କୋଡିଏର କୋହ : ରାଜଧାନୀର ଚର୍ଚ୍ଚିତ ଅପରାଧ

କରୋନା ମହାମାରୀ ପାଇଁ ସମଗ୍ର ସହରରେ ନିରବତା ଛାଇ ରହିଥିଲା। ଜୀବନ ଜିଇଁବାକୁ ଚାଲିଥିଲା ସଂଘର୍ଷ। କିନ୍ତୁ ଅପରାଧୀ ଥିଲେ ବେଫିକର୍‌। ମହାମାରୀ ଓ ପୁଲିସ୍‌ର ବ୍ୟସ୍ତତାକୁ ସେମାନେ ଏକ ସୁଯୋଗ ଭାବି ନେଇଥିଲେ। ସେମାନଙ୍କ ଉପଦ୍ରବ ସହରବାସୀଙ୍କ ନିଦ ହଜାଇ ଦେଇଥିଲା।

ପତ୍ନୀହନ୍ତାକୁ ଆଜୀବନ
୨୦୧୩ ମସିହାରେ ସ୍ତ୍ରୀକୁ ହତ୍ୟା କରି ଶବକୁ ୩୦୦ଖଣ୍ଡ କରିବା ଭଳି ଜଘନ୍ୟ ମାମଲାର ଚଳିତବର୍ଷ ସଜା ହୋଇଥିଲା। ଅପସରପ୍ରାପ୍ତ କର୍ଣ୍ଣେଲ ଡାକ୍ତର ସୋମନାଥ ପରିଡ଼ାଙ୍କୁ ଆଜୀବନ କାରାଦଣ୍ଡ ହୋଇଥିଲା।

ଲକ୍‌ଡାଉନ୍‌ରେ ଦୁଷ୍କର୍ମ
ଲକ୍‌ଡାଉନ୍‌ କଟକଣା‌ ଭିତରେ ଭୁବନେଶ୍ବର କମିସନରେଟ୍‌ ପୁଲିସ ଅଞ୍ଚଳରେ ୪୨ ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ଏହି ମାମଲା ସବୁ ବିଭିନ୍ନ ଥାନାରେ ଅଭିଯୋଗ ହୋଇଥିବା ବେଳେ ଅନେକ ଅଭିଯୋଗ ଥାନାକୁ ନ ଆସି ଆପୋସ ସମାଧାନ ମଧ୍ୟ ହୋଇଛି।

ମଦ ପାଇଁ ବିକଳ
କରୋନା କାଳରେ ମଦୁଆଙ୍କ ସ୍ଥିତି ଦେଖିବା ଭଳି ଥିଲା। ମାସ ମାସ କାଳ ବନ୍ଦ ମଦ ଦୋକାନ ଖୋଲିବା ପରେ ମଦୁଆ ମଦ କିଣିବା ପାଇଁ ଡହଳ ବିକଳ ହେଉଥିଲେ। ‌ପେଟି ପେଟି ମଦ ବୋହି ନେଇଥିଲେ। ଅନ୍ୟପଟେ କଟକଣାକୁ ଖାତିର ନ କରି ଦାମୀ ବ୍ରାଣ୍ଡର ମଦ ଗାଡ଼ିରେ ଧରି ହୋମ୍‌ ଡେଲିଭରି କରୁଥିବା ଯୁବକକୁ ଗିରଫ କରିଥିଲା ନୂଆପଲ୍ଲୀ ଥାନା ପୁଲିସ।

ଲୁଟେରାଙ୍କ ଆତଙ୍କ
କରୋନା କଟକଣା କାଳରେ ଲୁଟେରାମାନେ ଉତ୍ପାତ କରିଥିଲେ। ଚଳନ୍ତା ଗାଡ଼ିରେ ଯୁବତୀଙ୍କୁ ସେମାନେ ଟାର୍ଗେଟ୍‌ କରିଥିଲେ। କେତେବେଳେ ଗାଡ଼ି ଅଟକାଇ ତ’ କେତେବେଳେ ଚଳନ୍ତା ଗାଡ଼ିରେ କରିଥିଲେ ଲୁଟ୍‌। ଚଳିତବର୍ଷ ନଭେମ୍ବର ୩୦ ଯାଏ ୩୩୦ଟି ଛିନ୍‌ତାଇ ମାମଲା ରୁଜୁ ହୋଇଛି। ଆଉ ଗୋଟିଏ ମାସ ବାକିଥିବାରୁ ଏହି ମାମଲା ସଂଖ୍ୟା ୪ଶହ ଛୁଇଁବ ବୋଲି ଅନୁମାନ କରା ଯାଉଛି। କେଉଁଠି ମୋବାଇଲ ଛଡ଼ାଇ ‌ନେଇଛନ୍ତି ତ’ କେଉଁଠି ସୁନା ଚେନ୍‌ ଝାମ୍ପି ନେଇଛନ୍ତି ଦୁର୍ବୃତ୍ତ। ଗତବର୍ଷ ୨୬୬ଟି ମାମଲା ରୁଜୁ ହୋଇଥିବା ବେଳେ ଚଳିତ ବର୍ଷ ପାଖାପାଖି ୫୦ ପ୍ରତିଶତ ଅଧିକ ହୋଇଛି। ଏମାନଙ୍କ ମଧ୍ୟରୁ ଅନେକ ରାସ୍ତା‌ରେ ପଡ଼ି ଗୁରୁତର ଆହତ ହୋଇଛନ୍ତି। ରାଜପଥ ଉପରେ ପଡ଼ି ଦୁଇ ଭଉଣୀ ଗୁରୁତର ଆହତ ହୋଇଥିବା ବେଳେ ଲୋକସେବା ଭବନ ସାମ୍ନାରେ ଭାଇ-ଭଉଣୀ ପଡ଼ି ଆହତ ହୋଇଥିଲେ। ଜଣେ ପୁଲିସ ଇନ୍‌ସ୍‌ପେକ୍ଟରଙ୍କ ଠାରୁ ଦୁର୍ବୃତ୍ତ ମୋବାଇଲ ଝାମ୍ପି ନେଇଥିଲେ। ପ୍ରାତଃ ଭ୍ରମଣ ବେଳେ ଜଣେ ଓଏଏସ୍‌ ଅଫିସର ମଧ୍ୟ ଲୁଟେରାଙ୍କ ଶିକାର ହୋଇଥିଲେ।

The post କୋଡିଏର କୋହ : ରାଜଧାନୀର ଚର୍ଚ୍ଚିତ ଅପରାଧ first appeared on Sambad.



from ବିଶେଷ – Sambad https://ift.tt/3aLLiJ3

Post a Comment

0 Comments