। କିନ୍ତୁ ଦଇବ ପୁଣି ଦାଉ ସାଧିଲା। ୨୧ ଦିନ ତଳେ ଜ୍ବରରେ ପୀଡ଼ିତା ମା’ ବି ଶେଷ ନିଃଶ୍ବାସ ତ୍ୟାଗ କଲେ। ଫଳରେ ଚାରି ସନ୍ତାନ ଅନାଥ ଓ ବେସାହାରା ପାଲଟିଗଲେ। ଆଉ ଏଭଳି ଘଡ଼ିସନ୍ଧି ସମୟରେ ୧୪ ବର୍ଷ ଝିଅର କଅଁଳ କାନ୍ଧରେ ବୁଢ଼ୀ ଜେଜେମା ଓ ୩ ଭାଇଭଉଣୀଙ୍କ ବୋଝ। ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ଜରଡ଼ା ଗ୍ରାମରୁ ଏଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଜରଡ଼ା ଗ୍ରାମର ଦିବଙ୍ଗତ ଅଭିମନ୍ୟୁ ନାୟକ ଓ ଲକ୍ଷ୍ମୀଙ୍କ ୩ ଝିଅ ଏବଂ ଗୋଟିଏ ପୁଅ। ଅଭିମନ୍ୟୁ ଜଙ୍ଗଲକୁ ଯାଇ ବାଉଁଶ କାଠ ଆଣି ବିକ୍ରି କଲେ ପରିବାର ପ୍ରତିପୋଷଣ ହେଉଥିଲା। କିନ୍ତୁ ହଠାତ୍ ୩ ବର୍ଷ ତଳେ ତାଙ୍କର ମୃତ୍ୟୁ ହେବା ପରେ ଲକ୍ଷ୍ମୀ ପରିବାରର ଦାୟିତ୍ବ ମୁଣ୍ଡାଇଥିଲେ। ସେ ମଧ୍ୟ ଜଙ୍ଗଲରୁ କାଠ ଆଣିବା ସହ ବିଲବାଡ଼କୁ ଯାଇ ଶ୍ରମିକ ଭାବେ କାମ କରୁଥିଲେ। ହେଲେ ୨୧ ଦିନ ତଳେ ଜ୍ବରରେ ଆକ୍ରାନ୍ତ ହୋଇ ‌ସେ ପ୍ରାଣ ହରାଇଛନ୍ତି। ଫଳରେ ଅନାଥ ପାଲଟିଥିବା ୪ ସନ୍ତାନଙ୍କ ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଛି। ଆଉ ପାଠ ପଢ଼ି ଖେଳିବା ବୁଲିବା ବୟସରେ ୧୪ ବର୍ଷର ଝିଅ ଗାୟତ୍ରୀ ବୁଢ଼ୀ ଅନ୍ଧୁଣୀ ଜେଜେମାଙ୍କ ସମେତ ୨ ଭଉଣୀ ଓ ଭାଇର ଦାୟିତ୍ବ ମୁଣ୍ଡାଇଛି।

ଛୋଟ ଭାଇ ନିଶାମଣି ଦ୍ବିତୀୟ, ଭଉଣୀ ଜ୍ୟୋତି ଚତୁର୍ଥ ଓ ଧରିତ୍ରୀ ଷଷ୍ଠ ଶ୍ରେଣୀରେ ପଢ଼ୁଛି। ଗାୟତ୍ରୀ ନବମ ଶ୍ରେଣୀରେ ପାଠ ପଢ଼ୁଛି। କିନ୍ତୁ ନିଜ ପାଠ ପଢ଼ା ସାଙ୍ଗକୁ ଦୃଷ୍ଟିହୀନ ଜେଜେମାଙ୍କ ଔଷଧ ଖର୍ଚ୍ଚ ଏବଂ ଛୋଟ ଭାଇଭଉଣୀଙ୍କ ପଢ଼ା ଖର୍ଚ୍ଚ କେମିତି ବହନ କରିବ ଏହାକୁ ନେଇ ଗାୟତ୍ରୀ ଚିନ୍ତାରେ ପଡ଼ିଛି। ଆବାସ ଯୋଜନାରେ ଘର କାମ ସଂପୂର୍ଣ୍ଣ ହୋଇପାରିନି। ଜେଜେମାଙ୍କ ୫୦୦ ଟଙ୍କା ଭତ୍ତା, ରାସନକାର୍ଡ଼ରେ ମିଳୁଥିବା ଚାଉଳରେ ପ୍ରତିପୋଷଣ ହେଉଛି। ଗାୟତ୍ରୀ ନିଜେ ବିଲକୁ ଯାଇ ଧାନ କାଟିଲେ ଦୁଇଓଳା ଦାନା ଯୋଗାଡ଼ ହେଉଛି। କିନ୍ତୁ ତାହା ନିଅଣ୍ଟ ପଡ଼ୁଛି। ସରକାର ଏହି ବେସାହାରା ପରିବାରକୁ ସହାୟତା ପ୍ରଦାନ ପାଇଁ ବିଜୟ ନାୟକ, ଦିଲ୍ଲୀପ ନାୟକ ଓ ବିନାୟକ ମହାରଣା ପ୍ରମୁଖ ଦାବି କରିଛନ୍ତି।

The post ୩ ବର୍ଷ ତଳୁ ବାପା, ଏବେ ଚାଲିଗଲେ ମା'; ୧୪ ବର୍ଷର ଗାୟତ୍ରୀ କାନ୍ଧରେ ପରିବାର ବୋଝ first appeared on Sambad.



from ବିଶେଷ – Sambad https://ift.tt/3p8XwPI

Post a Comment

0 Comments