‘ହେ ସରକାର- ମୋ’ ରଞ୍ଜନକୁ ବଞ୍ଚାଇଦିଅ’

ଜଗନ୍ନାଥପ୍ରସାଦ: ‘ମୋ’ ପୁଅ କହୁଛି, ବୁଝୁଛି ଓ ଜାଣୁଛି। କିନ୍ତୁ ଠିଆ ହୋଇ ଚାଲିପାରୁନି। ଦୁଇ ଗୋଡ଼କୁ ଭଗବାନ କାହିଁକି ଅଚଳ କରିଦେଇଛନ୍ତି, ତାହା ମୁଁ ବି ଜାଣିପାରୁନି। କେତେ ଡାକ୍ତର ଓ ବଇଦଙ୍କୁ ଦେଖାଇଲିଣି। ହେଲେ କିଛି ଲାଭ ହେଉନି। ସମସ୍ତେ କହୁଛନ୍ତି ଗୁଡ଼ାଏ ହେବ ଟଙ୍କା ଖର୍ଚ୍ଚ ହେଲେ ଯାଇ ପୁଅ ବଞ୍ଚିପାରିବ। କିନ୍ତୁ ଟଙ୍କା ଖର୍ଚ୍ଚ କରିବାକୁ ସମର୍ଥ ନାହିଁ। ଏଭଳି ଘଡ଼ିସନ୍ଧି ସମୟରେ କେବଳ ସରକାରୀ ସହାୟତା ହିଁ ମୋ’ ପାଇଁ ଏକ ମାତ୍ର ଭରସା। ତେଣୁ ହେ ସରକାର ମୋ’ ରଞ୍ଜନକୁ ବଞ୍ଚାଇଦିଅ’। ଏହି କୋହଭରା ନିବେଦନ ହେଉଛି, ପୁଅର ଏଭଳି ଅସହ୍ୟ କଷ୍ଟ ଦେଖିପାରୁ ନଥିବା ମା’ ଗୀତାଞ୍ଜଳି ନାଇକଙ୍କର। ପୁଅର ଏଭଳି ଦୁରବସ୍ଥା ଦେଖି ଲୁହ ଗଡ଼ାଇବା ଛଡ଼ା ଆଉ କିଛି ଉପାୟ ନାହିଁ ବୋଲି ସେ କହିଛନ୍ତି।

ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ୍ ଓ ପଞ୍ଚାୟତ ଅଧୀନ ରାମେଶ୍ବରପଲ୍ଲୀ ଗ୍ରାମର ରବୀନ୍ଦ୍ର ନାଇକ ଓ ଗୀତାଞ୍ଜଳିଙ୍କ ଦ୍ବିତୀୟ ସନ୍ତାନ ‌ହେଉଛି ରଞ୍ଜନ। ବୟସ ୭ ବର୍ଷ। ହେଲେ ଯେଉଁ ବୟସରେ ସେ ସ୍କୁଲ୍ ପିଣ୍ଡା ମାଡ଼ି ସାଙ୍ଗସାଥୀଙ୍କ ସହ ଖେଳି ବୁଲି ପାଠ ପଢ଼ିବା କଥା, ସେହି ସମୟ ସେ ଶଯ୍ୟାରେ ନହେଲେ ଘର ପିଣ୍ଡାରେ କାଟୁଛି।

