ସାତବର୍ଷ ପରେ ଘରକୁ ଫେରିଲା ପୁଅ

କେନ୍ଦୁଝର: ୭ ବର୍ଷ ତଳୁ ନିଖୋଜ ଥିବା କେନ୍ଦୁଝର ସଦର ଥାନା ଅନ୍ତର୍ଗତ କୁସୁମିତା ଗ୍ରାମର ଗୋବିନ୍ଦ ଦେହୁରୀଙ୍କ ପୁଅ ନିରଞ୍ଜନ (୨୭) ଶେଷରେ ଘରକୁ ଫେରିଛନ୍ତି। କେରଳ ଏର୍ଣ୍ଣାକୁଲମର ‘ଦିବ୍ୟ କାରୁଣ୍ୟ ଚାରିଟେବୁଲ’ ଟ୍ରଷ୍ଟର ଦୁଇ ସଦସ୍ୟ ତାଙ୍କୁ ଆଣି କେନ୍ଦୁଝରରେ ଛାଡ଼ିଛନ୍ତି। ଦୀର୍ଘ ୭ ବର୍ଷ ପରେ ଭେଣ୍ଡିଆ ପୁଅକୁ ଫେରି ପାଇଥିବାରୁ ପରିବାର ଲୋକେ ଖୁସିରେ ଆତ୍ମହରା ହୋଇପଡ଼ିଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ, ୭ ବର୍ଷ ତଳେ ନିରଞ୍ଜନ ଏବଂ ତାଙ୍କ ଗ୍ରାମର କିଛି ଯୁବକ ଦଲାଲଙ୍କ ପ୍ରରୋଚନାରେ ପଡ଼ି ଦାଦନ ଖଟିବାକୁ ଚିଲିକା ଅଞ୍ଚଳକୁ ଯିବାକୁ ବାହାରିଥିଲେ। ଦଲାଲ ସେମାନଙ୍କୁ ଚେନ୍ନାଇ ଯାଉଥିବା ଟ୍ରେନ୍‌ରେ ବସାଇ ଦେଇଥିଲା। ଚିଲିକା ନିକଟରେ ଟ୍ରେନ୍‌ରୁ ଶ୍ରମିକମାନେ ଓହ୍ଲାଇବା ପାଇଁ କହିବାରୁ ଦଲାଲ ମନା କରିଥିଲା। ତଥାପି ସେମାନେ ଟ୍ରେନ୍‌ରୁ ଓହ୍ଲାଇ ପଡ଼ିଥିଲେ। ଅନ୍ୟ ଶ୍ରମିକମାନେ ଘରକୁ ଫେରିଥିବା ବେଳେ ନିରଞ୍ଜନ କିନ୍ତୁ ଫେରିନଥିଲେ। ଏନେଇ ତାଙ୍କ ପରିବାର ସଦର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ସେତେବେଳେ ସମ୍ପୃକ୍ତ ଦଲାଲକୁ ଗିରଫ କରିଥିଲା। ନିରଞ୍ଜନ ସେଠାରେ ତାଙ୍କ ସାଥୀଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ପାଇନଥିଲେ। ଶେଷରେ ସେ ଏକ ଟ୍ରେନ୍‌ରେ ବସି କେରଳର ଏର୍ଣ୍ଣାକୁଲମ ଚାଲି ଯାଇଥିଲେ।

ସେଠାରେ ସେ ମାନସିକ ନ୍ୟୂନଙ୍କ ପରି ଏଣେତେଣେ ବୁଲୁଥିବା ବେଳେ ‌ପୁଲିସ ତାଙ୍କୁ ଉଦ୍ଧାର କରି ଏକ ମାନସିକ ରୋଗ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ହସ୍ପିଟାଲରେ ସେ ୩ ବର୍ଷ ଧରି ଚିକିତ୍ସିତ ହୋଇଥିଲେ। ଏହି ସମୟରେ ନିରଞ୍ଜନଙ୍କ ସହ ‘ଦିବ୍ୟ କାରୁଣ୍ୟ ଚାରିଟେବୁଲ ଟ୍ରଷ୍ଟ’ର ସ୍ବେଚ୍ଛାସେବୀଙ୍କ ଦେଖା ହୋଇଥିଲା। ସେମାନେ ନିରଞ୍ଜନଙ୍କୁ ଉଦ୍ଧାର କରି ପଚରାଉଚରା କରିବା ପରେ ଆଜି ତାଙ୍କୁ ଧରି କେନ୍ଦୁଝର ସଦର ଥାନାରେ ପହଞ୍ଚିଥିଲେ। ପୁଲିସଠାରୁ ଖବର ପାଇ ପରିବାର ଲୋକେ ମଧ୍ୟ ଥାନାକୁ ଆସିଥିଲେ। ଟ୍ରଷ୍ଟର ୨ଜଣ ସଦସ୍ୟ ନିରଞ୍ଜନଙ୍କୁ ନେଇ ତାଙ୍କ କୁସୁମିତାସ୍ଥିତ ବାସଭବନରେ ଛାଡ଼ିଥିଲେ। ସେ ଘରେ ପହଞ୍ଚିବା ପରେ ତାଙ୍କୁ ‌ଦେଖିବା ପାଇଁ ପ୍ରବଳ ଭିଡ଼ ହୋଇଥିଲା। ଏହି ସହାୟତା ପାଇଁ ଟ୍ରଷ୍ଟ ସଦସ୍ୟଙ୍କୁ ନିରଞ୍ଜନଙ୍କ ପରିବାର ଏବଂ ଗ୍ରାମବାସୀଙ୍କ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି।

The post ସାତବର୍ଷ ପରେ ଘରକୁ ଫେରିଲା ପୁଅ first appeared on Sambad.



from ବିଶେଷ – Sambad https://ift.tt/3mxR975

Post a Comment

0 Comments