୧୯୭୧ ଯୁଦ୍ଧରେ ଭାରତୀୟ ‌ନୌସେନାର ଭୂମିକା

୧୯୭୧ ମସିହା ଯୁଦ୍ଧରେ ଭାରତୀୟ ନୌସେନାର ଭୂମିକା ଇତିହାସରେ ସବୁଦିନ ପାଇଁ ଲିପିବଦ୍ଧ ରହିବ। ୧୯୭୧ ମସିହା ଡିସେମ୍ବର ମାସରେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହୋଇଥିଲା।

ଉଭୟ ଦେଶ ମଧ୍ୟରେ ଶତ୍ରୁତା ଆରମ୍ଭ ହେବାର ଅନେକ ବର୍ଷ ପୂର୍ବରୁ ସ୍ପଷ୍ଟ ହୋଇଥିଲା ଯେ ପୂର୍ବ ପାକିସ୍ତାନ ସମସ୍ୟାର ରାଜନୈତିକ ସମାଧାନ ସମ୍ଭବପର ନୁହେଁ। ଭାରତ ଏବଂ ପାକ୍ ସାମରିକ ବାହିନୀ ମୁହାଁମୁହିଁ ହେବା ପ୍ରାୟତଃ ନିଶ୍ଚିତ। ଯାହାକୁ ଦୃଷ୍ଟିରେ ରଖି ନୌସେନା ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ୱେଷ୍ଟର୍ଣ୍ଣ ନାଭାଲ କମାଣ୍ଡ କରାଚି ବନ୍ଦର ଉପରେ ଆକ୍ରମଣ କରିବାକୁ ଯୋଜନା କରିଥିଲା। ଏହି ମିସନ ପାଇଁ ୱେଷ୍ଟର୍ଣ୍ଣ ନାଭାଲ କମାଣ୍ଡ ଅଧୀନରେ ଏକ ଷ୍ଟ୍ରାଇକ୍ ଗ୍ରୁପ୍ ଗଠନ କରାଯାଇଥିଲା। କରାଚି ଉପରେ ଆକ୍ରମଣ କରିବା ଲକ୍ଷ୍ୟରେ ଡିସେମ୍ବର ୪ ତାରିଖରେ ଷ୍ଟ୍ରାଇକ୍ ଗ୍ରୁପ୍‌ କରାଚି ଷ୍ଟ୍ରାଇକ୍ ଗ୍ରୁପ୍ ଭାବରେ ନାମିତ କରାଯାଇଥିଲା। ଏଥିରେ ଆଇଏନ୍‌ଏସ୍‌ ନିପାଟ, ଆଇଏନ୍‌ଏସ୍‌ ନିରଘାଟ, ଆଇଏନ୍‌ଏସ୍‌ ଭେର, ଆଇଏନ୍‌ଏସ୍‌ କିଲଟାନ, ଆଇଏନ୍‌ଏସ୍‌ କାଚାଲ, ଏବଂ ଏକ ଜାହାଜ ଟ୍ୟାଙ୍କର୍‌, ଏମ୍‌.ଭି. ଶୁକ୍ର ଚ୍ୟାଲେଞ୍ଜର୍‌କୁ ନେଇ ଗଠିତ ହୋଇଥିଲା। ଆଇଏନ୍‌ଏସ୍‌ ନିପାଟ ଦୁଇଟି କ୍ଷେପଣାସ୍ତ୍ର ଉତ୍‌କ୍ଷେପଣ କରିଥିଲା, ସେଥିମଧ୍ୟରୁ ପ୍ରଥମଟି କରାଚି ବନ୍ଦରରେ ଥିବା ତେଲ ଟାଙ୍କି ଏବଂ ରିଫାଇନାରୀକୁ ଧକ୍କା ଦେଇ ନିଆଁ ଲଗାଇ ଦେଇଥିଲା। ଭାରତୀୟ ଟାସ୍କ ଗ୍ରୁପ ପାରସ୍ୟ ଉପସାଗରରୁ ପାକିସ୍ଥାନ ପର୍ଯ୍ୟନ୍ତ ସମୁଦ୍ର ମାର୍ଗ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ସ୍ଥାପନ କରିଥିଲା। ଯେଉଁଥିପାଇଁ ପାକିସ୍ତାନର ପ୍ରମୁଖ ଜାହାଜଗୁଡ଼ିକ ନଷ୍ଟ ହୋଇଯାଇଥିଲା କିମ୍ବା ବନ୍ଦରରେ ରହିବାକୁ ବାଧ୍ୟ ହୋଇଥିଲା। ଭାରତୀୟ ନୌସେନା କରାଚି ଅଂଶକୁ ଅବରୋଧ କରିବାରେ ସକ୍ଷମ ହୋଇଥିଲା ଏବଂ ବାଣିଜ୍ୟିକ ଯାତାୟାତ ବନ୍ଦ ହୋଇଯାଇଥିଲା। ‌ଏହି ପଦ‌କ୍ଷେପର ସ୍ମାରକୀ ପୂର୍ବକ ଡିସେମ୍ବର ୪ ତାରିଖକୁ ନୌସେନା ଦିବସ ଭାବେ ପାଳନ କରାଯାଉଛି।

The post ୧୯୭୧ ଯୁଦ୍ଧରେ ଭାରତୀୟ ‌ନୌସେନାର ଭୂମିକା first appeared on Sambad.



from ବିଶେଷ – Sambad https://ift.tt/39GreHt

Post a Comment

0 Comments