ସୋନପୁର ତ୍ରିବେଣୀ ସଙ୍ଗମର ବିକାଶ କେବେ?  

ସୋନପୁର: ଏହ୍ଲାବାଦରେ ଗଙ୍ଗା, ଯମୁନ‌ା‌ ଓ ସରସ୍ବତୀ ନଦୀର ସଙ୍ଗମ ସ୍ଥଳ ଭଳି ସୋନପୁରରେ ମଧ୍ୟ ରହିଛି ମହନଦୀ, ତେଲନଦୀ ଓ କର୍ପୁର ନଦୀର ସଙ୍ଗମ ସ୍ଥଳ। ଏହାକୁ ସାକ୍ଷାତ ବାରଣାସୀ ତଥା ଦ୍ବିତୀୟ ପ୍ରୟାଗ କ୍ଷେତ୍ର ବୋଲି କୁହାଯାଏ। ତେବେ ଏହି ଦ୍ବିତୀୟ ପ୍ରୟାଗ କ୍ଷେତ୍ର କେବଳ ଇତିହାସ ହୋଇ ରହିବା ସହିତ ଲୋକଙ୍କ ମନରେ ରହିଛି। ଏଠାକାର ସୌନ୍ଦର୍ଯ୍ୟ ଅତ୍ୟନ୍ତ ମନୋରମ। ଏହି ଦ୍ବିତୀୟ ବାରଣାସୀ ପାଖରେ ରହିଛି ରାମଶ୍ବର ମନ୍ଦିର ଯାହାକି ବିଭିନ୍ନ କାରୁକାର୍ଯ୍ୟ ସମ୍ପନ୍ନ। ଏଠାକୁ ପ୍ରତିବର୍ଷ ହଜାର ହଜାର ପର୍ଯ୍ୟଟକ ଆସୁଥିଲେ ମଧ୍ୟ ଏହାର ବିକାଶ ଆଜି ପର୍ଯ୍ୟନ୍ତ ହୋଇ ପାରି ନାହିଁ। ବିଭିନ୍ନ ସମୟରେ ନେତା ଓ ପ୍ରାଶାସନିକ ଅଧିକାରୀମାନେ ଏହାର ବିକାଶ କଥା କହୁଥିଲେ ମଧ୍ୟ ତାହା କେବଳ ଭାଷଣବାଜିରେ ଅଟକିଛି।

ଗତ କିଛି ବର୍ଷ ହେଲା ମହାନଦୀର ସୁରକ୍ଷା ପାଇଁ କାର୍ତ୍ତିକ ପୂର୍ଣ୍ଣିମାରେ ଏଠାରେ ସଙ୍ଗମ ଆଳତି ହେଉଛି। ଏହି ସଙ୍ଗମ ଆଳତିରେ ହଜାର ହଜାର ଭକ୍ତ ଓ ଜନସାଧାରଣ ସାମିଲ ହୋଇଥାନ୍ତି। ମହାନଦୀର ଖଇରମାଲଠାରେ ବ୍ୟାରେଜ ନିର୍ମାଣର ପରିକଳ୍ପନା କରାଯାଇଛି। ଏହି ବ୍ୟାରେଜ ହେଲେ ଏହି ତ୍ରିବେଣୀ ସଙ୍ଗମ ଏକ ମିନି ଚିଲିକାରେ ପରିଣତ ହେବ ବୋଲି ଜଣାଯାଇଛି। ଏହା ହେଲେ ମଧ୍ୟ ଏହାର ବିକାଶ ହେବ। ତେବେ ଏହି ବ୍ୟାରେଜ ନିର୍ମାଣ ପାଇଁ ବୈଷୟିକ ଟିମ୍‌ ମଧ୍ୟ ତଦାରଖ କରି ସମ୍ପୃକ୍ତ ବିଭାଗକୁ ରିପୋର୍ଟ ପ୍ରଦାନ କରିଛି। ତେବେ ଏହି ବ୍ୟାରେଜ ନିର୍ମାଣ ପାଇଁ ଏପର୍ଯ୍ୟନ୍ତ ରାଜ୍ୟ ସରକାର ଅର୍ଥ ମଞ୍ଜୁର କରି ନାହାନ୍ତି। ଏଣୁ ଏହି ଆଶା କେବେ ପୂରଣ ହେବ ତାହା ଏକ ଅସମାହିତ ପ୍ରଶ୍ନ ହୋଇ ରହିଛି।