ରଞ୍ଜନ ସ୍ବାଭାବିକ ଭାବେ ଜନ୍ମ ହୋଇଥିଲା। ପିଲା ଦିନରୁ ତା’ର ଶାରୀରିକ ଅକ୍ଷମ ବିଷୟରେ ଜଣାପଡ଼ି ନଥିଲା। ବୟସ ବଢ଼ିବା ସାଙ୍ଗକୁ ସେ କଥା କହିବା ସହ ସବୁ ଶୁଣିଲା ଓ ଜାଣିଲା। କିନ୍ତୁ ଆଉ ଛିଡ଼ା ହୋଇପାରିଲା ନାହିଁ। ଆଣ୍ଠୁ ମାଡ଼ି ଘୋଷାଡ଼ି ଚାଲିଲା। ଜଗନ୍ନାଥପ୍ରସାଦ ଓ ବ୍ରହ୍ମପୁରରେ ଡାକ୍ତରଙ୍କୁ ଦେଖାଇଲେ ବି କୌଣସି ସୁଫଳ ମିଳିଲାନି। ଏହି ଦୁରାରୋଗ୍ୟର ଚିକିତ୍ସା କେବଳ ରାଜ୍ୟ ବାହାରେ ହୋଇପାରିବ ଓ ଏଥିପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେବ ବୋଲି ଡାକ୍ତର କହିବା ପରେ ବାପା ରବୀନ୍ଦ୍ର ଓ ମା’ ଗୀତାଞ୍ଜଳିଙ୍କ ପାଦ ତଳୁ ମାଟି ଧସିଯାଇଥିଲା। କାରଣ ରବୀନ୍ଦ୍ର ଜଣେ ଗରିବ ଶ୍ରେଣୀର ଓ ସେ ମୂଲ ଲାଗିଲେ ପରିବାର ପ୍ରତିପୋଷଣ ହେଉଥିବାରୁ ଏ‌ତେ ଟଙ୍କା ଯୋଗାଡ଼ କରିବା ତାଙ୍କ ପକ୍ଷେ ସମ୍ଭବପର ନଥିଲା। ଆଉ ବାପାମା’ ରଞ୍ଜନକୁ ଧରି ଚାଲି ଆସିଥିଲେ। ସେପଟେ ଲକଡାଉନ୍ ଓ କରୋନା କଟକଣା ପରେ ରବୀନ୍ଦ୍ରଙ୍କ ଦୁଃଖ ଦ୍ବିଗୁଣିତ ହୋଇଯାଇଛି।

ରଞ୍ଜନର ବୟସ ବଢ଼ି ବଢ଼ି ଯାଉଥିବା ବେଳେ ତା’ର ଏହି ଦୁରା‌ରୋଗ୍ୟ ବାପାମା’ଙ୍କୁ ଚିନ୍ତାରେ ପକାଇ‌ ଦେଇଛି। ମା’ ଗୀତାଞ୍ଜଳି ହିଁ ତା’ର ଦେଖାଶୁଣା କରୁଛନ୍ତି। ଘଡ଼ିଏ ବି ଛାଡ଼ୁନାହାନ୍ତି। ରଞ୍ଜନ ଆଣ୍ଠୁରେ ଘୋଷାଡ଼ି ଯାଉଥିବାରୁ ତା’ର ବିଣ୍ଡି ବସିଗଲାଣି। ଏହା ଦେଖି ଲୁହ ଗଡ଼ାଇବା ଛଡ଼ା ‌ଆଉ କିଛି ଉପାୟ ନାହିଁ। ରଞ୍ଜନର ଏହି ଦୁରବସ୍ଥା ପାଇଁ ସ୍କୁଲ୍‌ରେ ତାକୁ ଆଡମିସନ୍ ବି କରାଯାଇନି। ‘ତଥାପି ସରକାରୀ ସହାୟତାରେ ଚିକିତ୍ସା ମିଳିଲେ ମୋ’ ପୁଅ ଭଲ ହୋଇ ଅନ୍ୟ ମାନଙ୍କ ଭଳି ପାଠ ପଢ଼ି ମଣିଷ ହେବ, ନହେଲେ ଯାହା ତା’ର ଭାଗ୍ୟ‌‌ରେ ଲେଖା’ ବୋଲି ମା’ ଗୀତାଞ୍ଜଳି କହିଛନ୍ତି।

The post 'ହେ ସରକାର- ମୋ' ରଞ୍ଜନକୁ ବଞ୍ଚାଇଦିଅ' first appeared on Sambad.



from ବିଶେଷ – Sambad https://ift.tt/2K7tCw3

Post a Comment

0 Comments