ତ୍ରିବେଣୀ ସଙ୍ଗମର ବିକାଶ ଘଟିଲେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବା ସହିତ ସ୍ଥାନୀୟ ଛୋଟ ଛୋଟ ବ୍ୟବସାୟୀଙ୍କ ମଧ୍ୟ ରୋଜଗାର ବଢ଼ିବ। ଏହି ଦ୍ବିତୀୟ ପ୍ରୟାଗ କ୍ଷେତ୍ରର ବିକାଶ ପାଇଁ ଯେତିକି ଉଦ୍ୟମ ହେବା କଥା ଆଜି ପର୍ଯ୍ୟନ୍ତ ହୋଇ ନଥିବାରୁ ଏହା ଅବହେଳିତ ଅବସ୍ଥାରେ ପଡ଼ିରହିଛି। ଜିଲ୍ଲାବାସୀଙ୍କୁ ଏଠାରେ ମିନି ଚି‌ଲିକା କରିବାର ସ୍ବପ୍ନ ଦେଖାଯାଇଛି। ତେବେ ଏହି ସ୍ବପ୍ନ କେବେ ସାକାର ହେବ ତାହା ପ୍ରଶ୍ନବାଚୀ ହୋଇରହିଛି।

ମନ୍ଦିରମାଳିନୀ ସୁବର୍ଣ୍ଣପୁର ଜିଲ୍ଲାରେ ପର୍ଯ୍ୟଟନସ୍ଥଳ ଭରପୂର ଥିବା ବେଳେ ସେସେବୁ ଅବହେଳାର ଶିକାର ପାଲଟିଛନ୍ତି। ତନ୍ମଧ୍ୟରୁ ଏହି ତ୍ରିବେଣୀ ସଙ୍ଗମ ଅନ୍ୟତମ। ଏହି ତ୍ରିବେଣୀ ସଙ୍ଗମର ବିକାଶ ତଥା ଏଠାରେ ମିନି ଚିଲିକା କରାଯିବାକୁ ମଧ୍ୟ ସାଧାରଣରେ ଦାବି ହୁ‌ଏ। ଏଠାରେ ମିନି ଚିଲିକା ହେଲେ ମହନଦୀ ସେତୁ ନିର୍ମାଣ ପରେ ୧୬ ବର୍ଷ ହେଲା ଜୀବିକା ହରାଇଥିବା ନାବିକ ପରିବାର ମଧ୍ୟ ଉପକୃତ ହେବେ।

ଖଇରମାଳ ବ୍ୟାରେଜ ପାଇଁ ଅର୍ଥ ଓ ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଉଦ୍ୟମ ଜାରି ରଖିଥିବା ବିଭିନ୍ନ ସଭା ସମିତିରେ ମତବ୍ୟକ୍ତ କରିଥାନ୍ତି। ମନ୍ତ୍ରୀଙ୍କ ଏଭଳି ଉଦ୍ୟମକୁ ମଧ୍ୟ ସାଧାରଣରେ ସ୍ବାଗତ କରାଯାଇଛି। ବର୍ତ୍ତମାନ ସେ ରାଜ୍ୟ ସରକାରର ଅର୍ଥ ବିଭାଗର କ୍ୟାବିନେଟ ମନ୍ତ୍ରୀ ଥିବାରୁ ଯଥା ଶୀଘ୍ର ଅନୁଦାନ ଯୋଗାଇବା ଦିଗରେ ପଦକ୍ଷେପ ଗ୍ରହଣ କରିବେ ବୋଲି ଜନସାଧାଣ ଆଶାବାଦୀ ଅଛନ୍ତି। ଏହି ତ୍ରିବେଣୀ ସଙ୍ଗମ ତଥା ଦ୍ବିତୀୟ ପ୍ରୟାଗ ‌କ୍ଷେତ୍ରର ବିକାଶ ହେଲେ ଜିଲ୍ଲାର ପର୍ଯ୍ୟଟନର ବିକାଶ ହେବା ସହିତ ଆର୍ଥିକ ବିକାଶ ହେବ ଏଣୁ ଏଥିପାଇଁ ପ୍ରଶାସନ ଏବଂ ସରକାର ସ୍ବତନ୍ତ୍ର ଧ୍ୟାନ ଦେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

The post ସୋନପୁର ତ୍ରିବେଣୀ ସଙ୍ଗମର ବିକାଶ କେବେ?   first appeared on Sambad.



from ବିଶେଷ – Sambad https://ift.tt/35aaJAX

Post a Comment

0 Comments